ଭାରତ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଦଳରେ ମିଚେଲ୍‌ ସାମିଲ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଲାଗି ନ୍ୟୁଜିଲାଣ୍ଡ୍‌ ଦଳରେ ବ୍ୟାଟିଂ ଅଲରାଉଣ୍ଡର୍‌ ଡାରିଲ୍ ମିଚେଲଙ୍କୁ ସାମିଲ କରାଯାଇଛି। ଆହତ ଡେଭନ୍ କନୱେଙ୍କ ବଦଳରେ ସେ ସାମିଲ ହୋଇଛନ୍ତି। ଚଳିତ ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ୍ ବିପକ୍ଷ ସେମିଫାଇନାଲ୍‌ରେ ଆଉଟ୍ ହେବା ପରେ ହାତ ଭାଙ୍ଗିଥିବା କ‌ନୱେ ଫାଇନାଲ୍ ସହିତ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଟ୍ବେଣ୍ଟି-୨୦ରେ ଭଲ ଖେଳି ଆସୁଥିବା ମିଚେଲ୍‌ ଏବେ ଟେଷ୍ଟ୍‌ ଦଳରେ ଭଲ କରିପାରିବେ ବୋଲି ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍‌ ପ୍ରକାଶ କରିଛନ୍ତି। ୩୦ ବର୍ଷୀୟ ମିଚେଲ୍‌ ବିଶ୍ବକପ୍‌ରେ ଚମତ୍କାର ଫର୍ମରେ ରହିବା ସହ ସେମିଫାଇନାଲ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ।

୨୦୧୯ରେ ଟେଷ୍ଟ୍ ପଦାର୍ପଣ କରିଥିବା ମିଚେଲ୍‌ ମାତ୍ର ୫ ଟେଷ୍ଟ୍‌ ଖେଳିଛନ୍ତି। ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ୍ ଖେଳିଥିଲେ। ରବିବାର ରାତିରେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଖେଳିବା ପରେ ନ୍ୟୁଜିଲାଣ୍ଡ୍ ଦଳ ତୁରନ୍ତ ଭାରତ ଗସ୍ତ କରିବ। ନଭେମ୍ବର ୧୭ରୁ ୩ ମ୍ୟାଚ୍‌ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଏବଂ ନଭେମ୍ବର ୨୫ରୁ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବ କେନ୍‌ ୱିଲିୟମସନ୍‌ଙ୍କ ଦଳ। ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ କନ‌ୱେ ସ୍ବଦେଶ ଫେରିଯିବେ ଏବଂ ମିଚେଲ୍‌ ଟେଷ୍ଟ୍ ଶୃଙ୍ଖଳା ଶେଷ ପର୍ଯ୍ୟନ୍ତ ରହିବେ ବୋଲି ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର