୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !

ମାଞ୍ଚେଷ୍ଟର: ଅନଲାଇନରେ କାର୍ ବୁକିଂ ସୁବିଧା ଦ୍ଵାରା ଲୋକମାନେ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛନ୍ତି। ପୁଣି ସାଧାରଣ ଗ୍ରାହକମାନେ କମ୍ ଖର୍ଚ୍ଚରେ ବିନା ଅସୁବିଧାରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁଛନ୍ତି। କିନ୍ତୁ ବେଳେବେଳେ ଅନଲାଇନରେ କାର୍ ବୁକିଂ କରି ଲୋକମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଆନ୍ତି । ସବୁଠାରୁ ଅଧିକ ଅସୁବିଧା ଓଭର ଚାର୍ଜିଂକୁ ନେଇ ହୋଇଥାଏ । ଏପରି ଓଭର ଚାର୍ଜିଂର ଶିକାର ହୋଇଛନ୍ତି ଇଂଲଣ୍ଡର ଜଣେ ଯୁବକ । ତାଙ୍କ ଠାରୁ ମାତ୍ର ୧୭ କିଲୋମିଟରର ଯାତ୍ରା ପାଇଁ ଏତେ ଅଧିକ ଟଙ୍କା ଦାବି କରି ନିଆଯାଇଥିଲା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ରିପୋର୍ଟ ଅନୁସାରେ, ମାଞ୍ଚେଷ୍ଟର ସିଟିରେ ସାମ୍ ଜର୍ଜ ନାମକ ଯୁବକ ନିଜ ପରିବାର ସହିତ ରହନ୍ତି। ୨୭ ଡିସେମ୍ବର ଦିନ ସେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିବା ପାଇଁ ଯୋଜନା କରିଥିଲେ । ତେବେ ନାଇଟ୍ କ୍ଲବରେ ପାର୍ଟି କରୁକରୁ ଯଥେଷ୍ଟ ବିଳମ୍ବ ହୋଇଯାଇଥିଲା । ଘରକୁ ଫେରିବା ପାଇଁ ସାମ୍ ଫୋନରେ ଅଲଗା ଅଲଗା କମ୍ପାନୀର କ୍ୟାବଗୁଡିକୁ ଖୋଜିବାରେ ଲାଗିପଡିଲେ, କିନ୍ତୁ କ୍ୟାବ ମିଳିଲା ନାହିଁ । ବହୁତ କଷ୍ଟରେ ଉବରର ଏକ ଏସୟୁଭି ମିଳିଲା । ରାତି ଅଧିକ ହେବାରୁ ସେ ସେହି କ୍ୟାବକୁ ବୁକ୍ କରି ଦେଇଥିଲେ । ଘରକୁ ପହଞ୍ଚିବା ପରେ ସେ ଯେତେବେଳେ ଏସୟୁଭିର ଭଡା ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସାମଙ୍କୁ ୧୦ ହଜାର ଟଙ୍କା ଭଡା ମଗାଯାଇଥିଲା । ସାମଙ୍କ କହିବା ଅନୁସାରେ କ୍ଲବଠାରୁ ତାଙ୍କ ଘରର ଦୂରତ୍ଵ ୧୭ କିଲୋମିଟର ଥିଲା । ବିଳାସମୟ କାରର ଭଡା ବି ଯଦି ଯୋଡାଯାଏ ତେବେ ବି ୧୭ କିଲୋମିଟର ପାଇଁ ଏତେ ଅଧିକ ଟଙ୍କା ଭଡା ହୁଏ ନାହିଁ । ଅନ୍ୟପକ୍ଷରେ ଉବର ପକ୍ଷରୁ କୁହାଯାଇଛି ଯେ କାର୍ ବୁକ୍ କରିବା ସମୟରେ ହିଁ ଏକ ସମ୍ଭାବ୍ୟ ଭଡା ଦିଆଯାଇଥାଏ, ସାମଙ୍କ କ୍ଷେତ୍ରରେ ମଧ୍ୟ ଏପରି କରା ହୋଇଛି । କିନ୍ତୁ ବୁକିଂ କରିବା ସମୟରେ ସେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକମାନେ ସାମଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଲୋକେ କହୁଛନ୍ତି ସାମଙ୍କୁ ପୂର୍ବରୁ ହିଁ ଅନଲାଇନରେ ଭଡା ଦେଖିନେବାର ଥିଲା ।

ସମ୍ବନ୍ଧିତ ଖବର