ବଦଳୁଛି ରାୟଗଡ଼ା ରାଜନୀତି ସମୀକରଣ: ଭାସ୍କରଙ୍କ ବାସଭବନରେ ମକରନ୍ଦ

୧୨ ବର୍ଷର ରାଜନୈତିକ ଲଢ଼େଇରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ଝୋଡ଼ିଆଙ୍କ ପାଇଁ ଏକାଠି ଲଢ଼ିବାକୁ କଲେ ଆଲୋଚନା

ରାୟଗଡ଼ା : ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ଦୁଇ ବିରୋଧୀ ଭାବେ ଲଢ଼ିଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନ କିନ୍ତୁ ଏକାଠି ଲଢ଼ିବେ। ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ଏମିତି ଚର୍ଚ୍ଚା। ଗୋଟିଏ ଛାତ ତଳେ ଭାସ୍କର-ମକରନ୍ଦଙ୍କ ଆଲୋଚନା ରାୟଗଡ଼ା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏଥି ସହିତ ୧୨ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ିବା ନେଇ ପଥ ପରିଷ୍କାର ହୋଇଛି।

ଦୀର୍ଘ ୪୫ ବର୍ଷ ହେଲା ରାୟଗଡ଼ା ରାଜନୀତିରେ ଅଣକଂଗ୍ରେସ ଦଳର ମଙ୍ଗ ସମ୍ଭାଳି ଆସୁଛନ୍ତି ସାଂସଦ ଏନ୍. ଭାସ୍କର ରାଓ। କଂଗ୍ରେସ ଗଡ଼ରେ ବିଜେଡି ବାନା ଉଡ଼ାଇବାରେ ଭାସ୍କରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବିରୋଧୀ କଂଗ୍ରେସ, ବିଜେପି ସହ ବିଏସ୍‌ପିର କଡ଼ା ଟକ୍କାର ସତ୍ତ୍ବେ ୨୦୦୦ ବିଧାନସଭା ନିର୍ବାଚନ ପରଠୁ ୩ଥର (୨୦୦୦, ୨୦୦୯, ୨୦୧୪) ରାୟଗଡ଼ା ବିଧାନସଭା‌ ଆସନରେ ବିଜେଡି ବିଜୟୀ ହୋଇଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ବିଜୟୀ ରାସ୍ତାରେ କଂଗ୍ରେସ କଣ୍ଟା ହୋଇଥିବାବେଳେ ଏହାର ଫାଇଦା ଉଠାଇଥିଲେ ମକରନ୍ଦ। କଂଗ୍ରେସରୁ ଟିକେଟରୁ ବଞ୍ଚିତ ମକରନ୍ଦ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେଡିର ଅସନ୍ତୁଷ୍ଟ ନେତା କୃଷ୍ଣ ମହାପାତ୍ରଙ୍କ ଗୋଟି ଚାଳନାରେ ୪ ହଜାର ଭୋଟ ବ୍ୟବଧାନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ୍ ନେତା ଲାଲ୍ ବିହାରୀ ହିମିରିକାଙ୍କୁ ପରାଜିତ କରିଥିଲେ। ଏହା ପୂର୍ବରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ କାଶୀପୁର ବ୍ଲକ୍ ବିଜେଡି ହାତରୁ ଛଡ଼ାଇ ନେବା ଏବଂ ୩ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨ ଜୋନ୍‌ରେ ବିଜେଡିକୁ ପରାଜୟର ରାସ୍ତା ଦେଖାଇବାରେ ମୁଖ୍ୟ ବିନ୍ଧାଣି ସାଜିଥିଲେ ମକରନ୍ଦ ଓ କୃଷ୍ଣ ମହାପାତ୍ର।

୨୦୦୪ ବିଧାନସଭା ନିର୍ବାଚନରେ କାଶୀପୁର ବ୍ଲକ୍ ରାୟଗଡ଼ା ବିଧାନସଭା ଆସନ ଅଧୀନରେ ନଥିଲେ ମଧ୍ୟ ଶିଳ୍ପାନୁଷ୍ଠାନକୁ ବିରୋଧ, ଜଳ-ଜମି-ଜଙ୍ଗଲର ସୁରକ୍ଷା, ଚାଷୀ ଆନ୍ଦୋଳନରେ ମକରନ୍ଦ ନେତୃତ୍ବ ନେଇ ବିଜେଡି ନେତୃବୃନ୍ଦ ଓ ସରକାରଙ୍କୁ ବିରୋଧ କରି ଆସୁଥିଲେ। ଯାହା ପରୋକ୍ଷରେ ଭାସ୍କରଙ୍କ ସଂଗଠନକୁ ହିଁ କ୍ଷତି ପହଞ୍ଚାଉଥିଲା। ୨୦୦୯ ସୀମା ପୁନଃନିର୍ଦ୍ଧାରଣ ପରେ କାଶୀପୁର ବ୍ଲକ୍ ରାୟଗଡ଼ା ବିଧାନସଭାରେ ସାମିଲ୍ ହେବା ପରେ ଉଭୟଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ଜୋରଦାର୍ ହୋଇଥିଲା। ୨୦୧୪ରେ କଂଗ୍ରେସ ଟିକେଟରୁ ହାରିଥିବା ମକରନ୍ଦ ୨୦୧୯ ବିଧାନସଭା ନିର୍ବାଚନରେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହେବା ପରେ କିନ୍ତୁ ଆଭିମୁଖ୍ୟ ବଦଳାଇ ରାଜ୍ୟ ସରକାରଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାୟଗଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟସ୍ତରୀୟ ବିଜେଡି ନେତୃବୃନ୍ଦଙ୍କୁ ସମର୍ଥନ ଦେଉଥିବା ମକରନ୍ଦ ଜିଲ୍ଲାସ୍ତରରେ ବିଜେଡିର କୌଣସି ତୁଙ୍ଗନେତାଙ୍କ ସହ ମିଶୁନଥିଲେ। ପଞ୍ଚାୟତ ନିର୍ବାଚନ ପାଖେଇବା ପରେ ମକରନ୍ଦଙ୍କ ଆଭିମୁଖ୍ୟ ବଦଳିବା ସହ ବିଜେଡିର ତୁଙ୍ଗ ନେତାଙ୍କ ସହ ମିଳାମିଶାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବରୁ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ମକରନ୍ଦ ମିଶୁଥିବା ବେଳେ ଆଜି ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ପହଞ୍ଚିବା ବିଜେଡି କର୍ମୀ ମହଲରେ ଭ୍ରୁକଞ୍ଚନ ସୃଷ୍ଟି କରିଛି। ୧୯୯୭ ମସିହା ପରଠୁ କାଶୀପୁରରେ ବାସ କରୁଥିବା ଝୋଡ଼ିଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନରେ କେନ୍ଦ୍ର ସରକାର ଅବହେଳା କରୁଥିବାରୁ ଏକାଠି ଲଢ଼ିବା ନେଇ ଆଜି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର