ନଗଡ଼ାରେ ଗୁପ୍ତ ଟେଣ୍ଡର କେଳେଙ୍କାରୀ: ନୋଟିସ୍‌ର କଣ୍ଟ ପୂରୁଛି, ୩ ଯନ୍ତ୍ରୀଙ୍କ ଦେଖାନାହିଁ

ଠିକାଦାର ଗଲେ କୁଆଡ଼େ?

ଯାଜପୁର : ଅପପୁଷ୍ଟିକୁ ନେଇ ଅପନିନ୍ଦା ମୁଣ୍ଡାଇଥିବା ନଗଡ଼ାର ବିକାଶ ନାମରେ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର କେଳେ‌ଙ୍କାରୀ ପେଡ଼ି ଖୋଲିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ଆର୍‌ଡ଼ି ଦ୍ବାରା ହୋଇଥିବା ରାସ୍ତାରେ ୪୪ ଲକ୍ଷ ୨୦ ହଜାର ଟଙ୍କାର ୧୦ଟି ଗୁପ୍ତ ଟେଣ୍ଡର କେଳେଙ୍କାରୀ ବିଭାଗୀୟ ତଦନ୍ତ ବେଳେ ଧରାପଡ଼ିଛି। ଏବେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଯାଜପୁର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍‌ କରାଯାଇଛି। ୧୨ତାରିଖ ସୁଦ୍ଧା ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ୍‌ରେ କଣ୍ଟ ଦିଆଯାଇଛି। ସମୟସୀମା ଆଉ ୨ଦିନ ବାକି ଥିବାବେଳେ କୌଣସି ଅଧିକାରୀ ଏଯାବତ୍‌ ପୁଲିସ ନିକଟରେ ଆବଶ୍ୟକ ତଥ୍ୟ ପ୍ରଦାନ କରିନାହାନ୍ତି।

ଅନ୍ୟପକ୍ଷରେ, ସମ୍ପୃକ୍ତ ଠିକଦାର କୁଆଡ଼େ ଗଲେ ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଗୁପ୍ତ ଟେଣ୍ଡର କାରବାରରେ ନିର୍ଦ୍ଦିଷ୍ଟ ୩ ଜଣ ଠିକାଦାରକୁ ସାମିଲ୍‌ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟଜଣେ ଠିକାଦାରଙ୍କ ନାମରେ ୧୦ଟି ଗୁପ୍ତ ଟେଣ୍ଡର ଭାଗବଣ୍ଟା କରାଯାଇଛି। ଏହି ୨ଜଣ ଠିକାଦାରଙ୍କ ନାମରେ ଏତଲା କରାଯାଇ ନାହିଁ। ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ହୋଇଥିବା ତଦନ୍ତରେ ଦୁର୍ନୀତି ଧରାପଡ଼ିବା ସତ୍ତ୍ବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏକ ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ପୁଲିସ ସତର୍କତା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁପ୍ତ ଟେଣ୍ଡର ସମ୍ପର୍କିତ କାଗଜପତ୍ର ଯୋଗାଡ଼ରେ ଲାଗିଛି। ଯେଉଁଥିପାଇଁ, ନଗଡ଼ାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ସାମିଲ ଥିବା ଅସାଧୁମେଣ୍ଟ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ନଗଡ଼ାକୁ ରାସ୍ତା ନିର୍ମାଣ ପାଇଁ ଡିଏମ୍‌ଏଫ୍‌ରୁ ୨ ଟି ଟେଣ୍ଡର ଓ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରାସ୍ତା କାମକୁ ସଂପୂର୍ଣ୍ଣ କରିବାକୁ ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ମରାମତି ପାଇଁ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇ ୪୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିଧିବଦ୍ଧ ତଦନ୍ତରେ ଗୁପ୍ତଟେଣ୍ଡର ଗୁପ୍ତ କାରବାର ଧରାପଡ଼ିଛି। ସରକାର ଅନ୍ ଲାଇନ ଟେଣ୍ଡରକୁ ଗୁରୁତ୍ବ ଦେଉଥିବାବେଳେ ଆଇନର ଫାଙ୍କରେ ଏହି ଡିଭିଜନରେ ଶହଶହ ସଂଖ୍ୟାରେ ଗୁପ୍ତ ଟେଣ୍ଡର କରାଯାଇଛି।

ସମ୍ବନ୍ଧିତ ଖବର