ଅଘୋଷିତ ବିଜୁଳିକାଟ୍ ବନ୍ଦ କର: ସମାଜବାଦୀ ପାର୍ଟି
ଭୁବନେଶ୍ବର : ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଅଘୋଷିତ ବିଜୁଳି କାଟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅଘୋଷିତ ବିଜୁଳି କାଟକୁ ନେଇ ଏପ୍ରିଲ୍ ମାସ ଆରମ୍ଭରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବିଭିନ୍ନ କମ୍ପାନିମାନଙ୍କ ସହ ଆଲୋଚନା କରି ଅଘୋଷିତ ବିଜୁଳି କାଟ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ବେଖାତିର କରି ବିଜୁଳି ବଣ୍ଟନ ଦାୟିତ୍ବରେ ଥିବା ସଂସ୍ଥା ବିଦ୍ୟୁତ କାଟ କରୁଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି।
Sambad is now on WhatsApp
Join and get latest news updates delivered to you via WhatsApp
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି, ରାଜ୍ୟରେ ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ବ ନେଇଛି। ଭିତ୍ତିଭୂମି ସଜାଡ଼ିବା ଆଳ ଦେଖାଇ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ସବୁଠି ଘନଘନ ବିଜୁଳିକାଟ କରୁଛି। ଫଳରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି। ଅତୀତରେ ଭିତ୍ତିଭୂମି ସଜାଡ଼ିବା ନାଁ’ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୁଣି ଟାଟା ପାୱାର କି ଭିତ୍ତିଭୂମି ସଜାଡୁଛି? ଅନ୍ୟପଟେ ଟାଟା ପାୱାର ଅଭିଯୋଗ କରୁଛି ଯେ, ଭିତ୍ତିଭୂମିର ଯେଉଁ ବିକାଶ କରାଯାଇଛି, ତାହା ନିମ୍ନମାନର ଓ ଅଧାପନ୍ତରିଆ। ଅର୍ଥାତ୍ ଭିତ୍ତିଭୂମି ସଜାଡ଼ିବାରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି। ତେଣୁ ତୁରନ୍ତ ସରକାର ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଅଘୋଷିତ ବିଜୁଳି କାଟ୍ ନ କରିବା ପାଇଁ କମ୍ପାନିମାନଙ୍କୁ ସଚିବ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି।