ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ଭରସା
ରୋଗୀଙ୍କୁ ମିଳୁନି ଥଣ୍ଡା ଔଷଧ
ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡି ଚାଲିଛି କରୋନା। ତା’ ସାଙ୍ଗକୁ ଥଣ୍ଡା, ଜ୍ବର ବି ବଢ଼ୁଛି। ଶୀତ ସାଙ୍ଗକୁ ବର୍ଷା ପାଗ ହୋଇଥିବାରୁ ପ୍ରତି ଘରେ ଘରେ ଏବେ ଥଣ୍ଡା ରୋଗୀ। କଲୋନିଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ସମାନ ଚିତ୍ର। ସହରରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ବେଳେ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ରୋଗୀଙ୍କ ଭିଡ଼ ଜମୁଛି। ଜ୍ବର, ଥଣ୍ଡା ସମେତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ରୋଗୀ ମେଡ଼ିକାଲ ଆସୁଛନ୍ତି। ମାତ୍ର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ରୋଗୀଙ୍କୁ ଦେଖୁଛନ୍ତି। ଔଷଧ ବି ଲେଖୁଛନ୍ତି। ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ସପ୍ତାହଠାରୁ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ୩୦ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ବିଶେଷକରି ବସ୍ତିବାସିନ୍ଦାଙ୍କ ଲାଗି ଏହି ସ୍ବାସ୍ଥ୍ୟକେନ୍ଦ୍ର ଲାଇଫ୍ ଲାଇନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଲୁମ୍ବିନୀ ବିହାର ସମେତ ଆଦର୍ଶ ବସ୍ତି, କେୟାର କଲୋନି, ଈଶାନେଶ୍ବର ବସ୍ତି, ସୋମନାଥ ବସ୍ତି, ହରେକୃଷ୍ଣ ନଗର, ପଣ୍ଡା ପାର୍କ, ରିକ୍ସା କଲୋନି, ସାଇନ୍ସ ପାର୍କ ବସ୍ତି, ଓମ୍ଫେଡ୍ ବସ୍ତି, ମଙ୍ଗଳା ବସ୍ତି, ପ୍ରଗତି ବସ୍ତି ଆଦି ଅଞ୍ଚଳର ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ଏହି ଅଞ୍ଚଳରେ ଏକାଧିକ ଘରୋଇ ମେଡିକାଲ ଥିଲେ ମଧ୍ୟ ସେଠାକୁ ରୋଗୀ ଯାଉନାହାନ୍ତି। ବରଂ ମାଗଣା ସେବା ପାଇଁ ସରକାରୀ ମେଡିକାଲ ଉପରେ ଭରସା କରନ୍ତି। ଯେଉଁଥିପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏଠାରେ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏବେ ପ୍ରତିଦିନ ରୋଗୀ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଫାର୍ମାସିଷ୍ଟ ଜଣକ ଏବେ ରୋଗୀ ଦେଖୁଛନ୍ତି। ମାତ୍ର ତାଙ୍କ ସେବା ଉପରେ ଭରସା କରିପାରୁ ନାହାନ୍ତି ରୋଗୀ। ଡାକ୍ତରଙ୍କୁ ଖୋଜି ମେଡିକାଲରୁ ଫେରୁଛନ୍ତି।
ଗୋଟିଏ ପଟେ ଥଣ୍ଡା, ଜ୍ବର ମାଡ଼ୁଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଏବେ ମାଗଣା ମେଡିସିନ୍ ବି ଉପଲବ୍ଧ ହେଉ ନାହିଁ। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମାଗଣା ଔଷଧ ମିଳିବା ଆଶାରେ ରୋଗୀ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ୧୫ଦିନ ହେଲା ସେଟ୍ରିଜିନ୍ ଔଷଧ ନାହିଁ। ଯେଉଁଥିପାଇଁ ରୋଗୀ ବାଧ୍ୟ ହୋଇ ବାହାରୁ ଚଢ଼ା ଦରରେ ଔଷଧ କିଣୁଛନ୍ତି। ଅଞ୍ଚଳବାସୀଙ୍କ ଲାଗି ଏହି ସ୍ବାସ୍ଥ୍ୟ କେନ୍ଦ୍ର ଗୁରୁତ୍ବ ବହନ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାକୁ ଅଣଦେଖା କରିଚାଲିଛି। କରୋନା ବଢ଼ୁଥିବା ସମୟରେ ହଠାତ୍ ଡାକ୍ତରଙ୍କ ବଦଳି ପଛରେ କ’ଣ କାରଣ ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାରମ୍ବାର ଚିଠି ଲେଖାଯାଉଥିଲେ ମଧ୍ୟ ଥଣ୍ଡା, ଜ୍ବର ଔଷଧ ଉପଲବ୍ଧ ନ କରାଇବା ପଛର କ’ଣ କାରଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ମେଡିସିନ୍ ମିଳୁ ନଥିବା କଥାକୁ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସ୍ବୀକାର କରିଥିଲେ ମଧ୍ୟ ତାଙ୍କ ପରାମର୍ଶ ରୋଚକ ଥିଲା। ‘ସମ୍ବାଦ’କୁ କହିଥିଲେ ଯେ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଔଷଧ ମାଗଣା ଯୋଗାଇ ଦିଆଯାଉଛି। ତେବେ କିଛି ଦିନ ହେବ ସେଟ୍ରିଜିନ୍ ଔଷଧ ଉପଲବ୍ଧ ନାହିଁ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ଆସିଲେ ଆମେ ଯୋଗାଇ ଦେବୁ। ରୋଗୀ ୩୦ ଟଙ୍କା ଦେଇ ବାହାରୁ ମେଡିସିନ୍ କିଣିପାରୁନାହାନ୍ତି ଯେ ଅଭିଯୋଗ କରୁଛନ୍ତି। ଡାକ୍ତର ନ ଥିଲେ ମଧ୍ୟ ରୋଗୀ ସେବାରେ କୌଣସି ଅସୁବିଧା ହେଉ ନାହିଁ। ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଦେଖି ଔଷଧ ଲେଖି ଦେଉଛି।