ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

ରାଜ୍ୟ ନିର୍ବାଚନ କମିସନଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ଏହାସହ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୁରୁଖୁରରେ ନିର୍ବାଚନ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମୋଟ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ । ଯେଉଁଥିପାଇଁ ହଜାର ହଜାର ସରକାରୀ କର୍ମଚାରୀ ନିୟୋଜିତ ହେବେ। ତେବେ ଏହି କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ। ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶି ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିସନ।

ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ, ବୋମା ବିସ୍ଫୋରଣ, ସଂଘବଦ୍ଧ ଆକ୍ରମଣରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ମୃତ୍ୟୁବରଣ କଲେ ଏହି ଅନୁକମ୍ପା ରାଶି ଦିଆଯିବ। ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କା, ହିଂସାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଦିବ୍ୟାଙ୍ଗ ହୋଇଗଲେ ୧୫ ଲକ୍ଷ, ଯେପରିକି ଆଖି ନଷ୍ଟ ହୋଇଗଲେ ୧୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟ କାରଣରୁ ଯେପରିକି କୌଣସି ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗ ହୋଇଗଲେ ସାଢେ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ।

ନିର୍ବାଚନ ଡ୍ୟୁଟି ସମୟରେ ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ମିଳିବ। ଏହାବାଦ୍ ନିର୍ବାଚନ ଡ୍ୟୁଟି କରୁଥିବା କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ସେହିଭଳି କରୋନାରେ ଆକ୍ରାନ୍ତ ହେଲେ ମାଗଣାରେ ସମସ୍ତ ଚିକିତ୍ସା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। କରୋନା କାଳରେ ନିର୍ବାଚନ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାବାଦ୍ ନିର୍ବାଚନ ସମୟରେ ଡ୍ୟୁଟିରେ ଥିବା ଅଧିକାରୀ ଅନେକ ସମୟରେ ହିଂସାକାଣ୍ଡର ଶିକାର ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହାଛଡା ସରକାରୀ କର୍ମଚାରୀଙ୍କ ବ୍ୟତୀତ ନିର୍ବାଚନ ଡ୍ୟୁଟିରେ ଥିବା ବେସରକାରୀ ଗାଡ଼ି ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର