ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ, ବିଦ୍ରୋହୀଙ୍କ ଉପରେ ବିଜେଡିର ନଜର

ରାୟଗଡ଼ା: ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାୟଗଡ଼ା ରାଜନୀତି ସରଗରମ ହୋଇ ଉଠିଛି। ଜିଲ୍ଲାର ୧୧ଟି ବ୍ଲକରେ ଶନିବାର ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଦ୍ରୋହୀଙ୍କ ଉପରେ କଡା ନଜର ରଖିଛି ବିଜେଡି। ବିଦ୍ରୋହୀଙ୍କ ରଣକୌଶଳ ଯୋଗୁ ଗୁଣପୁର, ରାମନାଗୁଡା, କାଶୀପୁର, ଗୁଡାରି, ପଦ୍ମପୁର ବ୍ଲକରେ ପଞ୍ଚାୟତ ସମିତି ଗଠନ ନେଇ ବିଜେଡି ନେତୃବୃନ୍ଦ ଚିନ୍ତାରେ ଅଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ ରାୟଗଡ଼ାରେ ଶାସକ ବିଜେଡି ଭଲ ପ୍ରଦର୍ଶନ କରିଛି। ୨୨ ଆସନରୁ ଦଳ ୧୬ଟିରେ ବିଜୟୀ ହୋଇଛି। କଂଗ୍ରେସକୁ ୬ଟି ଆସନ ମିଳିଛି। ଗୁଣପୁର ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନ୍, ରାମନାଗୁଡାର ଗୋଟିଏ, କୋଲନରାର ଗୋଟିଏ, କାଶୀପୁରର ଗୋଟିଏ, ରାୟଗଡ଼ାର ଗୋଟିଏ ଆସନ କଂଗ୍ରେସକୁ ଯାଇଛି।

ଗୁଣପୁର ବ୍ଲକରେ ବିଦ୍ରୋହୀଙ୍କ ରଣକୌଶଳ ଯୋଗୁ ଶାସକ ବିଜେଡି ଦୁଇ ଜିଲ୍ଲା ପରିଷଦ ଆସନରେ ପରାଜିତ ହେବା ସହ ୧୯ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ସଫଳତା ପାଇପାରିନି। ସ୍ବାଧୀନ ଭାବେ ପ୍ରାର୍ଥୀ ଦେଇଥିବା ସାନ ଗୌଡ଼ଙ୍କ ଅଧିକାଂଶ ସମିତିସଭ୍ୟ ପ୍ରାର୍ଥୀ ନିର୍ବାଚନରେ ବିଜୟ ହୋଇଥିବାରୁ ଗୁଣପୁର ବ୍ଲକ୍ ବିଦ୍ରୋହୀଙ୍କ କବଜାକୁ ଯିବା ସ୍ପଷ୍ଟ ହୋଇଯାଇଛି। ଯାହା ବିଜେଡି ପାଇଁ ପୌର ଓ ଆଗାମୀ ସାଧାରଣ ନିର୍ବାଚନରେ ସମସ୍ୟା ସୃଷ୍ଟି କରିପାରେ। ସେହିପରି ରାମନାଗୁଡା ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନରୁ ଗୋଟିଏ ଜୋନ୍ କଂଗ୍ରେସକୁ ଯାଇଛି। ବ୍ଲକର ୧୨ଟି ପଞ୍ଚାୟତ ମଧ୍ୟରେ ୪ଟିରେ ବିଜେଡି, ୪ଟିରେ କଂଗ୍ରେସ, ୪ଟିରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ନିର୍ବାଚନରେ ବିଜେପି ପକ୍ଷରୁ ଲଢ଼ୁଥିବା ଉକମ୍ବା ସମିତିସଭ୍ୟ ପ୍ରାର୍ଥୀ ରବି ଗମାଙ୍ଗ ଗତ କିଛି ଦିନ ତଳେ କଂଗ୍ରେସରେ ଯୋଗଦେଇଥିବାରୁ ରାମନାଗୁଡା ପଞ୍ଚାୟତ ସମିତି ଗଠନ ବିଜେଡି ପାଇଁ କାଠିକର ପାଠ ହୋଇପାରେ।

କାଶୀପୁର ବ୍ଲକରେ ମଧ୍ୟ ସମାନ ସ୍ଥିତି। ୨୪ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମକ୍ଷରେ ୧୨ ପଞ୍ଚାୟତ ଥିବା ବେଳେ ବିଦ୍ରୋହୀ ପ୍ରାର୍ଥୀ ୧୨ ପଞ୍ଚାୟତରେ ବିଜୟୀ ହୋଇଛନ୍ତି। ତେବେ ଶାସକ ବିଜେଡିର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଦ୍ରୋହୀ ଅଜ୍ଞାତବାସରେ ରଖିଥିବାରୁ କାଶୀପୁର ବ୍ଲକ୍ ମଧ୍ୟ ବିଜେଡି ହାତରୁ ଖସିବାର ସମ୍ଭାବନା ରହିଛି। ବ୍ଲକର ୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨ଟି ବିଜେଡି ଏବଂ ଗୋଟିଏ କଂଗ୍ରେସ ସପକ୍ଷରେ ଯାଇଛି। ବିଗତ ୨ ପଞ୍ଚାୟତ ନିର୍ବାଚନରେ କାଶୀପୁର ବ୍ଲକକୁ କଂଗ୍ରେସ କବଜା କରିଥିବା ବେଳେ ଚଳିତ ଥର ବିଦ୍ରୋହୀଙ୍କ କବଜାକୁ ଯିବ। ପଦ୍ମପୁର ବ୍ଲକର ୧୩ ପଞ୍ଚାୟତ ମଧ୍ୟରୁ ଅଧିକାଂଶ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ନେତୃତ୍ବ କନ୍ଦଳ କାରଣରୁ ବିଦ୍ରୋହୀ ଗୋଷ୍ଠୀ ବାଜି ମାରିନେବାର ଅନେକ ସମ୍ଭାବନା ରହିଛି। କିନ୍ତୁ ବ୍ଲକର ଦୁଇ ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ ହୋଇଥିବାରୁ ବ୍ଲକ୍ ଗଠନ ପାଇଁ ଅହରହ ଉଦ୍ୟମ ଜାରି ରଖିଛି। ଗୁଡାରି ବ୍ଲକରେ ମଧ୍ୟ ଦୋଦୁଲ୍ୟମାନ ସ୍ଥିତିରେ ରହିଛି ଶାସକ ବିଜେଡି। ଏଠି ମଧ୍ୟ ବିଦ୍ରୋହୀ ଗୋଷ୍ଠୀ ଶାସକ ବିଜେଡି ବିରୁଦ୍ଧରେ ସମରସଜା କରିଥିବାରୁ ଦଳ ଚିନ୍ତାରେ ପଡିଛି। ନିର୍ବାଚନ ଶେଷ ହେବା ପରଠୁ ଅନେକ ସମିତିସଭ୍ୟ ଅଜ୍ଞାତବାସରେ ଥିଲେ। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସଭିଁଏ ନିଜ ନିଜ ବ୍ଲକରେ ପହଞ୍ଚି ନିର୍ବାଚନରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର