ଏବେ ଉତ୍ତରଦ୍ବାର ଖନନ ଜୋରଦାର: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଜାରି

ପଶ୍ଚିମଦ୍ବାର ଶେଷ ପରେ ଦକ୍ଷିଣଦ୍ବାରରେ ପଡ଼ିବ ଛାତ, ପଟା ସେଟିଂ ଶେଷ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ତୀବ୍ର ବିରୋଧ ଓ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଏବେ ତରବରିଆ ଭାବେ ଏହି କାମକୁ ସାରିଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା। କୌଣସି ଅପ୍ରୀତିକର ପରିସ୍ଥିତି ଅବା ହାଇକୋର୍ଟଙ୍କ ରହିତାଦେଶ ଆସିବା ଆଗରୁ ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥା ନିର୍ମାଣ କାମକୁ ସାରିଦେବା ଲକ୍ଷ୍ୟରେ ବିବାଦୀୟ ଘର ସବୁ ନିର୍ମାଣ ପରେ ଏବେ ଛାତ ପଡ଼ିବା ଆରମ୍ଭ ହୋଇଛି। ସେପଟେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ପୂର୍ବ-ଦକ୍ଷିଣଦ୍ବାରରେ ଖନନ ପରେ ଏବେ ଉତ୍ତରଦ୍ବାରରେ ଖନନକୁ ଜୋରଦାର କରିଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌।

ସେପଟେ ଏହା ବିରୋଧରେ ଆସନ୍ତା ୨୭ ତାରିଖରେ ବଡ଼ ଜନ ଆନ୍ଦୋଳନର ଡାକରା ଦିଆଯାଇଛି। ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ଜରିଆରେ ସାରା ଓଡ଼ିଶାରୁ ୫ହଜାରରୁ ଅଧିକ ସଂଖ୍ୟାରେ ଭକ୍ତ, ସଂଗଠକ, ରାଜନେତା ଏକାଠି ହୋଇ ବଡ଼ଦାଣ୍ଡରେ ଶୋଭାଯାତ୍ରା କରିବା ସହ ପ୍ରତିବାଦ କରିବାକୁ ସଜବାଜ ହେଲେଣି। ଆମ୍‌ସାର ଆଇନ ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ଏଠାରେ ନିର୍ମାଣ ଓ ଖନନ ନିଷିଦ୍ଧ ରହିଛି। କିନ୍ତୁ ଆଇନକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଚାଲିଛି, ତାକୁ ନେଇ ପ୍ରଥମରୁ ବିବାଦ ମୁଣ୍ଡ ଟେକିଥିଲା। ପଶ୍ଚିମ ଦ୍ବାର ଓ ଦକ୍ଷିଣ ଦ୍ବାରରେ ଭାଇବ୍ରେଟର, ଏକ୍ସାଭେଟର ଲଗାଇ ୨୦ରୁ ୩୦ ଫୁଟର ଯେଉଁଭଳି ଗର୍ତ୍ତ କରାଗଲା, ‌ତାହ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଲା। ଏପରିକି ଶ୍ରୀମନ୍ଦିର ନାଟମଣ୍ଡପ ସହ ଅନ୍ୟାନ୍ୟ ଜାଗାରେ ଏବେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଏହି ଖନନ ଫଳରେ ସୃଷ୍ଟି ହୋଇଛି ବୋଲି ଭକ୍ତ, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ଗୁରୁତର ଅଭିଯୋଗ ଆଣିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଏହାର ତଦନ୍ତ କରିନାହାନ୍ତି। ଏହାକୁ ନେଇ ବିବାଦ ଲାଗି ରହିଥିଲା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଥିଲା। ହଠାତ୍‌ ନିର୍ମାଣସ୍ଥଳରେ ଯେଉଁ ଫଳକ ଲାଗିଥିଲା, ତାକୁ କାଢ଼ି ଦିଆଯାଇଥିଲା। ଯେଉଁଠି ସୂଚନା କିଓସ୍କୋ ଫଳକ ଲାଗିଥିଲା, ସେଠି ମହିଳା ଶୌଚାଳୟର ଫଳକ ଲଗାଇ ଦିଆଗଲା। ଯେଉଁଠି ଗୋଟିଏ ସେଲ୍‌ଟର ପାଭିଲିୟନ୍‌ର ଫଳକ ଲାଗିଥିଲା, ସେଠି ଟାଇପ୍‌-୧ ଓ ୨ କହି ଏକାଧିକ ଫଳକ ଲଗାଇ ଦିଆଗଲା। ନକ୍ସାକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଗଲା। ଏହି ବାଦବିବାଦ ଭିତରେ ଏବେ ଖନନ ସ୍ଥଳକୁ ପୋତି ନିର୍ମାଣକୁ ଜୋରଦାର କରିଛି ଠିକା ସଂସ୍ଥା। ଘର ତିଆରି କରି ଛାତ ପକାଇବା ଜୋରଦାର କରିଛି। ଇତିମଧ୍ୟରେ ପଶ୍ଚିମଦ୍ବାରରେ ୩ଟି ଘରର ଛାତ ପଡ଼ିବା ପରେ ଏହି ଦ୍ବାରରେ ଥିବା ବାକି ଘର ଓ ଦକ୍ଷିଣଦ୍ବାରରେ ନିର୍ମାଣ ଘରର ଛାତ ପକାଇବା ଆରମ୍ଭ କରିଛି। ଏଥିପାଇଁ ପଟା ସେଟିଂ କରିଛି।

ଅନ୍ୟପଟେ ଉତ୍ତରଦ୍ବାର ଖନନକୁ ଜୋରଦାର କରାଯାଇଛି। ପୂର୍ବରୁ ଅଳ୍ପ କିଛି ଜାଗା ଖନନ କରି ଏଥିରେ ଗୋଡ଼ି, ବଜୁରି, ଡଷ୍ଟ ପକାଇ ସମତୁଲ କରିବା ପରେ ଏବେ ଏହାକୁ ଲାଗି ଆଉ ଏକ ବିରାଟ ଗର୍ତ୍ତ ଖୋଳାଯାଇଛି। ପାଣି ଟାଙ୍କିକୁ ଲାଗି ଖୋଳାଯାଇଥିବା ଏହି ଗର୍ତ୍ତର ଓସାର ପ୍ରାୟ ୨୦ ଫୁଟ ହେବ। ଏହି ଖନନ ଏବେ ଜାରି ରହିଛି। ଏ ଉପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଏଭଳି ବିପଦପୂର୍ଣ୍ଣ ଖନନ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ତଦନ୍ତ ଓ ରିପୋର୍ଟ ଆଳରେ ଯେଉଁଭଳି ସମୟ ଗଡ଼ାଇ ଚାଲିଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗ ଭିତରେ ମଧୁଚନ୍ଦ୍ରିକା ଚାଲିଛି। ଆମେ ଭକ୍ତମାନେ କେବଳ ମହାପ୍ରଭୁଙ୍କ ପାଇଁ ଲଢ଼େଇ ଜାରି ରଖିଛୁ। ଆଇନ ଅଦାଲତ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ନିଶ୍ଚିତ ହାଇକୋର୍ଟ ନ୍ୟାୟ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର