ଟ୍ୱିଟର୍‌ ରାଣୀ ଦୀପାଙ୍କ କାହାଣୀ: ୫୦୦୦ ସମସ୍ୟାର କଲେଣି ସମାଧାନ

ଟ୍ବିଟ୍‌ କରି ହଜାରେ ଲୋକଙ୍କ କରାଇ ସାରିଛନ୍ତି ଭତ୍ତା
ତାଙ୍କ ସହାୟତାରେ ଫେରୁଛନ୍ତି ନିର୍ଯାତିତ ପ୍ରବାସୀ ଶ୍ରମିକ

ସମ୍ବଲପୁର : ତାଙ୍କ ଟ୍ବିଟ୍ ଦେଖିଲା ମାତ୍ରେ ତତ୍ପର ହୋଇ ଉଠନ୍ତି ସରକାରୀ ଅଧିକାରୀ। ସଂପୃକ୍ତ ବିଭାଗ ବା ଅଞ୍ଚଳର ବାବୁମାନଙ୍କ ଭିତରେ ହଲଚଲ ଖେଳିଯାଏ। ବିଭାଗୀୟ ସଚିବ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପୂର୍ବରୁ କେମିତି ସମସ୍ୟାର ସମାଧାନ କରିଦେବେ, ସେଥିପାଇଁ ଲାଗିପଡ଼ନ୍ତି। ବର୍ଷବର୍ଷ ଧରି ହୋଇପାରୁ ନଥିବା କାମ କେଇ ଘଣ୍ଟାରେ ହୋଇଯାଏ। ନିଜର ଟ୍ବିଟ୍‌ ମାଧ୍ୟମରେ ସେ ଏଯାବତ୍‌ ୫୦୦୦ ସମସ୍ୟାର ସମାଧାନ କରିସାରିଲେଣି। ନିଜର ଏହି କାର୍ଯ୍ୟ ପାଇଁ ‘ ଟ୍ବିଟର୍‌ ରାଣୀ’ ଭାବେ ପରିଚିତ ହୋଇଥିବା ଏହି ଯୁବତୀ ହେଉଛନ୍ତି ଚାରୁଲତା ବାରିକ ଓରଫ୍‌ ଦୀପା।

ଦୀପାଙ୍କ ଘର ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଅନ୍ତର୍ଗତ ଗୋଟିଏ ଛୋଟିଆ ଗାଁ ଟେମରି‌। ଏକ ସାଧାରଣ ଚାଷୀ ପରିବାରର ଝିଅ ସେ। ବୟସ ୨୫ ବର୍ଷ। ସିଟି ତାଲିମ ନେଇଥିବା ଦୀପା ଏବେ ଇଗ୍‌ନୁରେ ଏଜୁକେସନ୍‌ ପିଜି କରୁଛନ୍ତି। ବାପା ଅମୃତ ବାରିକ ଓ ବଡ଼ ଭାଇ ଦୀପକ ଗାଁରେ ଚାଷବାସ କରନ୍ତି। ମାଆ ସୁଷମା ଜଣେ ଅଙ୍ଗନବାଡ଼ି କର୍ମୀ।

ଛୋଟବେଳୁ ଦୀପାଙ୍କୁ ଆଖପାଖର ସାଧାରଣ ସମସ୍ୟା, ଲୋକଙ୍କ ଦୁଃଖକଷ୍ଟ ଆନ୍ଦୋଳିତ କରି ଆସୁଥିଲା। ଯେଉଁଥିପାଇଁ ସେ ଗରିବ ଲୋକଙ୍କ ସହ ମିଶିବା, ତାଙ୍କ ସୁଖଦୁଃଖରେ ସହଭାଗୀ ହେବାରେ ସମୟ ଅତିବାହିତ କରୁଥିଲେ। ୨୦୧୯ ଏପ୍ରିଲ୍ ୨୪ ତାରିଖ ଦିନ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଲା। ସେହିଦିନ ଥାଏ ତାଙ୍କର ଜନ୍ମଦିନ। ଜନ୍ମଦିନରେ ପରିବାର ପକ୍ଷରୁ ଦୀପାଙ୍କୁ ଏକ ସ୍ମାର୍ଟ ଫୋନ୍ କିଣି ଦିଆ ଯାଇଥିଲା। ଆଉ ସେହି ଫୋନ୍‌ଟିକୁ ଦୀପା ଏଭଳି ଏକ ଅସ୍ତ୍ରଭାବେ ବ୍ୟବହାର କଲେ ଯାହାବଳରେ ସେ ତିନି ବର୍ଷରୁ କମ୍‌ ସମୟ ଭିତରେ ପାଞ୍ଚ ହଜାରଟି ଛୋଟବଡ଼ ସମସ୍ୟାର ସମାଧାନ କରି ସାରିଲେଣି।

ଦୀପା କୁହନ୍ତି, ସାମାଜିକ କର୍ମୀ ଦିବସ କୁମାର ସାହୁ ଟ୍ବିଟର୍‌ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମର ବ୍ୟବହାର କରି କେମିତି ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ ଓ କିଭଳି ତାର ସମାଧାନର ବାଟ ବାହାର କରାଯାଇପାରିବ, ସେ ସଂପର୍କରେ ତାଙ୍କୁ ବତାଇଥିଲେ। ଦିବସଙ୍କ ପରାମର୍ଶରେ ସେ ପ୍ରଥମେ ବର୍ଷାରେ ଘର ଭାଙ୍ଗି ଯାଇଥିବା ନିଜ ଗାଁର ଜଣେ ବୃଦ୍ଧଙ୍କ ସମସ୍ୟା ସଂପର୍କରେ ଟ୍ବିଟ୍ କରିଥିଲେ। ଖୁବ୍‌ଶୀଘ୍ର ସୁଫଳ ମିଳିଥିଲା। ସଂପୃକ୍ତ ବ୍ୟକ୍ତିଙ୍କୁ ଘରଭଙ୍ଗା ବାବଦକୁ ୯୮ ହଜାର ଟଙ୍କା ସହାୟତା ଓ ସରକାରୀ ଯୋଜନାରେ ପକ୍କାଘର ମିଳିଥିଲା। ଏହି ସଫଳତା ପରେ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି ଦୀପା।

ପ୍ରାରମ୍ଭିକ ସମୟରେ ଦୀପା ମୁଖ୍ୟତଃ ନିଜ ଗାଁ ତଥା ଆଖପାଖ ଅଞ୍ଚଳର ବିଧବା, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଆଦି ଯୋଗ୍ୟ ଲୋକଙ୍କୁ କେମିତି ସରକାରୀ ଯୋଜନାରେ ଭତ୍ତା ମିଳିପାରିବ ସେନେଇ କାମ କରିଥିଲେ। ତିନି ବର୍ଷ ମଧ୍ୟରେ ତାଙ୍କ ସହାୟତାରେ ୧ ହଜାରରୁ ଅଧିକ ସାମାଜିକ ଅବହେଳିତ ବ୍ୟକ୍ତି ଭତ୍ତା ପାଇ ସାରିଲେଣି। ପ୍ରଥମେ ପ୍ରଥମେ ଦୀପାଙ୍କୁ ଏଥି ପାଇଁ ସ୍ଥାନୀୟ ବିଡିଓ ତଥା ସରକାରୀ ଅଧିକାରୀ ମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ସେମାନେ ସମସ୍ୟା ସଂପର୍କରେ ଆମକୁ ସିଧାସଳଖ ଜଣାଅ, ଟ୍ବିଟ୍ କାହିଁକି କରୁଛ ବୋଲି ଦୀପାଙ୍କୁ ଫୋନ୍ କରି କହୁଥିଲେ। ଟ୍ବିଟ୍ ନ କରିବାକୁ ପରୋକ୍ଷରେ ଧମକ ବି ଦଉଥିଲେ।

କିନ୍ତୁ ଦୀପା ଏ ସଂପର୍କରେ ଜିଲ୍ଲାପାଳ ତଥା ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇବା ପରେ ଆଉ କେହି ଦୀପାଙ୍କୁ କହିବାକୁ ସାହସ କଲେ ନାହିଁ। ବରଂ ତତ୍ପରତାର ସହ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ବ ଦେଲେ। ପରବର୍ତ୍ତୀ ସମୟରେ ଦୀପାଙ୍କ କାର୍ଯ୍ୟ ପରିସର ବୃଦ୍ଧି ପାଇଥିଲା। ସେ କେବଳ ନିଜ ଗାଁ କି ଜିଲ୍ଲା ନୁହେଁ ସାରା ଓଡ଼ିଶାର ସମସ୍ୟାକୁ ନେଇ ଟ୍ବିଟ୍ ଅଭିଯାନ ଆରମ୍ଭ କରିଥିଲେ। ଏବଂ, ଏପର୍ଯ୍ୟନ୍ତ ସୁଦ୍ଧା ସେ ନିଜର ଟ୍ବିଟ୍‌ ମାଧ୍ୟମରେ ୫୦୦୦ ସମସ୍ୟାର ସମାଧାନ କରିସାରିଲେଣି।

ସମ୍ବନ୍ଧିତ ଖବର