ସାତକୋଶିଆ ଅଭୟାରଣ୍ୟରେ ମାଈ ହାତୀ ମୃତ୍ୟୁ, ଘେରି ରହିଥିଲେ ହାତୀପଲ

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ସେପଟେ ମୃତ୍ୟୁ ହାତୀର ଆଜି ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସାତକୋଶିଆ ବନଖଣ୍ଡ ଟିକରପଡା ବନାଞ୍ଚଳ ଅନ୍ତର୍ଗତ ହାତୀବାରି ଗ୍ରାମ ସୀମା ଜଙ୍ଗଲ ନିକଟରେ କୌଣସି କାରଣରୁ ଏକ ମାଈ ହାତୀର ଗତ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିଲା। ତେବେ ଏହି ମୃତ୍ୟୁ ହାତୀର ଶବକୁ ବନ ବିଭାଗର କର୍ମଚାରୀ ମାନେ ଶନିବାର ରାତିରେ ଠାବ କରିଥିଲେ। ମୃତ୍ୟୁ ମାଈ ହାତୀର ବୟସ ପ୍ରାୟ ୫୦ବର୍ଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ସବୁବେଳେ ପେଟ୍ରୋଲିଂ କରାଯାଉଥିବା ବେଳେ ହାତୀ ମୃତ୍ୟୁର ପ୍ରାୟ ଦିନକ ପରେ ଏହାକୁ ଠାବ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆଲୋଚନାର ବିଷୟ ହୋଇଛି। ତେବେ ହାତୀ ମରି ପଡିଥିବା ସ୍ଥାନ ଠାରୁ ୧୧କେଭି ବିଦ୍ୟୁତ ତାର ମାତ୍ର ୫୦୦ ମିଟର ଦେଇ ଯାଇଥିବାରୁ ବିଦ୍ୟୁତ ଦ୍ଵାରା ଏହା ଶିକାର କରାଇଥିବା ସନ୍ଦେହ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ସାତକୋଶିଆ ଡିଏଫଓ ଡଃ. ସରୋଜ ପଣ୍ଡାଙ୍କୁ ଏନେଇ ପଚାରିବାରୁ ଏହାକୁ ସେ ଅସ୍ବୀକାର କରିଛନ୍ତି।

ମୃତ୍ୟୁ ହାତୀର ବାହ୍ୟ ଅଙ୍ଗରେ କୌଣସି ଚିହ୍ନ ବା ଜଳାପୋଡା ଦାଗ ନାହିଁ। ସେହିପରି ସେହି ସ୍ଥାନରେ କୌଣସି ବିଦ୍ୟୁତ ତାର ମଧ୍ୟ ଠାବ ହୋଇନଥିବା ଓ ଶୁକ୍ରବାର ରାତିରେ ସେହି ଅଞ୍ଚଳରେ ବିଦ୍ୟୁତ ବିଭାଗ ଦ୍ଵାରା ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଗତକାଲି ସନ୍ଧ୍ୟାରେ ବନ ବିଭାଗର କର୍ମଚାରୀ ମାନେ ଏହି ମୃତ୍ୟୁ ହାତୀକୁ ଠାବ କରିଥିଲେ। ସେହି ନିକଟରେ ହାତୀପଲ ମୃତ୍ୟୁ ହାତୀକୁ ଜଗି ରହିଥିବାରୁ ଆଜି ପ୍ରଥମେ ହାତୀପଲକୁ ଜଙ୍ଗଲ ଭିତରକୁ ଘଉଡାଯାଇଥିଲା। ପରେ ସାତକୋଶିଆର ବନ୍ୟପ୍ରାଣୀ ଚିକିତ୍ସିକ ଡାକ୍ତର କିଶୋର ସାହୁ ମୃତ୍ୟୁ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ତେବେ ହାତୀଟି କେଉଁ କାରଣରୁ ମୃତ୍ୟୁ ବରଣ କଲା ଶବ ବ୍ୟବଚ୍ଛେଦ ପରେ ହାତୀର ଆଭ୍ୟନ୍ତରୀଣ ଅଙ୍ଗର କିଛି ପାର୍ଟକୁ ଓଇଉଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ସାତକୋଶିଆ ଡିଏଫଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର