ମେଡିକାଲରେ ରଙ୍ଗ କାମ, ସିଡିଏମ୍‌ଓ ଜାଣନ୍ତିନି!

ରଙ୍ଗ ଉପରେ ରଙ୍ଗ ବୋଳି ଲୁଟ୍‌ ମସୁଧା, ତନାଘନା ପରେ କାମ ବନ୍ଦ

ଯାଜପୁରସଦର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଙ୍ଗ ଉପରେ ରଙ୍ଗ ବୋଳି ଟଙ୍କା ହରିଲୁଟ୍‌ ପାଇଁ ମସୁଧା ଚାଲିଥିଲା। ସାଧାରଣ ଲୋକଙ୍କ ଅଭିଯୋଗ ପରେ ଏହାର ସତ୍ୟାସତ୍ୟ ଯାଞ୍ଚ କରିଥିଲା ‘ସମ୍ବାଦ’ ଟିମ୍। ତେବେ ଆଳୁ ଖୋଳୁଖୋଳୁ ମହାଦେବ ମିଳିବା ପରି ଏହି ଘଟଣାରେ ବଡ଼ ଘୋଟାଲା ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ନିଜ କାର୍ଯ୍ୟାଳୟରେ ଚାଲିଥିବା କାର୍ଯ୍ୟ ସଂପର୍କରେ ଅଜ୍ଞ ଥିବାବେଳେ ବିନା ସୂଚନା ଓ ବିନା ଟେଣ୍ଡର‌ରେ ପୂର୍ତ୍ତ ବିଭାଗ  ଠିକାଦାରଙ୍କୁ କାମ ଟେକିଦେବା ଘଟଣା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଙ୍ଗ ଉପରେ ରଙ୍ଗ ବୋଳି ପ୍ରାୟ ୩୦ ଲକ୍ଷ ଟଙ୍କାର ଚଳୁ ପାଇଁ ଉଦ୍ୟମ କରାଯାଉଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଗୃହ ଗୁଡ଼ିକୁ ମରାମତି କରାନଯାଇ ଭଙ୍ଗା କାନ୍ଥ ଉପରେ ରଙ୍ଗ ବୋଳା ଯାଉଥିଲା। ଭଙ୍ଗା ଘରଗୁଡ଼ିକର ମରାମତି ପରେ ରଙ୍ଗ ଦେବାର ନିୟମ ରହିଛି। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ନିୟମକୁ ସଂପୂ୍ର୍ଣ ଅଣଦେଖା କରାଯାଇଛି। ଏପରିକି ଚିକିତ୍ସାଳୟ କାନ୍ଥରେ ଲାଗିଥିବା ବିଭିନ୍ନ ବ୍ୟାନର ଓ ପୋଷ୍ଟରକୁ ନକାଢ଼ି ରଙ୍ଗ ବୋଳା ଚାଲିଛି। ଆଉ କେତେକ ସ୍ଥାନରେ ରଙ୍ଗା ମରାଯିବା ପରେ ଭଙ୍ଗାକାନ୍ଥ ମରାମତି କରାଯାଉଛି। ଏଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସଂପର୍କୀୟ ଠାରୁ ଏସଂପର୍କରେ ସୂଚନା ପାଇବା ପରେ ‘ସମ୍ବାଦ’ ଟିମ୍‌ ସ୍ଥିତି ପରଖିଥିଲା।

ଅନ୍ୟପକ୍ଷରେ, ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକଙ୍କୁ ପଚାରିବାରୁ ସେ ତାଙ୍କ କାର୍ଯ୍ୟାଳୟ ଭିତରେ ଚାଲିଥିବା ଏହି କାର୍ଯ୍ୟ ସଂପର୍କରେ ଆଦୌ ଜାଣିନଥିବା କହିଛନ୍ତି। ଏହିକାର୍ଯ୍ୟ ଯାଜପୁର ପୂର୍ତ୍ତ ଡିଭିଜନ ପକ୍ଷରୁ ପରିଚାଳନା କରାଯାଉଥିବା ବେଳେ ବିନା ଟେଣ୍ଡରରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‌ ପାଇଁ ଉଦ୍ୟମ କରାଯାଇଛି। ତାଙ୍କୁ ଅନ୍ଧାରରେ ରଖି ରଙ୍ଗମରା କାର୍ଯ୍ୟ ଚାଲିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ସହ‌କାରୀ ଯନ୍ତ୍ରୀ ଅଶୋକ ଲେଙ୍କାଙ୍କୁ ପଚାରିବ‌ାରୁ ଅଭିଯୋଗକୁ ଏଡ଼ାଇ ଯାଇଥିଲେ।

ଅନ୍ୟପକ୍ଷରେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବାରିକ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତରୁଣ ପଟ୍ଟନାୟକଙ୍କୁ ଅବଗତ କରାଇବା ସହ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ନଜଣାଇ କିମ୍ବା ବିନା ଟେଣ୍ଡରରେ ଏହି କାର୍ଯ୍ୟ କିପରି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର