ଚୋରା ବାଲି ଚାଲାଣ ମାମଲାର ଶୁଣାଣି କଲେ ଏନ୍‌ଜିଟି: ୨୩. ୭୩ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛନ୍ତି ସରକାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲିଘାଟରୁ ବେଆଇନ ବାଲି ଚାଲାଣ ମାମଲାର ଶୁଣାଣି କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)। କୋଭିଡ୍‌ ପାଇଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ଜଣାପଡ଼ିଛି ଯେ ଏହି ଦୁଇଟି ଘାଟରୁ ମୋଟ ୨୩ କୋଟି ୭୨ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଏହି ରାଜସ୍ବକୁ ସରକାର କାହା ପାଖରୁ ଆଦାୟ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ୧୩ ତାରିଖରେ ୪ ଜଣିଆ କମିଟି ଏନ୍‌ଜିଟି ପାଖରେ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟ ମୁତାବକ, ଉଭୟ ବାଲିଘାଟରୁ ଲିଜ୍‌ ଅବଧି ସରିବା ପରେ ବି ୨୧୦ ଦିନ ଧରି ବେଆଇନ ଭାବେ ବାଲି ଉତ୍ତୋଳନ ହୋଇଥିଲା। ଡିଙ୍ଗିରା ଘାଟରୁ ୮୩ ହଜାର ସିୟୁଏମ ବାଲି ଉତ୍ତୋଳନ ହୋଇଛ। ସରକାରୀ ହିସାବରେ ଏଠାରୁ ୧୧ କୋଟି ୩୨ ଲକ୍ଷ ୯୫ ହଜାର ଟଙ୍କାର ବେଆଇନ ବାଲି ଉତ୍ତୋଳନ ହୋଇଛି। ଏଥିସହ ଉକ୍ତ ପରିମାଣର ବାଲି ଉତ୍ତୋଳନ ପାଇଁ ପରିବେଶ ନିୟନ୍ତ୍ରଣ ମୂଲ୍ୟ ୫ କୋଟି ୬୬ ଲକ୍ଷ ୪୭ ହଜାର ୫୦୦ ଟଙ୍କା ହେବ। ତେଣୁ ଏହି ଘାଟରୁ ମୋଟ ୧୬ କୋଟି ୯୯ ଲକ୍ଷ ୪୨ ହଜାର ୫୦୦ ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ତଦନ୍ତକାରୀ ଦଳ ରିପୋର୍ଟରେ ଦର୍ଶାଇଛି। ସେହିପରି ଆରପଟା ବାଲିଘାଟରୁ ୨୧ ହଜାର ସିୟୁଏମ୍‌ ବେଆଇନ ବାଲି ଉତ୍ତୋଳନ ହୋଇଛି। ଏ ବାବଦକୁ ସରକାରଙ୍କର ୪ କୋଟି ୪୮ ଲକ୍ଷ ୮୭ ହଜାର ୫୦୦ ଟଙ୍କାର ରାଜସ୍ବ କ୍ଷତି ହୋଇଥିବାବେଳେ ପ୍ରଦୂଷଣ କ୍ଷତି ରାଶିକୁ ବିଚାରକୁ ନିଆଗଲେ ଅଧିକ ୨ କୋଟି ୨୪ ଲକ୍ଷ ୪୩ ହଜାର ୭୫୦ ଟଙ୍କା କ୍ଷତି ହୋଇଛି। ମୋଟ ଉପରେ ଆରପଟା ବାଲିଘାଟରେ ୬ କୋଟି ୭୩ ଲକ୍ଷ ୩୧ ହଜାର ୨୫୦ ଟଙ୍କାର ରାଜସ୍ୱହାନି ହୋଇଛି। ଏହି ଦୁଇଟି ଘାଟରୁ ମୋଟ ୨୩ କୋଟି ୭୨ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ରାଜସ୍ବ କ୍ଷତି ହୋଇଛି ବୋଲି ତଦନ୍ତକାରୀ ଦଳ ରିପୋର୍ଟ ଦେଇଛି। ଏହି ରାଜସ୍ବକୁ ସରକାର କାହା ପାଖରୁ ଆଦାୟ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର