ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଆକାଶଗଙ୍ଗା (ମିଲ୍କି ୱେ ଗ୍ୟାଲେକ୍ସି)ରେ ପାଖାପାଖି ହଜାରେ ରହସ୍ୟମୟ ଉଜ୍ଜ୍ବଳ ସୂତା ସଦୃଶ ରଶ୍ମୀ ଦେଖିବାକୁ ପାଇଛନ୍ତି। ଏହି ସୂତାଗୁଡିକୁ ବୈଜ୍ଞାନିକ ଭାଷାରେ ‘ରେଡିଓ ଫିଲାମେଣ୍ଟ୍ସ’ କୁହାଯାଏ। ପୃଥିବୀର ସବୁଠୁ ବଡ ରେଡିଓ ଟେଲିସ୍କୋପ୍ ମୀର୍-କ୍ୟାଟ୍ ଦ୍ଵାରା ଏହା ଆବିଷ୍କୃତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଜ୍ଞାନିକଙ୍କ ଅନୁସାରେ ଏହି ରେଡିଓ ଫିଲାମେଣ୍ଟ ପ୍ରକୃତରେ ରେଡିଓ ଏନର୍ଜିର ବିସ୍ଫୋରଣ ଦ୍ଵାରା ସୃଷ୍ଟି ହୋଇଛି। ଏଗୁଡ଼ିକ ୧୫୦ ଆଲୋକ ବର୍ଷ(୧ ଆଲୋକ ବର୍ଷ ୯.୪୬ ଟ୍ରିଲିୟନ କିଲୋମିଟର ସହ ସମାନ) ଅବଧି ବିଶିଷ୍ଟ ଅଟନ୍ତି। ଦେଖିଲେ ଲାଗିଥାଏ ଯେପରି ଏଗୁଡିକ ମହାକାଶରେ ମସ୍ତିଷ୍କର ଶୀରାପ୍ରଶିରା ପରି ବିସ୍ତାରିତ ହୋଇଛନ୍ତି। ଏହି ସୂତାଗୁଡିକର ଆକାର ଆମର ଡିଏନଏ ଭଳି । ଏଥିରେ ଏନର୍ଜି ଥିବା ଯୋଗୁଁ ଏଗୁଡିକ ସବୁବେଳେ ଉଜ୍ଜ୍ବଳ ଦେଖାଯାଆନ୍ତି।
ବୈଜ୍ଞାନିକଙ୍କ ସୂଚନା ଅନୁସାର ରେଡିଓ ଫିଲାମେଣ୍ଟ୍ସର ଆଖପାଖରେ ଶହଶହ କୋଟି ଇଲେକ୍ଟ୍ରୋନ୍ସ ଘୁରି ବୁଲୁଥାନ୍ତି। ଏମାନଙ୍କର ନିଜର ବୈଦ୍ୟୁତିକ କ୍ଷେତ୍ର ରହିଥାଏ। ଏଥିଯୋଗୁଁ ଏଗୁଡିକ ଆଲୋକୀୟ ବେଗରେ ଗତି କରିଥାଆନ୍ତି। ଗବେଷକମାନେ ୩୫ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଏହି ଫିଲାମେଣ୍ଟ୍ସଗୁଡ଼ିକୁ ଦେଖିଥିଲେ। ସେମାନଙ୍କ ଅନୁସାରେ ମିଲ୍କିଓ୍ଵେରେ ଏହାଠାରୁ ୧୦ଗୁଣ ଅଧିକ ରେଡିଓ ଫିଲାମେଣ୍ଟ୍ସ ଥାଇପାରନ୍ତି।
ପୃଥିବୀର ସବୁଠାରୁ ବଡ ରେଡିଓ ଟେଲିସ୍କୋପ୍ ମୀର୍-କ୍ୟାଟ୍ ଦକ୍ଷିଣ ଆଫ୍ରିକାରରେ ଅଛି। ରେଡିଓ ଫିଲାମେଣ୍ଟ୍ସର ସ୍ପଷ୍ଟ ଫଟୋ ଉତ୍ତୋଳନ କରିବା ପାଇଁ ବୈଜ୍ଞାନିକମାନଙ୍କୁ ଏହି ଟେଲିସ୍କୋପରେ ୨୦୦ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା। ୬୪ଟି ଆଣ୍ଟିନା ସହ ୮ କିଲୋମିଟର ପ୍ରସାରିତ ହୋଇଥିବା ମୀର୍-କ୍ୟାଟ୍ ପୃଥିବୀର ସବୁଠାରୁ ସୂକ୍ଷ୍ମ (ସେନ୍ସିଟିଭ୍) ଟେଲିସ୍କୋପ୍ ମଧ୍ୟ ଅଟେ।
ବୈଜ୍ଞାନିକମାନ ୨୦ଟି ଅଲଗା ଅଲଗା ରେଡିଓ ଅବଜରଭେସନ ଦ୍ଵାରା ମହାକାଶର ଯଥେଷ୍ଟ ବଡ ଅଂଶକୁ ଆୟତ୍ତ କରିପାରିଛନ୍ତି। ଏହି ଅଂଶ ଚନ୍ଦ୍ରଠାରୁ ୩୦ଗୁଣ ଅଧିକ ବଡ ଥିଲା। ଏହି ପଦ୍ଧତିକୁ ଅନୁସରଣ କରିବା ପରେ ଆକାଶଗଙ୍ଗାର ୧୦୦ ମେଗାପିକ୍ସେଲ ବିଶିଷ୍ଟ ସ୍ପଷ୍ଟ ଫଟୋ ଉତ୍ତୋଳନ କରାଯାଇ ପାରିଛି।
ଗବେଷଣାରେ ସାମିଲ ହୋଇଥିବା ବୈଜ୍ଞାନିକ ଫରହାଦ୍ ୟୁସୁଫ୍ ଜାଦେ କହିଛନ୍ତି, ରେଡିଓ ଫିଲାମେଣ୍ଟ୍ସର ଉତ୍ପତ୍ତି ଆକାଶଗଙ୍ଗାରେ କେବେ ହୋଇଥିଲା ତାହା ଜଣା ପଡିନାହିଁ। ଟେଲିସ୍କୋପରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହାର ଅନୁସନ୍ଧାନ କରାଯାଉଛି। ଏହି ଗବେଷଣା ଦ୍ଵାରା ଆକାଶଗଙ୍ଗାରେ ଥିବା ଅନ୍ୟ ରହସ୍ୟମୟ ପଦାର୍ଥଗୁଡିକ ବିଷୟରେ ମଧ୍ୟ ଆମେ ଜାଣିପାରିବା।