ଚଳିତ ବର୍ଷ ବିଦ୍ୟୁତ ଦର ବୃଦ୍ଧି ଲାଗି ଚାପ ପକାଉଛନ୍ତି ଉତ୍ପାଦନକାରୀ ଓ ବଣ୍ଟନକାରୀ କମ୍ପାନି

ଭୁବନେଶ୍ୱର: ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥା ବିଦ୍ୟୁତ ଦର ବଢାଇବା ଲାଗି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ଆବେଦନ କରିଛନ୍ତି । ସୋମବାରଠାରୁ ଏହାର ଶୁଣାଣି ଆରମ୍ଭ ହୋଇ ଫେବ୍ରୁଆରି ୧୩ ତାରିଖ ଯାଏଁ ଚାଲିବ। ଶୁଣାଣି ବେଳେ ସମସ୍ତ ଆବଦେନକାରୀ ନିଜର ପକ୍ଷ ରଖିବେ ।

ଦିନକୁ ଦିନ ବିଦ୍ୟୁତ ଉତ୍ପାଦନ ଓ କ୍ରୟ ଖର୍ଚ୍ଚ  ବଢି ବଢି ଚାଲିଛି । ବାର୍ଷିକ ଖର୍ଚ୍ଚ ମେଣ୍ଟାଇବା ପାଇଁ ଶୁଳ୍କ ୧୦ରୁ ୨୦ ପ୍ରତିଶତ ବଢାଇବା ଦରକାର ବୋଲି ଗ୍ରିଡକୋ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ବିଦ୍ୟୁତ ବଣ୍ଟନ କମ୍ପାନିଗୁଡିକ ବିଦ୍ୟୁତ କ୍ରୟ ବାବଦରେ ୬ ହଜାର ୬ ଶହ ୨୪ କୋଟି ପଇଠ କରିନାହାନ୍ତି । ରାଜ୍ୟରେ ମୋଟ ୬୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଲକ୍ଷ ଘରୋଇ ଉପଭୋକ୍ତା ଅଛନ୍ତି । ଗତବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଥିଲା । ପ୍ରଥମ ୫୦ ୟୁନିଟକୁ ବାଦ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବଢାଯାଇଥିଲା । ତେବେ ଏବେ ବିଦ୍ୟୁତ ଦର ବଢିବ କି ନାହିଁ ତାହା ଓଇଆରସିଙ୍କ ଉପରେ ନିର୍ଭର କରେ ।

ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନ କମ୍ପାନିଗୁଡିକ ବିଦ୍ୟୁତକ୍ରୟ ବାବଦରେ ୬ ହଜାର ୬ ଶହ ୨୪ କୋଟି ପଇଠ କରିନାହାନ୍ତି । ବିଦ୍ୟୁତ ବିଲ୍‌ ବାବଦରେ ବଣ୍ଟନ କମ୍ପାନି ୱେସ୍କୋ ଉପରେ ୧୮୧୧କୋଟି ଟଙ୍କା ବକେୟା ପଡିଥିବା ବେଳେ ନେସ୍କୋ ଉପରେ ୧୨୩୦ କୋଟି, ସାଉଥକୋ ଉପରେ ୧୦୫୯କୋଟି ଏବଂ ସେସୁ ଉପରେ ୨୪୨୨ କୋଟି ଟଙ୍କା ବକେୟା ରହିଛି ।

ଅନ୍ୟପକ୍ଷରେ ପୁରୁଣାକାଳିଆ ତାର ଓ ସବଷ୍ଟେସନ ଯୋଗୁ ରାଜ୍ୟରେ ପରିବହନ ଓ ବଣ୍ଟନ(ଟି ଆଣ୍ଡ ଡି) ଜନିତ କ୍ଷତି ବଢୁଛି। ଏହି କ୍ଷତି କମାଇବାକୁ ବଣ୍ଟନ କମ୍ପାନିଗୁଡିକ ଦୃଷ୍ଟି ଦେଉନାହାନ୍ତି। ଓଡିଶାରେ ଟି ଆଣ୍ଡ ଡି କ୍ଷତି ଏବେ ବି ୩୮ ପ୍ରତିଶତ ରହିଛି । ପଡୋଶୀ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଟି ଆଣ୍ଡ ଡି କ୍ଷତି ଯଥାକ୍ରମେ ୧୫.୨୪ ଓ ୧୬.୧ ପ୍ରତିଶତ ରହିଛି ।

ଗତ ବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଥିଲା । ପ୍ରଥମ ୫୦ ୟୁନିଟକୁ ବାଦ୍‌ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବୃଦ୍ଧି କରାଯାଇଥିଲା । ବିଦ୍ୟୁତ ଦର ଚଳିତ ବର୍ଷ ବୃଦ୍ଧି ପାଇବ କି ନାହିଁ ତାହା ଓଇଆରସିଙ୍କ ନିଷ୍ପତ୍ତି ଉପରେ ର୍ନିଭର କରେ।

ସମ୍ବନ୍ଧିତ ଖବର