ହାମିଲଟନ୍ (ନ୍ୟୁଜିଲାଣ୍ଡ୍), : ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣ ରବିବାର ଶେଷ ହୋଇଯାଇଥିଲା ବେଳେ ଆସନ୍ତାକାଲିଠୁ ହାମିଲଟନ୍ ଚରଣ ଆରମ୍ଭ ହେବ। ତୌରଙ୍ଗା ଚରଣରେ ଜାପାନକୁ ୬-୦ ଓ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ୩-୧ ଗୋଲ୍ରେ ପରାସ୍ତ କରିଥିବା ଭାରତ ଗ୍ରୁପ୍ ପର୍ଯ୍ୟାୟ ସାଙ୍ଗକୁ ଫାଇନାଲ୍ରେ ବି ବେଲ୍ଜିୟମ୍ ନିକଟରୁ ହାରି ଯାଇଥିଲା। ତେବେ ଫାଇନାଲ୍ ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ୩ ମ୍ୟାଚ୍ରେ ମୋଟ ୯ ଗୋଲ୍ ଦେଇ ମନ୍ପ୍ରୀତ୍ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗୋଲ୍ ବ୍ୟବଧାନରେ ଶୀର୍ଷରେ ରହିଥିଲା। ଏହି ୩ ମ୍ୟାଚ୍ରେ ଭାରତ ମାତ୍ର ୩ ଗୋଲ୍ ବରଣ କରିଥିଲା। ଅନ୍ୟପଟେ ବେଲ୍ଜୟମ୍ ଗ୍ରୁପ୍ ପର୍ଯ୍ୟାୟରେ ୩ ମ୍ୟାଚ୍ରେ ମୋଟ ୧୦ ଗୋଲ୍ ଦେଇଥିଲା ବେଳେ ୬ ଗୋଲ୍ ଖାଇଥିଲା। ହେଲେ ଫାଇନାଲ୍ରେ ବେଲ୍ଜିୟମ୍ ନିକଟରୁ ୧-୨ ଗୋଲ୍ରେ ହାରି ପ୍ରଥମ ଚରଣରେ ଦ୍ୱିତୀୟ ଦଳ ହୋଇଥିଲା। ତେବେ ଅଲିମ୍ପିକ୍ ରୌପ୍ୟ ବିଜେତା ବେଲ୍ଜିୟମ୍ ପୂର୍ଣ୍ଣ ଶକ୍ତି ନେଇ ଏହି ପ୍ରତିଯୋଗିତାରେ ଉଭା ହୋଇଥିଲା ବେଳେ ସେହି ଦଳ ବିପକ୍ଷରେ ଲଢ଼େଇ କରି ହାରିବା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍ଙ୍କୁ ଅଧିକ ବିଚଳିତ କରିନାହିଁ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ବିପକ୍ଷରେ ଆମେ ଭଲ ପ୍ରଦର୍ଶନ କରି ହାରିବା ସତ୍ତ୍ୱେ ଆମ ମନୋବଳ ବୃଦ୍ଧି ପାଇଛି। ଏହି ମନୋବଳ ହାମିଲଟନ୍ ଚରଣରେ ସହାୟକ ହେବ ବୋଲି ମାରିନ୍ କହିଛନ୍ତି।
ଏବେ ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ତଥା ହାମିଲଟନ୍ ଚରଣର ପ୍ରଥମ ମ୍ୟାଚ୍ରେ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ଭାରତ ଭେଟିବ। ତୌରଙ୍ଗ ଚରଣ ଭଳି ଏହି ଚରଣରେ ମଧ୍ୟ ଆମେ ଖୁବ୍ ଭଲ ପ୍ରଦର୍ଶନ କରିବୁ ବୋଲି ମନ୍ପ୍ରୀତ୍ କହିଛନ୍ତି। ବେଲ୍ଜିୟମ୍ ବିପକ୍ଷ ମ୍ୟାଚ୍ର ଅଭିଜ୍ଞତା ଆମକୁ ଆଗାମୀ ଚାମ୍ପିଅନ୍ସ ଟ୍ରଫି ଓ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ ବିଶ୍ କପ୍ ବେଳେ ଖୁବ୍ ସହାୟକ ହେବ। ଜାପାନ ଓ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଜୟ ମଧ୍ୟ ଯୁବ ଖେଳାଳିମାନଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି। ତେବେ ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତର କରିପାରିବାର ମନ୍ତ୍ର ନେଇ ଆମେ ହାମିଲଟନ୍ ଚରଣକୁ ଓହ୍ଲାଇବୁ ବୋଲି ମନ୍ପ୍ରୀତ୍ କହିଛନ୍ତି। ବୁଧବାର ନ୍ୟୁଜିଲାଣ୍ଡ୍କୁ ଭେଟିବା ପରେ ଭାରତ ୨୫ ତାରିଖରେ ବେଲ୍ଜିୟମ୍ ଏବଂ ୨୭ରେ ଜାପାନକୁ ଭେଟିବ। ଏହାପରେ ୨୮ରେ ତୃତୀୟ-ଚତୁର୍ଥ ସ୍ଥାନ ସହ ଫାଇନାଲ୍ ମ୍ୟାଚ୍ ଖେଳାଳି ପ୍ରତିଯୋଗିତା ଉଦ୍ଯାପିତ ହେବ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର