କୋହଲିଙ୍କ ଫର୍ମକୁ ନେଇ ରାଠୋର ଚିନ୍ତିତ ନାହାନ୍ତି

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଦୀର୍ଘ ଦିନ ହେବ ଶାନ୍ତ ରହିଛି। ଗତ ଦୁଇ ବର୍ଷ ଭିତରେ ଗୋଟିଏ ହେଲେ ବି ଶତକ ଅର୍ଜନ କରି ପାରି ନାହାନ୍ତି ସେ। ଏପରିକି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରେ ମଧ୍ୟ କୋହଲି ପୂରା ବିଫଳ ରହିଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଭାରତୀୟ କ୍ରିକେଟ୍ ଦଳ ବି ଏଥିଲାଗି ଢେର ପ୍ରଭାବିତ ହେଉଛି। ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ବିକ୍ରମ ରାଠୋର କିନ୍ତୁ ଏଥିଲାଗି ବିଶେଷ ଚିନ୍ତିତ ନାହାନ୍ତି। ବୁ

ଧବାରଠାରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଦେଇଥିବା ସାକ୍ଷାତକାରରେ ରାଠୋର କହିଛନ୍ତି ଯେ ଏଥିନେଇ ବିରାଟଙ୍କ ସହ ସ୍ବତନ୍ତ୍ର ଭାବେ ମୁଁ କୌଣସି ଆଲୋଚନା କରିନି। ମୁଁ ଭବୁନି ଯେ ସେ ଖରାପ ସମୟ ଦେଇ ଗତି କରୁଛନ୍ତି। କାରଣ ଗତବର୍ଷ ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ରେ ପ୍ରଚୁର ରନ୍ କରିଥିଲେ କୋହଲି। ହଁ, ମୁଁ ଏକଥା ସ୍ବୀକାର କରୁଛି ଯେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା। ହେଲେ ନେଟ୍ସରେ ସେ ଭଲ ବ୍ୟାଟିଂ କରୁଛନ୍ତି। ‌ଖୁବଶୀଘ୍ର ସେ ସଫଳ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି। ସୂଚନାଯୋଗ୍ୟ ୱଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ତିନିଟି ମ୍ୟାଚ୍‌ରେ କୋହଲି ୨୬ ରନ୍ (୮, ୧୮, ୦) କରିଥିଲେ। ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟି ଅର୍ଦ୍ଧଶତକ ସହ ତିନି ମ୍ୟାଚ୍‌ରୁ ୧୧୬ ରନ୍ କରିଥିଲେ କୋହଲି। ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଉଛି।

ସମ୍ବନ୍ଧିତ ଖବର