ଡିପିସି କାର୍ଯ୍ୟାଳୟ ଆଗରେ କନିଷ୍ଠ ଶିକ୍ଷକଙ୍କ ଧାରଣା

ବାଲେଶ୍ବର: ନିର୍ବାଚନ ପୂର୍ବରୁ ୨୦୧୫ ବ୍ୟାଚରେ ନିଯୁକ୍ତି ପାଇଥିବା ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯିବାକୁ ଘୋଷଣା କରାଯାଇଥିଲା। ଏହି କ୍ରମରେ ବିଭିନ୍ନ ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ନିୟମିତ ମଧ୍ୟ ହୋଇସାରିଲେଣି। ହେଲେ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ପ୍ରଶାସନ କାହିଁକି କନିଷ୍ଠ ଶିକ୍ଷକଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ସେନେଇ କନିଷ୍ଠ ଶିକ୍ଷକଙ୍କ ପକ୍ଷରୁ ପ୍ରତିବାଦ କରାଯାଇ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।

ମିଳିଥିବା ସୂଚନା ମୁତାବକ ରାଜ୍ୟରେ ପ୍ରାୟ ୮୪୦୦ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଉକ୍ତ ପ୍ରକ୍ରିୟା ବନ୍ଦ ରହିଥିଲା। ଆଜି ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ଏ ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଡକାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଲକରୁ ବିଇଓମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ତେବେ ବୈଠକରେ କୌଣସି ନିଷ୍କର୍ସ ନ ବାହାରିବା ହେତୁ ଅସନ୍ତୋଷ ଦେଖାଯାଇଥିଲା। ଏହାପରେ କିଛି କନିଷ୍ଠ ଶିକ୍ଷକ ଡିପିସିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ଏହାପରେ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ସେଠା‌ରେ ପହଞ୍ଚି ଦୁଇଦିନ ମଧ୍ୟରେ କନିଷ୍ଠ ଶିକ୍ଷକମାନଙ୍କୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର