ରାଜ୍ୟମାନଙ୍କୁ ଅତିରିକ୍ତ ୪୭ ହଜାର କୋଟିର ଟିକସ ଭାଗ ଦେଲେ କେନ୍ଦ୍ର ସରକାର, ଓଡ଼ିଶା ପାଇବ ୨୧୫୨ କୋଟି

ନୂଆଦିଲ୍ଲୀ : ରାଜ୍ୟ ଗୁଡ଼ିକୁ ନୂଆବର୍ଷ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟମାନଙ୍କୁ ଟିକସ ଭାଗର ୨ୟ ଅଗ୍ରୀମ କିସ୍ତୀ ପ୍ରଦାନ ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଛନ୍ତି । ୨ୟ ଅଗ୍ରୀମ କିସ୍ତିରେ ରାଜ୍ୟମାନଙ୍କୁ ମୋଟ ୪୭,୫୪୧ କୋଟି ଟଙ୍କା ପ୍ରଦାନ କରାଯିବ । ଜାନୁଆରିରେ ମିଳିବାକୁ ଥିବା ୪୭,୫୪୧ କୋଟିର ନିୟମିତ ଟିକସ ଭାଗ ସହ ଅତିରିକ୍ତ ଭାବେ ଏହି ଅଗ୍ରୀମ ରାଶି ମିଶାଇ ମୋଟ ୯୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।

ନିୟମିତ କିସ୍ତି ଓ ଅଗ୍ରୀମ କିସ୍ତି ବାବଦରେ ଓଡ଼ିଶା ପ୍ରାୟ ୨୧୫୨.୬୬ କୋଟି ଟଙ୍କା ଲେଖାଏ ପାଇବ । ଏଣୁ ନିୟମିତ ଓ ଅଗ୍ରୀମ କିସ୍ତିକୁ ମିଶାଇ ଚଳିତ ମାସରେ ଓଡ଼ିଶା ମୋଟ ୪୩୦୫.୩୨ କୋଟି ଟଙ୍କା ପାଇବ ।

କେନ୍ଦ୍ର ସରକାର ଗତ ନଭେମ୍ବର ୨୨ରେ ଟିକସ ଭାଗର ପ୍ରଥମ ଅଗ୍ରୀମ କିସ୍ତି ରାଜ୍ୟମାନଙ୍କୁ ପ୍ରଦାନ କରିଥିଲେ । ଏହି ଦୁଇ କିସ୍ତିକୁ ମିଶାଇ ରାଜ୍ୟମାନେ ଜାନୁଆରି ସୁଦ୍ଧା ଅତିରିକ୍ତ ୯୦,୦୮୨ କୋଟି ଟଙ୍କା ପାଇସାରିଲେଣି ।

ଅନ୍ୟପକ୍ଷରେ ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଋଣ ଆକାରରେ ୧.୫୯ ଲକ୍ଷ କୋଟି ପ୍ରଦାନ କରିସାରିଛନ୍ତି । ମହାମାରୀ ସମୟରେ ରାଜ୍ୟମାନଙ୍କୁ ଅତିରିକ୍ତ ସମ୍ବଳ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର