ହୃଦୟବିଦାରକ: ହାତୀ ଉଦ୍ଧାର ବେଳେ ବୋଟ୍‌ ଓଲଟିଲା; ସାମ୍ବାଦିକ ଅରିନ୍ଦମ, ଓଡ୍ରାଫ୍‌ ବୁଡ଼ାଳି ସୀତାରାମଙ୍କ ମୃତ୍ୟୁ

ହାତୀ ବି ମଲା

ଏସ୍‌ସିବି ଆଇସିୟୁରେ ସାମ୍ବାଦିକ, ୨ ଯବାନ
ତଦନ୍ତ ଆରମ୍ଭ

କଟକ/ଆଠଗଡ଼ : ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ ଶେଷରେ ଆଖିବୁଜିଛି। ମହାନଦୀର ପାଣିରେ ଭାସି ଭାସି ସେ ନୂଆ ଶାସନ ନିକଟରେ ଲାଗିଥିବା ବିଳମ୍ବିତ ରାତିରେ ସୂଚନା ମିଳିଛି। ଅନ୍ୟପଟେ ଦନ୍ତାହାତୀକୁ ବଞ୍ଚାଇବା ମିସନ୍‌ (ମିସନ ଗଜରାଜ)ରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍‌ର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁଙ୍କର ଜୀବନ ଯାଇଛି। ଅନ୍ୟ ଜଣେ ସାମ୍ବାଦିକ ଓ ଓଡ୍ରାଫର ଯବାନ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର ଭୋର ପ୍ରାୟ ୪ଟାରୁ ବ୍ୟାରେଜର ମଝିଆମଝି ସ୍ଥାନରେ ଫସି ରହିଥିବା ଏହି ହାତୀକୁ କୂଳ ଆଡକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଦିନ ପ୍ରାୟ ଗୋଟାଏ ବେଳେ ପାୱାର ବୋଟରେ ନଈ ଭିତରକୁ ଓହ୍ଲାଇଥିଲେ ଓଡ୍ରାଫ ଟିମର ୫ ଜଣ ସଦସ୍ୟ ଏବଂ ତାଙ୍କ ସହିତ ଯାଇଥିଲେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା। ମହାନଦୀର ଅକାତ ପାଣି ଭିତରେ ହାତୀ ପାଖକୁ ପହଞ୍ଚିବାବେଳକୁ ହିଁ ଘଟିଥିଲା ଅଘଟଣ। ପ୍ରଖର ସ୍ରୋତରେ ଭାସିଯାଇ ଓଲଟି ପଡ଼ିଥିଲା ପାୱାର ବୋଟ୍‌। ବ୍ୟାରେଜ ପୋଲ ଉପରୁ ରଶି ଓ ରୋପ୍‌ ଲାଡର୍‌ ଲଗାଇ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ହୁଲି ଡଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଓଡ୍ରାଫ୍‌ର ରୁଦ୍ର ପ୍ରଧାନ ଅପେକ୍ଷାକୃତ ସ୍ବାଭାବିକ ‌ଥିବାବେଳେ ଏଥିରେ ଗୁରୁତର ହୋଇପଡ଼ିଥିବା ସାମ୍ବାଦିକ ଅରିନ୍ଦମ ଦାସ, ପ୍ରଭାତ ସିହ୍ନା, ଓଡ୍ରାଫ୍‌ର ଆନନ୍ଦ ପାଲ, ହରିଶ ନାୟକ, ନିବାରଣ ଦଲେଇଙ୍କୁ କଟକ ବଡ଼ଡାକ୍ତାରଖାନାକୁ ନିଆଯାଇଥିଲା। ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅରିନ୍ଦମଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିଲା। କଟକ ବଡ଼ଡାକ୍ତରଖାନାରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଭୁବନେଶ୍ବର ନିଆଯାଇଥିଲା। ପୁଲିସ୍‌ ଡିଜି ଶ୍ରୀ ଅଭୟ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏସ୍‌ସିବି ଯାଇ ମୃତାହତଙ୍କ ଅବସ୍ଥା ବୁଝିଥିଲେ।

 

ଅନ୍ୟପଟେ ନିଖୋଜ ହୋଇଯାଇଥିବା ଓଡ୍ରାଫ୍‌ ଅଣ୍ଡର ୱାଟର ଡାଇଭର ସୀତାରାମ ମୁର୍ମୁ (୩୫)ଙ୍କର ମୃତଦେହକୁ ବି ବିଳମ୍ବିତ ରାତିରେ ମହାନଦୀରେ ଠାବ କରାଯାଇଥିଲା। ଏହି ଘଟଣାରେ ଗୁରୁତର ହୋଇପଡ଼ିଥିବା ୩ ଜଣଙ୍କୁ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଭର୍ତ୍ତି କରା‌ଯାଇଥିବାବେଳେ ନିବାରଣ ଅପେକ୍ଷାକୃତ ସୁସ୍ଥ ଥିବା ସୂଚନା ମିଳିଛି। ଆଇନଶୃଙ୍ଖଳା ଏଡିଜି ଆର.କେ, ଶର୍ମା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଡିସିପି ପ୍ରତୀକ ସିଂହ, ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋରଙ୍କ ସମେତ ବରିଷ୍ଠ ପୁଲିସ ପଦାଧିକାରୀ, ବନ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ କେଉଁ ପରିସ୍ଥିତିରେ ଏଭଳି ଏକ ଅପରେସନ୍‌ରେ ପାୱାର ବୋଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଆଗଲା, ତାହାର ତଦନ୍ତ ଆରମ୍ଭ ହୋଇଛି। ଏଡିଜି ଶ୍ରୀ ଶର୍ମା ଘଟଣାସ୍ଥଳରେ ଓଡ୍ରାଫ୍ ଯବାନ ରୁଦ୍ର ପ୍ରଧାନଙ୍କୁ ଭେଟି ଏ ସଂକ୍ରାନ୍ତରେ ପ୍ରାଥମିକ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଚନ୍ଦକାରୁ ୧୭ଟି ହାତୀ ଆଠଗଡ଼ ଅଞ୍ଚଳକୁ ପଶି ଆସିଥିଲେ। ରାଜନଗର, ସୁକାଶନ ସଂରକ୍ଷିତ ଜଙ୍ଗଲ ଓ କନ୍ଦରପୁର କାଜୁ ଜଙ୍ଗଲରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳିଥିଲା। ଏହି ହାତୀପଲରେ ୪ଟି ଦନ୍ତା, ୪ଟି ଛୁଆ, ୯ଟି ମାଈ ହାତୀ ଥିଲେ। ଗତକାଲି ମଧ୍ୟରାତ୍ରରେ ଉକ୍ତ ହାତୀପଲ ମହାନଦୀ କୂଳେକୂଳେ ନଦୀ ପାରି ହେଉ ଥିବାବେଳେ ୬ଟି ହାତୀ ଆଠଗଡ଼ ନୂଆଶାସନ ଓ ୨ଟି ଅନନ୍ତପୁରକୁ ଯାଇଥିଲାବେଳେ ୮ଟି ହାତୀ ସାନମୁଣ୍ଡଳୀରେ ରହିଯାଇଥିଲେ। ମାତ୍ର ଏହି ହାତୀପଲର ଦଳପତି କୁହାଯାଉଥିବା ଦନ୍ତାହାତୀଟି ମହାନଦୀର ମୁଣ୍ଡଳୀ ବ୍ରିଜ୍‌ ତଳେ ପାଣି ସ୍ରୋତରେ ରାତି ୪ଟାରୁ ଫସି ଯାଇଥିଲା। ଏ ସଂପର୍କରେ ଖବର ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ‌ଦୀର୍ଘ ସମୟ ଧରି ହାତୀ ପାଣିରେ ଫସି ରହିଥିବାରୁ ତାକୁ କଦଳୀ ଫେଣା ଖାଇବାକୁ ଦେଇ କୂଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ଖବରପାଇ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ଦିନ ପ୍ରାୟ ୧୧ଟା ସୁଦ୍ଧା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ୍ରାଫ ଟିମ୍‌ରେ ୧୦ ଜଣ ଥିବାବେଳେ ହାତୀଙ୍କୁ ଘଉଡ଼ାଇବା ପାଇଁ ପାୱାର ବୋଟ୍‌ରେ ୫ ଜଣ, ଦୁଇ ଜଣ ସାମ୍ବାଦିକଙ୍କ ସହିତ ନଈ ଭିତରକୁ ଯାଇଥିଲେ। ବୋଟ୍‌ରେ ଯାଇଥିବା ୭ ଜଣ ହାତୀ ପଛ ପାଖକୁ ଯାଇ ଘଉଡ଼ାଉ ଥିବାବେଳେ ବୋଟ୍‌ଟି ଭାରସାମ୍ୟ ହରାଇ ସ୍ରୋତରେ ବୁଡ଼ି ଯାଇଥିଲା। ସେପଟେ ବୁଡ଼ିଯାଇଥିବା ସଦସ୍ୟମାନଙ୍କୁ ବ୍ରିଜ ଉପରୁ ଦଉଡି ପକା ଯାଇ ଉଦ୍ଧାର କରୁଥିବା ବେଳେ ଓଡ୍ରାଫ ଟିମ୍‌ର ଜଣେ ସଦସ୍ୟ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇ ଯାଇଥିଲେ। ସାମ୍ବାଦିକ ଅରିନ୍ଦମ ଦାସ ନଈ ଭିତରକୁ ପ୍ରାୟ ୪ କିଲୋମିଟର ଯାଏ ଭାସି ଯାଇଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ମୁଣ୍ଡଳୀଠାରେ ୧ ଲକ୍ଷ ୮୪ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ବେଳେ ବ୍ରିଜ୍ ଉପରେ ପ୍ରବଳ ଭିଡ଼ ହାତୀ ଉଦ୍ଧାରରେ ବିଫଳତାର ମୁଖ୍ୟ କାରଣ ବୋଲି କୁହାଯାଉଛି। ମୁଣ୍ଡଳୀରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଅନେକ ସମୟ ଯାଏ ନିକଟରେ ଥିବା ଏନଡିଆରଏଫର କିନ୍ତୁ ସହାୟତା ନିଆଯାଇ ନଥିଲା। ଦୁର୍ଘଟଣା ଘଟିବା ପରେ ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ନିଖୋଜ ଥିବା ଓଡ଼୍ରାଫ୍‌ ଯବାନଙ୍କୁ ଖୋଜିବା ଅଭିଯାନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର