ପୁରୀରେ କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା: ଟେଲି ମେଡିସିନ୍‌ ସେବାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ

ପୁରୀ: କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଡା. ହରମିତ ସିଂହ ଆଜି ପୁରୀ ଗସ୍ତରେ ଆସି ଜିଲ୍ଲା ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ଡାକ୍ତରଖାନା ଓ ବସ୍ତି ଅଞ୍ଚଳ ପରିଦର୍ଶନ କରି ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ପରଖିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସମୀକ୍ଷା କରିବା ସହ ଟେଲି ମେଡିସିନ୍‌ ସେବାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି। ଯଦ୍ବାରା ରୋଗୀମାନେ ଘରେ ରହି ଏମ୍‌ସ, ଏସ୍‌ସିବି ଭଳି ଡାକ୍ତରଖାନାର ଡାକ୍ତରଙ୍କ ସହ ରୋଗ ସମ୍ପର୍କରେ ସିଧାସଳଖ ଆବଶ୍ୟକ ପରାମର୍ଶ ନେଇ ପାରିବେ ବୋଲି ଡା. ସିଂହ କହିଛନ୍ତି।

ଆଜି ଡା. ସିଂହ ପୁରୀରେ ପହଞ୍ଚିବା ପରେ ପ୍ରଥମେ ବଳିଆପଣ୍ଡାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ରୋଗୀଙ୍କ ସହ ସ୍ବାସ୍ଥ୍ୟ ସେବା ଉପରେ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ସଫାସୁତୁର ଅଛି କି ନାହିଁ, ବୁଲି ଦେଖିଥିଲେ। ଟେଲି ମେଡିସିନ୍‌ ସୁବିଧାକୁ ଆହୁରି ସୁଦୃଢ଼ କରିବାକୁ ଡା. ସିଂହ ପରାମର୍ଶ ଦେଇଥିଲେ। ପରେ ରେଳ ଷ୍ଟେସନ୍‌ ନିକଟ ରାମଚଣ୍ଡୀ ବାଲିକୁଦ ବସ୍ତିରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ମା’ ବିମଳା ମହିଳା ଆରୋଗ୍ୟ ସମିତି ପକ୍ଷରୁ ଆୟୋଜିତ ଏହି ବୈଠକରେ ଡା. ସିଂହ କୋଭିଡ୍‌ ମହାମାରୀ ସମୟରେ ମହିଳାମାନଙ୍କ ଭୂମିକା କିଭଳି ଥିଲା, ସେ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମା’ ବିମଳା ମହିଳା ଆରୋଗ୍ୟ ସମିତି ପକ୍ଷରୁ ବସ୍ତି ଅଞ୍ଚଳରେ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କୁଷ୍ଠ, ମୋତିଆବିନ୍ଦୁ, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗକୁ କମାଇବା ପାଇଁ ବିଭିନ୍ନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଅଂଶଗ୍ରହଣ ପାଇଁ ଡା. ସିଂହ ନିବେଦନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର, ଡିପିଏମ୍‌ ଟି. ନାରାୟଣ ରାଓ, ଏପିଏମ୍‌ ସନ୍ତୋଷ ମିଶ୍ର, ଅଶୋକ କୁମାର ସାହୁ, ରଂଜିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର