ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ, ପୁରୀ ରେଳଷ୍ଟେସନରେ ଅଟକି ରହିଲେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ

ଭୁବନେଶ୍ବରରେ ବିରୋଧ ଯୋଗୁଁ ଲିଙ୍ଗରାଜ ଦର୍ଶନ କରିପାରିଲେନି

ପୁରୀ/ପୁରୁଣା ଭୁବନେଶ୍ବର : ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି। ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ ଦାବି କରିଥିଲେ। ଫଳରେ, ସେ ପୁନର୍ବାର ପୁରୀରୁ ଟ୍ରେନ୍‌ ଧରି ଫେରିଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଧର୍ମପ୍ରଚାର ସହ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୋମବାର ସକାଳେ ହାୱାଡା-ପୁରୀ ଟ୍ରେନ୍‌ ଯୋଗେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ପୁରୀରେ ପହଞ୍ଚିଥିଲେ। ଟ୍ରେନ୍‌ରୁ ଓହ୍ଲାଇ ଆର୍‌ପିଏଫ୍‌ଙ୍କ ସୁରକ୍ଷା ବଳୟରେ ଷ୍ଟେସନ୍‌ରୁ ବାହାରୁଥିବା ବେଳେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ବିରୋଧ ଭିତରେ ସେ ପୁରୀ ରେଳଷ୍ଟେସନ୍‌ରେ ଅଟକି ରହିଥିଲେ। ପରେ ଜିଆର୍‌ପି, ଆର୍‌ପିଏଫ୍‌ ଓ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସୁରକ୍ଷାଦେଇ ରେଳଷ୍ଟେସନ୍‌ରୁ ବାହାର କରିଥିଲେ। କିଛି ସମୟର ରହଣି ପରେ ‌ଧର୍ମ ପ୍ରଚାର ନ କରି ସେ ଫେରିଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗୋବର୍ଦ୍ଧନ ପୀଠର ପୀଠାଧୀଶଙ୍କୁ ନେଇ ୧୯୯୬ ମସିହାରେ ବିବାଦ ଦେଖାଦେଇଥିଲା। ସେହିସମୟରେ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଓ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ, ଉଭୟ ନିଜକୁ ଗୋବର୍ଦ୍ଧନ ପୀଠର ପୀଠାଧୀଶ ସହ ଶଙ୍କରାଚାର୍ଯ୍ୟ ବୋଲି ଦାବି କରିଥିଲେ। ବିଭିନ୍ନ ଧାର୍ମିକ ସଭାରେ ଉଭୟ ଉଭୟଙ୍କୁ ନକଲି ବୋଲି ଦର୍ଶାଇଥିଲେ। ପରେ ଏହି ଧାର୍ମିକ ବିବାଦ ଉଗ୍ରରୂପ ନେବା ସହ ହାଇକୋର୍ଟରେ ପହଞ୍ଚିଥିଲା। ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ବିବାଦ ଲାଗି ରହିବାପରେ ଶେଷରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଛାଡ଼ିବାକୁ ପଡ଼ିଥିଲା। ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାବେଳେ ଏହି ବିବାଦକୁ ନେଇ ଉତ୍ତେଜନା ଦେଖାଦେବାରୁ ଜିଲ୍ଲା ପ୍ରଶାସନ ପୁରୀ ପୁଲିସ ସହଯୋଗରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଘର ଭାଙ୍ଗିଦେବା ସହ ସେ ସମୟରେ ୧୪୪ ଧାରା ଜାରି କରି ତାଙ୍କୁ ପୁରୀରୁ ବିତାଡ଼ିତ କରିଥିଲା। ପୁରୀରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଧାର୍ମିକ ସଭା ତଥା ପ୍ରଚାର ଉପରେ ରୋକ୍‌ ଲଗାଯାଇଥିଲା। ଭୁବନେଶ୍ବର ଏକାମ୍ରକ୍ଷେତ୍ର‌େର ବି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ଆଜି ଜୋର୍‌ଦାର୍‌ ବିରୋଧ କରାଯାଇଥିଲା। ଆଦିତ୍ୟ ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବିରୋଧ ‌ଓ ଗଣମାଧ୍ୟମର ଘନଘନ ପ୍ରଶ୍ନବାଣରେ ଜର୍ଜରିତ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ଶେଷରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିନପାରି ଫେରିଥିଲେ।

ସମ୍ବନ୍ଧିତ ଖବର