ସତର୍କ କରାଇଲେ ସିବଲ୍‌: ପଂଜାବ ଅସ୍ଥିରତାର ଫାଇଦା ଆଇଏସଆଇ ନେଇପାରେ

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ଦେଖାଦେଲେ ପାକିସ୍ତାନ ଏହାର ସୁଯୋଗ ନେଇଥାଏ। ରାଜନୈତିକ ପ୍ରସଙ୍ଗ ହେଉ କିମ୍ବା ଆନ୍ଦୋଳନ, ଏସବୁର ଫାଇଦା ନେଇ ଭାରତରେ କିଭଳି ଅସ୍ଥିରତା ସୃଷ୍ଟି କରିବାକୁ ହୁଏ ତାହା ଆଇଏସଆଇକୁ ଭଲଭାବେ ଜଣାଅଛି। ସୀମାନ୍ତ ରାଜ୍ୟ ପଞ୍ଜାବରେ କଂଗ୍ରେସ ରାଜନୀତିରେ ସର୍କସ ଚାଲିଛି। ପ୍ରଥମେ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ପରେ ପରେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ଆଇଏସଆଇ ସେଠାରେ ଖଲିସ୍ତାନୀ ଆନ୍ଦୋଳନକୁ ଗତି ଦେବା ପାଇଁ ଉଦ୍ୟମ ଚଳାଇଛି। ପୂର୍ବରୁ ଆଇଏସଆଇ ଖଲିସ୍ତାନୀ ଆନ୍ଦୋଳନକୁ ଯେଭଳି ଆଗକୁ ନେବାକୁ ଚାହୁଥିଲା ତାହା କରି ପାରି ନଥିଲା। କିନ୍ତୁ ବିଳମ୍ବରେ ଏସବୁ ଗୋଷ୍ଠୀର କାର୍ଯ୍ୟକ୍ରମ ବଢ଼ିବାରେ ଲାଗିଛି। ପଂଜାବ ରାଜନୀତିରେ ସ୍ଥିରତା ଥିବାରୁ ରାଜ୍ୟର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏମାନେ ଦୋହଲାଇ ପାରି ନଥିଲେ। ଏଭଳି ପୃଷ୍ଠଭୂମିରେ ବିରଷ୍ଠ କଂଗ୍ରେସ ନେତା କପିଲ ସିବଲ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପାକିସ୍ତାନ ସୀମାରେ ଥିବା ଏକ ରାଜ୍ୟରେ ଏଭଳି ଘଟଣା ଘଟିବା ଦ୍ବାରା ଆଇଏସଆଇ ପାଇଁ ଏହା ଲାଭଦାୟକ ହେବ। ପଂଜାବର ଉଗ୍ରବାଦ ଇତିହାସ ସଂପର୍କରେ ଆମେ ଅବଗତ ଅଛୁ। ସୀମା ବାହାରେ ଥିବା ଶକ୍ତିମାନେ ଅସ୍ଥିରତା ସୃଷ୍ଟି ପାଇଁ ପରିସ୍ଥିତିର ଫାଇଦା ନିଅନ୍ତି। ଏସବୁ ଶକ୍ତି ଆମ ଦେଶପାଇଁ ବିପଦ ବୋଲି ସିବଲ୍ କହିଛନ୍ତି।

ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଥରେ କହିଥିଲେ ପାକିସ୍ତାନ ଭାରତରୁ ଏକ ବାଂଲାଦେଶ ସୃଷ୍ଟି କରିବ। କିନ୍ତୁ ଏହା ପାକିସ୍ତାନ ସୀମାରେ ହେବ। ଖଲିସ୍ତାନକୁ ଇଙ୍ଗିତ କରି ସେ ଏଭଳି ମନ୍ତବ୍ୟ ଦେଇଥିଲେ। ଦେଶରେ ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଥିବା ଖଲିସ୍ତାନୀ ଆନ୍ଦୋଳନକାରୀଙ୍କ ସମର୍ଥନ ପାଉଛି। ଅନ୍ୟପକ୍ଷରେ ଆଇଏସ୍‌ଆଇ ଗତ ଦୁଇ ଦଶନ୍ଧି ହେଲା ଭାରତରେ ଖଲିସ୍ତାନୀ ଆନ୍ଦୋଳନକୁ ପୁଣିଥରେ ବଳ ଦେବାକୁ ଉଦ୍ୟମ ଚଳାଇଛି। ଯଦିଓ ଏହା ସେତେଟା ସଫଳ ହୋଇପାରି ନାହିଁ ତଥାପି ସମସ୍ୟା ଲାଗି ରହିଛି। ଗତ କିଛି ମାସ ହେଲା ବାବର ଖଲସା, ଖଲିସ୍ତାନ ଲିବରେସନ ଫୋର୍ସ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସ, ଆଇଏସୱାଇଏଫ ଏବଂ ଖଲିସ୍ତାନ କମାଣ୍ଡୋ ଫୋର୍ସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଚାଲିଆସିଛି। ପାକିସ୍ତାନର ନାନକିନ ସାହିବଠାରେ ଏସବୁ ସଂଗଠନ ଏବଂ ଆଇଏସଆଇ ମଧ୍ୟରେ ହୋଇଥିବା ବୈଠକ ମଧ୍ୟ ଚର୍ଚ୍ଚାକୁ ଆସିଥିଲା।

ସମ୍ବନ୍ଧିତ ଖବର