ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ଘଟଣା: ପୁଲିସ-ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ, ୨ ପ୍ଲାଟୁନ ପୁଲିସ ମୁତୟନ

ବାଲେଶ୍ୱର: ଗତ ଜାନୁଆରି ୩୧ରେ ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରି ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ସମାରେହରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାକୁ ନେଇ ଶନିବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଓ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଭିତରେ ମୁହାଁମୁହିଁ ପରିସ୍ଥତି ହୋଇଛି। ଅଣ୍ଡାମାଡ଼ ଘଟଣାରେ ସଂପୃକ୍ତ ରାଜଶ୍ରୀ କାମିଳାଙ୍କ ଚିକିତ୍ସା ଚାଲିଥିବା ବେଲେ ତାଳସାରି ମେରାଇନ୍‌ ପୁଲିସ ବାଲେଶ୍ୱର ହସ୍ପିଟାଲକୁ ଆସିଥିଲା। ରାଜଶ୍ରୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନ ଥିବା ସତ୍ତ୍ୱେ ପୁଲିସ ହସ୍ପିଟାଲରୁ ଏକ ଷ୍ଟ୍ରେଚରରେ ନେଇ ଯାଇଥିଲା। ଏହାକୁ ବିଜେପି ମହିଳା ମୋର୍ଚ୍ଚା ବିରୋଧ କରିଛି।

ହସ୍ପିଟାଲରେ ଉତ୍ତେଜନା ଦେଖା ଦେବାରୁ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବିଜେପି ଅଭିଯୋଗ ଆଣିଛି ଯେ, ମହିଳା ଜଣକ ସଂମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି।  ଅପରପକ୍ଷେ ହସ୍ପିଟାଲର ଡାକ୍ତର ସୁସ୍ଥ ବୋଲି କହିଛନ୍ତି। ଯଦି ମହଳା ଜଣକ ସୁସ୍ଥ ଅଛନ୍ତି, ତେବେ ପୁଲିସ ମହିଳାଙ୍କୁ କାହିଁକି ଷ୍ଟ୍ରେଚରରେ ନେଇଥିଲା ମୋର୍ଚ୍ଚା ଅଭିଯୋଗ ଆଣିଛି। ମହିଳା ମୋର୍ଚ୍ଚାର ସଚିବ ଶୋଭନା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିପ୍ରା ବାଜପେୟୀ, ଜିଲ୍ଲା ସଭାପତି ସୁଷମା ବିଶ୍ୱାଲ, ଜିଲ୍ଲା ସଭାପତି କମଳା ବିନ୍ଧାଣୀ ଓ ନଗର ସଭାପତି ସିପ୍ରା ଦାସ ଏହି ଘଟଣାକୁ ବିରୋଧ କରିଥିଲେ।

ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରି ମହୋତ୍ସବର ଉଦ୍‌ଘାଟନ ସମାରୋହରେ ଗତ ଜାନୁଆରି ୩୧ରେ ରାଜଶ୍ରୀ କାମିଳା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାକୁ ଅଣ୍ଡାମାଡ଼ କରିଥିଲେ। ଏହି ଅଭିଯୋଗରେ ପୁଲିସ ସଂପୃକ୍ତ ମହିଳାମାନଙ୍କୁ ଗିରଫ କରିଥିଲା। ନବୀନ ମହୋତ୍ସବର ଉଦ୍‌ଘାଟନୀ ଭାଷଣ ପ୍ରଦାନ କରିବାର ୨ ମିନିଟ୍‌ ପରେ ବ୍ୟାରିକେଡ଼ ବାହାରେ ଥିବା ଭିଡ଼ ଭିତରୁ ମହିଳା ଜଣକ ଅଣ୍ଡା ଫିଙ୍ଗି ଥିଲେ। ଅଣ୍ଡା ଗୁଡ଼ିକ ଯଦିଓ ନବୀନଙ୍କ ଦେହରେ ବାଜି ନ ଥିଲା, ତଥାପି ମଞ୍ଚ ଉପରେ ପଡ଼ିଥିଲା। ଅଭିଯୋଗ ହୋଇଥିଲା ଯେ, ମହିଳାଙ୍କୁ ଆକ୍ରମଣାନ୍ତକ ମାଡ଼ ହୋଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର