ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡ଼ୁଆ, ବ୍ୟାଙ୍କ ଆକାଉଣ୍ଟ୍ ଅଚଳ କଲା ରାୟଗଡ଼ା ପୁଲିସ୍

-ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ଅଛି ୪୫ ଲକ୍ଷ ଟଙ୍କା, ସଂପତ୍ତି ଆକଳନ ପାଇଁ ତରଭା ଓ ବଲାଙ୍ଗୀର ତହସିଲଦାରଙ୍କୁ ଚିଠି

ରାୟଗଡ଼ା: ରାୟଗଡ଼ା ପୁଲିସ୍ ଦ୍ବାରା ଗିରଫ ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗିରଫ ପରେ ଆନନ୍ଦଙ୍କ ନିକଟରୁ ପୁଲିସ୍ ନଗଦ ୩୨ ଲକ୍ଷ ଜବତ କରିଥିଲା। ଏବେ ଆନନ୍ଦଙ୍କ ୪୫ ଲକ୍ଷ ଜମା ଥିବା ଘରୋଇ ବ୍ୟାଙ୍କ ଆକାଉଣ୍ଟ୍ ଜବତ କରି ଅଚଳ କରିଛି ପୁଲିସ୍। ଏଥି ସହିତ ମୋଟ ସଂପତ୍ତିର ଆକଳନ କରି ରିପୋର୍ଟ ଦେବାକୁ ସୋନପୁର ଜିଲ୍ଲାର ତରଭା ଓ ବଲାଙ୍ଗୀର ସଦର ତହସିଲଦାରଙ୍କୁ ଚିଠି ଲେଖିଛି ରାୟଗଡ଼ା ପୁଲିସ୍।

ରାୟଗଡ଼ା-ଗଜପତି ଜିଲ୍ଲାରେ ଗତ ୬ ବର୍ଷ ହେଲା ଆନନ୍ଦ ନିଜ ନେଟୱର୍କକୁ ବଢ଼ାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ଚନ୍ଦ୍ରପୁର ଏବଂ ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରେ ବହୁ ଲୋକଙ୍କୁ ଅଗ୍ରୀମ ଟଙ୍କା ଦେଇ ଗଞ୍ଜେଇ ଚାଷ କରିବା ଏବଂ ଅମଳ ପରେ ଗଞ୍ଜେଇ ସଂଗ୍ରହ କରିବା ଦିଗରେ ମାହିର୍ ଥିଲା ଆନନ୍ଦ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ମୁମ୍ବାଇ, ଦିଲ୍ଲୀ ପର୍ଯ୍ୟନ୍ତ ଚୋରା ଚାଲାଣର ଚେର୍ ଲମ୍ବିଛି। ଏପରିକି ମହାରାଷ୍ଟ୍ର ପୁଲିସର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଆନନ୍ଦଙ୍କ ନାଁ ରହିଥିବା ତଦନ୍ତ ସମୟରେ ରାୟଗଡ଼ା ପୁଲିସ୍ ଜାଣିବାକୁ ପାଇଛି।

ଆନନ୍ଦଙ୍କ ଗଞ୍ଜେଇ ବ୍ୟବସାୟ କଳା ସାମ୍ରାଜ୍ୟକୁ ଧ୍ବସ୍ତ କରିବା ପାଇଁ ପୁଲିସ୍ ଅଣ୍ଟା ଭିଡ଼ିବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ପ୍ରାଥମିକ ତଦନ୍ତରେ ପୁଲିସ୍ ଆନନ୍ଦଙ୍କ ନେଟୱର୍କ ସଂପର୍କରେ ସମସ୍ତ ସୂଚନା ସଂଗ୍ରହ କରିବା ପରେ ଘରୋଇ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିଛି। ଯେଉଁଥିରେ ୪୫ ଲକ୍ଷ ଟଙ୍କା ମହଜୁଦ୍ ଅଛି। ସେହିପରି ପୈତୃକ ଗ୍ରାମ ତରଭାରେ ଥିବା ଘରବାଡ଼ି, ଜମି ଅନ୍ୟାନ୍ୟ ସଂପତ୍ତିର ବିବରଣୀ ସଂପର୍କରେ ରାୟଗଡ଼ା ପୁଲିସ୍ ତରଭା ତହସିଲଦାରଙ୍କୁ ଚିଠି କରିଛି। ସେହିପରି ବଲାଙ୍ଗୀରରେ ରହି ଆନନ୍ଦ ଚୋରା ନେଟୱର୍କକୁ ଚଲାଉ ଥିବାରୁ ବଲାଙ୍ଗୀର ତହସିଲଦାରଙ୍କୁ ମଧ୍ୟ ରିପୋର୍ଟ ମାଗିଛି ପୁଲିସ୍। କିନ୍ତୁ ଉଭୟ ତହସିଲରୁ ଏଯାବତ୍ କୌଣସି ତଥ୍ୟ ହସ୍ତଗତ ହୋଇନି। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ପୂର୍ବରୁ ଗତ ୬ ବର୍ଷ ତଳେ ଆନନ୍ଦର ସଂପତ୍ତି ପରିମାଣ କେତେ ଥିଲା, ଆୟ ପ୍ରମାଣପତ୍ର, ଆୟକାରୀ ଟିକସ ପୈଠ କରୁଥିଲା କି ନାହିଁ ଏ ସମସ୍ତ ଦିଗକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଏବେ ବି ରାୟଗଡ଼ା ଓ ଗଜପତି ଜିଲ୍ଲାର ବହୁ ଗଞ୍ଜେଇ ମାଫିଆଙ୍କ ନିକଟରେ ଆନନ୍ଦଙ୍କ ଲକ୍ଷାଧିକ ଟଙ୍କା ଅଗ୍ରୀମ ଭାବେ ଥିବା ପୁଲିସ୍ ତଦନ୍ତରୁ ଜଣା ପଡିଛି। ଗିରଫ ପରେ ଆନନ୍ଦ ମିଶ୍ର ବିଷମକଟକ ଜେଲରେ ଥିବା ବେଳେ ପୁଲିସ୍ ଚାର୍ଜସିଟ୍ ଦାଖଲ ପାଇଁ ଦୃଢ଼ ପ୍ରମାଣ ଯୋଗାଡ଼ କରି କଳାଧନକୁ ବ୍ୟାଜପ୍ତି କରିବା ପାଇଁ ଉଦ୍ୟମ ଜାରି ରଖିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ତାରିଖରେ ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦଙ୍କୁ ଗିରଫ କରାଯାଇଥିଲା। ଆନନ୍ଦଙ୍କ ମୁଖ୍ୟ ସହଯୋଗୀ ହନୁମନ୍ତପୁରର ସୁନୀଲ ବଳିଆର ସହ ପୁଲିସ୍ ଏହି ମାମଲାରେ ୫ ମାଫିଆଙ୍କୁ ଗିରଫ କରିଥିଲା। ଅଡ଼ବାରୁ ପିକଅପ୍ ଭ୍ୟାନ୍ ମାଧ୍ୟମରେ ଗଞ୍ଜେଇ ଆଣିବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରପୁର ପୁଲିସ୍ ୫ ମାଫିଆଙ୍କୁ ଗିରଫ କରିବା ସହ ୨ଟି ବାଇକ୍, ୪ଟି ମୋବାଇଲ୍, ନଗଦ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର