ବିସ୍ଫୋରଣରେ ଥରିଲା କାବୁଲ, ୨୫ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି | ଏହି ଦୁଇଟି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି | ପ୍ରଥମ ବିସ୍ଫୋରଣ ମୁମତାଜ ବିଦ୍ୟାଳୟରେ ଘଟିଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଅନ୍ୟ ଏକ ବିଦ୍ୟାଳୟ ନିକଟରେ ଘଟିଥିଲା ​​|

ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିବାବେଳେ ବିଦ୍ୟାଳୟ ନିକଟରେ ବିସ୍ଫୋରଣ ହୋଇଥିଲା | ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ବି ଏହା ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ହାତ ଥିବା ସନ୍ଦେହ କରାଯାଉଛି |

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆଜି ସକାଳେ ବିଦ୍ୟାଳୟକୁ ଛାତ୍ରମାନେ ଆସୁଥିଲେ | ଶ୍ରେଣୀ ଆରମ୍ଭ ହେବା ସମୟ ପାଖେଇ ଆସୁଥିବାରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଥିଲେ | ଏହି ସମୟରେ ବିସ୍ଫୋରଣ ହୋଇଥିଲା | ଏହି ଘଟଣା ପରେ ଯେତେବେଳେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଉଥିଲା, ସେହି ସମୟରେ ଦ୍ଵିତୀୟ ବିସ୍ଫୋରଣ ହୋଇଥିଲା | ଏଥିରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି | ସୂଚନା ଥାଉ କି ଚଳିତ ମାସ ପହିଲାରେ ବି କାବୁଲରେ ଏକ ବୋମା ବିସ୍ଫୋରଣ ହୋଇଥିଲା | କାବୁଲର ମନି ଏକ୍ସଚେଂଜ ମାର୍କେଟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର