ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)  କହିଛି ।

ପୂର୍ବରୁ ଆଇଏମଡି କହିଥିଲା ଯେ ଏବର୍ଷ ମୌସୁମି ସ୍ବାଭାବିକ ସମୟଠାରୁ ପ୍ରାୟ ୫ ଦିନ ଆଗୁଆ ଅର୍ଥାତ ମେ ୨୭ରେ କେରଳ ଛୁଇଁବ। କିନ୍ତୁ ବିଗତ କିଛି ଦିନ ହେଲାଣି ମୌସୁମିର ଗତି ସ୍ଥିର ହୋଇଯାଇଥିବାରୁ ଏହା କେରଳ ଛୁଇଁବାକୁ ଆଉ ୨-୩ ଦିନ ବିଳମ୍ବ ହେବ ବୋଲି ଆଇଏମଡି କହିଛି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ଦକ୍ଷିଣ ଆଣ୍ଡାମାନରେ ପଶ୍ଚିମା ପବନର ଗତି ସବଳ ହୋଇଛି । ସେହିପରି ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ, କେରଳ ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ଆରବ ସାଗର ଉପର ଆକାଶ ଘନମେଘାଚ୍ଛନ୍ନ ରହିଛି ।

କେରଳ ଓ ଲାକ୍ଷାଦ୍ବୀପରେ ଥିବା ଆଇଏମଡିର ୧୪ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ଅତିକମରେ ୯ଟି କେନ୍ଦ୍ରରେ ଲଗାତାର ଦୁଇଦିନ ଧରି ୨.୫ ମିଲିମିଟରରୁ ଅଧିକ ବର୍ଷା ହେଲେ ତାହା ମୌସୁମୀର ଆଗମନ ବୋଲି ଧରାଯାଇଥାଏ ।

ଆସନ୍ତା ମେ ୩୦ରୁ ଜୁନ ୨ ମଧ୍ୟରେ ମୌସୁମି କେରଳ ଛୁଇଁପାରେ । କିନ୍ତୁ ତାହା ଟିକିଏ ଦୁର୍ବଳ ରହିବ ବୋଲି ପାଣିପାଗ ଗବେଷକ ଅକ୍ଷୟ ଦେଓରାସ କହିଛନ୍ତି ।

ଭାରତର ଏକ ବଡ଼ ଜନସଂଖ୍ୟା କୃଷି ଓ ତତସଂପର୍କିତ କ୍ଷେତ୍ର ଉପରେ ନିର୍ଭରଶୀଳ ଥିବାରୁ ଭାରତୀୟ ଅର୍ଥନୀତି ଉପରେ ମୌସୁମିର ଏକ ବଡ଼ ପ୍ରଭାବ ରହିଛି ।

 

ସମ୍ବନ୍ଧିତ ଖବର