ବାଙ୍କୀ ଏନ୍‌ଏସିକୁ ୫୫ବର୍ଷ ପୂରିଲା, ଅଟକିଛି ଆଧୁନିକ ବସ୍‌ଷ୍ଟାଣ୍ଡ

ବାଙ୍କୀ: ୧୯୬୬ ମସିହାରେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ୧୭ ଗୋଟି ୱାର୍ଡବିଶିଷ୍ଟ ଏହି ଏନ୍‌ଏସିର ପରିସୀମା ୬.୨୨ ବର୍ଗ କିଲୋମିଟର ହୋଇଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟ ୧୭୫୨୧। ଇତିମଧ୍ୟରେ ଏନ୍‌ଏସି ସ୍ଥାପନକୁ ୫୫ ବର୍ଷ ବିତିଗଲାଣି ଏବଂ ୨୯ ଜଣ ନିର୍ବାଚିତ ଅବା ଭାରପ୍ରାପ୍ତ ଅଧ୍ୟକ୍ଷ ରହିସାରିଲେଣି। ହେଲେ, ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସଷ୍ଟାଣ୍ତ୍‌ଟିଏ ନିର୍ମାଣ ହୋଇପାରିଲାନି। ବହୁ ନିର୍ବାଚିତ ପ୍ରତିନିଧି ଏ ନେଇ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଥିଲେ ମଧ୍ୟ ତାହା ପାଣିର ଗାର ସାବ୍ୟସ୍ତ ହୋଇଛି। ଏପରିକି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହୋଇଥିବା ଫଳକ ଉନ୍ମୋଚନ ମଧ୍ୟ ବାଙ୍କୀବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବହୁ ଲୋକ କହିଲେଣି। ଗତ ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବହୁ ଆଡମ୍ବର ସହକାରେ ବାଙ୍କୀର ପ୍ରଗତି ପାଇଁ ଅନେକ ପ୍ରକଳ୍ପ ସହିତ ପ୍ରସ୍ତାବିତ ବସଷ୍ଟାଣ୍ତ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଚେରିପଡ଼ିଆଠାରେ ୨୦୧୪ ଜାନୁଆରି ୧୬ ତାରିଖ ଅନୁଷ୍ଠିତ ବିକାଶ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୂର୍ବରୁ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଶିଶୁଆଠାରେ ଥିବା ରାଜ୍ୟ ସଡକ ପରିବହନ ନିଗମର ପରିତ୍ୟକ୍ତ ବସଷ୍ଟାଣ୍ତ ପରିସରରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ତ ନିର୍ମାଣର ପରିକଳ୍ପନା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଫଳକ ଉନ୍ମୋଚିତ ହୋଇଥିବାରୁ ବାଙ୍କୀ ସହରର ଟ୍ରାଫିକ ସମସ୍ୟା ଦୂରିଭୂତ ହେବା ସହ ଏଠାରେ ଏକ ସୁଦୃଶ୍ୟ ବସଷ୍ଟାଣ୍ତ ନିର୍ମାଣ ହେବା ନେଇ ଜନସାଧାରଣଙ୍କ ମନରେ ବିଶ୍ବାସ ଉଦ୍ରେକ ହୋଇଥିଲା।

ଉକ୍ତ ପ୍ରକଳ୍ପ ନିର୍ମାଣର ବ୍ୟୟ ଅଟକଳ ପ୍ରାୟ ୫୦ ଲକ୍ଷ ଥିବା ସେତେବେଳେ ଏନ୍‌ଏସି ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ, ଫଳକ ସ୍ଥାପନାକୁ ଇତିମଧ୍ୟରେ ୭ ବର୍ଷ ପୁରି ଯାଇ ଆଉ ଗୋଟିଏ ସାଧାରଣ ନିର୍ବାଚନ ମଧ୍ୟ ସରିଗଲାଣି। ମାତ୍ର ବସଷ୍ଟାଣ୍ତ ନିର୍ମାଣ ଦୂରର କଥା, ଏବେ ସେହି ସ୍ଥାନରେ ଏନ୍‌ଏସିର ଆବର୍ଜନା ଠୁଳ କରାଯାଉଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ବାଙ୍କୀ ଉପଖଣ୍ତରେ ଓଏସ୍‌ଆର୍‌ଟିସି ପକ୍ଷରୁ ବିଭିନ୍ନ ରୁଟ୍‌ରେ ୧୦ ରୁ ଅଧିକ ଯାତ୍ରୀବାହୀ ବସ୍‌ ଚାଲୁଥିଲା। ସେଥିପାଇଁ ବିଭାଗ ପକ୍ଷରୁ ଶିଶୁଆ ଗ୍ରାମ ନିକଟରେ ଏକ ବସଷ୍ଟାଣ୍ତ ନିର୍ମାଣ ଆରମ୍ଭ କରାଯାଇଥିଲା। ମାତ୍ର, କୌଣସି କାରଣରୁ ବସଷ୍ଟାଣ୍ତ ନିର୍ମାଣ ସରିବା ପୂର୍ବରୁ ସ୍ଥଗିତ ରହିଲା। ଏଥି ସହ ବାଙ୍କୀ ଉପଖଣ୍ତରୁ ସରକାରୀ ଯାତ୍ରୀବାହୀ ବସ୍‌ ସେବାକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଇଥିଲା। ଏବେ ପରିତ୍ୟକ୍ତ ଅବସ୍ଥାରେ ବିଭାଗର ଗୃହ ପଡ଼ି ରହିଥିବା ବେଳେ ଉକ୍ତ ସ୍ଥାନ ନିକଟରେ ବାଙ୍କୀ ସହରକୁ ପାନୀୟଜଳ ଯୋଗାଣ କରୁଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଅଛି। ବାଙ୍କୀର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ତତ୍‌ସହିତ ଯାନବାହନ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିବାରୁ ଏଠାରେ ବସଷ୍ଟାଣ୍ତର ଆବଶ୍ୟକତା ଜରୁରୀ ହୋଇପଡିଛି। କରୋନା ମହାମାରୀ ପୂର୍ବରୁ ବାଙ୍କୀରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଦୈନିକ ୨୦ରୁ ଅଧିକ ବସ୍‌ ଚଳାଚଳ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷିତ ରହଣି ପାଇଁ କୈାଣସି ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରାଯାଇ ନାହିଁ। ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି।

ସମ୍ବନ୍ଧିତ ଖବର