ଦ୍ବିତୀୟ ବିଶ୍ବଯୁଦ୍ଧ ପରକାଳୀନ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରଭାବଶାଳୀ ଔପନ୍ୟାସିକ ଥିଲେ ଗୋପୀନାଥ ମହାନ୍ତି। ୧୯୧୪ ମସିହା ଏପ୍ରିଲ୍ ଆଜି ଦିନରେ କଟକର ନାଗବାଲିରେ ତାଙ୍କର ଜନ୍ମ। ସେ ରେଭେନ୍ସାରୁ ସ୍ନାତକ ଓ ପାଟନା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ୧୯୩୮ରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା-ସାହିତ୍ୟର ବିକାଶର ଲକ୍ଷ୍ୟ ନେଇ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ନିଜ ଜୀବନର ଅଭିଜ୍ଞତା ଯେ ସାହିତ୍ୟର ମୁଖ୍ୟ ଉପାଦାନ ତାହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଗୋପୀନାଥ ମହାନ୍ତି। ତାଙ୍କ ଚାକିରିର ଅଧିକାଂଶ କାଳ ଆଦିବାସୀ ଅଞ୍ଚଳରେ କଟିଥିଲା। ଏ ଭିତରେ ସେ ଜଙ୍ଗଲର ଆଦିବାସୀଙ୍କ ଜୀବନ ସହିତ ନିଜକୁ ଓତଃପ୍ରୋତ ଭାବେ ଜଡ଼ିତ କରିଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା ‘ପରଜା’, ‘ଅମୃତର ସନ୍ତାନ’, ‘ଦାଦିବୁଢ଼ା’ ଭଳି କାଳଜୟୀ ଉପନ୍ୟାସ। ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ୟକ୍ତିକୈନ୍ଦ୍ରିକ ବିଚାର ଓ ସମାଜବାଦୀ ବିଚାର ମଧ୍ୟରେ ସମନ୍ବୟ ଆଣିଥିଲେ। ତାଙ୍କର ରଚନାର ଭାଷାଶୈଳୀ ଥିଲା ସଂପୂର୍ଣ୍ଣ ମୌଳିକ। ଗୋପୀନାଥଙ୍କ ଗଳ୍ପ ଉପନ୍ୟାସମାନଙ୍କରେ ସମାଜର ଦଳିତ, ଅବହେଳିତ ମଣିଷମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ଯେଉଁ ଭଳି ବାରି ହୋଇପଡ଼େ, ସେହିଭଳି ଭାବେ ଅତ୍ୟାଚାରୀମାନଙ୍କ ପ୍ରତି ତାଙ୍କର ଭର୍ତ୍ସନାପୂର୍ଣ୍ଣ ବ୍ୟଙ୍ଗ ଦେଖିବାକୁ ମିଳେ। ଜଣେ ଔପନ୍ୟାସିକ ଓ ଗାଳ୍ପିକ ସମେତ କବି, ଗବେଷକ, ଅନୁବାଦକ, ଭାଷାବିତ୍ ଓ ପ୍ରାବନ୍ଧିକ ଭାବରେ ସେ ସାହିତ୍ୟର ବିଭିନ୍ନ ବିଭାଗକୁ ପରିପୁଷ୍ଟ କରିଛନ୍ତି। ‘ଅମୃତର ସନ୍ତାନ’ ଉପନ୍ୟାସ ପାଇଁ ସେ ସର୍ବପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ପ୍ରଥମ ଓଡ଼ିଆ ଭାବେ ‘ମାଟି ମଟାଳ’ ପାଇଁ ୧୯୭୪ରେ ସେ ସମ୍ମାନଜନକ ‘ଜ୍ଞାନପୀଠ ପୁରସ୍କାର’ର ଅଧିକାରୀ ହୋଇଥିଲେ। ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ରେ ସମ୍ମାନିତ କରିଥିଲେ। ସେ ଆମେରିକାର ସାନ୍ ହୋଜେ ବିଶ୍ବବିଦ୍ୟାଳୟରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ୧୯୯୧ ଅଗଷ୍ଟ ୨୦ରେ ସାନ୍ ହୋଜେରେ ଏହି କାଳଜୟୀ ସାହିତ୍ୟ ସାଧକଙ୍କର ପରଲୋକ ଘଟିଥିଲା। ‘ସ୍ରୋତସ୍ବତୀ’ ତାଙ୍କର ଚର୍ଚ୍ଚିତ ଆତ୍ମଜୀବନୀ।