ମୁମ୍ବାଇ ଆକାଶରେ ପରସ୍ପର ସହ ଧକ୍କା ଖାଇବାରୁ ଅଳ୍ପକେ ରକ୍ଷା ପାଇଲେ ଦୁଇ ବିମାନ

ନୂଆଦିଲ୍ଲୀ: ଫେବ୍ରୁଆରି ୭ ତାରିଖ ଦିନ ଗୋଟିଏ ଭିସ୍ତାରା ବିମାନ ଅବତରଣ କରିବାକୁ ତଳକୁ ଖସୁଥିବା ବେଳେ ବିପରୀତ ଦିଗରୁ ସେହି ଆଡ଼କୁ ଏୟାର୍‌ ଇଣ୍ଡିଆର ଗୋଟିଏ ବିମାନ ଯାଉଥିଲା। ଦୁଇ ବିମାନ ପରସ୍ପର ଆଡ଼କୁ ଦ୍ରୁତ ଗତିରେ ଯାଇ ଧକ୍କା ଲାଗିବାର ଠିକ୍‌ ମୁହୂର୍ତ୍ତେ ଆଗରୁ ପରସ୍ପର ବାଟ କାଟି ଉଡ଼ି ଯାଇଥିଲେ।

ବେସାମରିକ ବିମାନ ଚଳାଚଳର ଡାଇରେକ୍ଟର୍‌ ଜେନେରାଲ୍‌ ଭିସ୍ତାରାର ଦୁଇ ପାଇଲଟ୍‌ଙ୍କୁ ଓହ୍ଲାଇ ଦେଇଛନ୍ତି। କିନ୍ତୁ ଭିସ୍ତାରା ତରୁଫରୁ କୁହାଯାଇଛି ଯେ ୨୭୦୦୦ ଫୁଟ୍‌ ଉଚ୍ଚରେ ରହିବାକୁ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ପାଇଲଟ୍‌ ଦୁହିଁଙ୍କୁ କହିଥିଲେ, କିନ୍ତୁ ସେମାନେ ଭୁଲ୍‌କ୍ରମେ ତାହା କରି ନ ଥିଲେ।

ଘଟଣାଟି ବୁଧବାର ଦିନ ରାତି ଆଠଟା ବେଳେ ମୁମ୍ବାଇ ଆକାଶରେ ଘଟିଥିଲା। ଏୟାର୍‌ ଇଣ୍ଡିଆର ଏୟାର୍‌ବସ୍‌ ଏ-୩୧୯ ଏଆଇ ୬୩୧ ଭାବେ ୨୭୦୦୦ ଫୁଟ ଉଚ୍ଚରେ ମୁମ୍ବାଇରୁ ଭୋପାଳ ଯାଉଥିଲା।

ଭିସ୍ତାରାର ଏ-୩୨୦ ନିଓ ୧୫୨ ଯାତ୍ରୀଙ୍କୁ ନେଇ ୟୁକେ ୯୯୭ ଭାବେ ଦିଲ୍ଲୀରୁ ପୁଣେ ଯାଉଥିଲା। ସେ ବିମାନକୁ ୨୯୦୦୦ ଫୁଟ୍‌ ଉପରେ ଉଡ଼ିବାକୁ ଅନୁମତି ଦିଆ ଯାଇଥିଲା।

କିନ୍ତୁ, ୟୁକେ ୯୯୭ ୨୭୦୦୦ ଫୁଟ୍‌କୁ ଖସି ଆସିବାରୁ ଦୁଇ ବିମାନ ପରସ୍ପର ଆଡ଼କୁ ଉଡ଼ି ଆସି ଧକ୍କା ଖାଇବାକୁ ଯାଉଥିଲେ। ଦୁଇ ବିମାନ ଗତି ପଥ ମଧ୍ୟରେ ଉଚ୍ଚତାର ବ୍ୟବଧାନ ଥିଲା ମାତ୍ର ୧୦୦ ଫୁଟ୍‌। ଠିକ୍‌ ସେତିକିବେଳେ ଉଭୟ ବିମାନର ଥିବା କକ୍‌ପିଟ୍‌ରେ ଥିବା ଟ୍ରାଫିକ୍‌ କୋଲିସନ୍‌ ଏଭଏଡାନ୍‌ସ୍‌ ସିଷ୍ଟମ୍‌ ଆଲାର୍ମ ବାଜି ଉଠିଥିଲା। ଫଳତଃ, ପାଇଲଟ୍‌ମାନେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ପାରିଥିଲେ।

ସମ୍ବନ୍ଧିତ ଖବର