କାଜୁ ରପ୍ତାନୀ ହ୍ରାସ: ବିପନ୍ନରେ ୧୬ ହଜାର ଲୋକଙ୍କ ଜୀବିକା

ଧକେଇ ଚାଲିଛି ଶିଳ୍ପ, ଅମଳ କାଜୁ ରଖିବାକୁ ଜାଗା ନାହିଁ

କୋରାପୁଟ: ଆଉ ସହଜରେ ମିଳୁନି କୋରାପୁଟିଆ କାଜୁ। ପାଟିକୁ ସୁଆଦିଆ ଲାଗୁଥିବା ଏହି କାଜୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଆଉ ମିଳୁନାହିଁ। ମିଳିଲେ ବି ଦର ପକେଟକୁ ବାଧିଛି। ଯେଉଁ କାଜୁ ଆମ ପାଟିକୁ ବାଜୁଛି ତାହା ବାହାର ରାଜ୍ୟରୁ ଆମଦାନୀ ହୋଇଥିବା କାଜୁ। କୋରାପୁଟିଆ କାଜୁରେ ରହିଥିବା ସୁଆଦ ଆଉ ମିଳୁନି। ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ପରି। ଏମିତି ଏକ ଆଶଙ୍କା ଏବେ କୋରାପୁଟ ସୃଷ୍ଟି ହୋଇଛି ଯେ ସମୟ ଆସିବ ଜିଲ୍ଲାରୁ କାଜୁ ଉଭାନ ହୋଇଯିବା ପରି ଆଶଙ୍କା ହେଲାଣି। କୋରାପୁଟ ଜିଲ୍ଲାରେ ଏବେ ପ୍ରଚୁର କାଜୁ ଅମଳ ହୋଇଛି। କିନ୍ତୁ ରପ୍ତାନୀ ହ୍ରାସ ପାଇଥିବାବେଳେ ରଖିବାକୁ ଜାଗା ନାହିଁ। ଏଭଳି ପରିସ୍ଥିତିରେ କାଜୁ ସଂଗ୍ରହ କରୁଥିବା ୧୬୦୦୦ ଲୋକଙ୍କ ଜୀବିକା ଉଜୁଡ଼ିଯିବାକୁ ବସିଛି।

ଜିଲ୍ଲାର ୧୪ଟି ବ୍ଲକରେ କାଜୁ ଚାଷ କରାଯାଉଥିବାବେଳେ ୩୮୬ ହେକ୍ଟର ଜମିରେ ଏହି ଚାଷ କରାଯାଉଛି। ୨୦୨୨-୨୩ ବର୍ଷ‌ରେ ପ୍ରତି ବ୍ଲକରେ ଆଉ ୧୦ ହେକ୍ଟର ଲେଖାଏଁ ଜମିରେ କାଜୁ ବଗିଚା ହେବ ବୋଲି ଯୋଜାନା କରାଯାଇଛି। ତେବେ ଚଳିତବର୍ଷ କୋରାପୁଟ ଜିଲ୍ଲାରେ କାଜୁ ଭଲ ଅମଳ ହୋଇଛି। ହେକ୍ଟରକୁ ୩୫ କୁଇଣ୍ଟାଲରୁ ୪୫ କୁଇଣ୍ଟାଲ ଅମଳ ହୋଇଥିବା କୋରାପୁଟ ଜଲ୍ଲା ଉଦ୍ୟାନକୃଷି ବିଭାଗ ସୂଚନା ଦେଇଛି। ହେଲେ ଏହାକୁ ସମ୍ଭାଳିବାକୁ ଜିଲ୍ଲାରେ ଜୁ ନାହିଁ। କାଜୁ ଶିଳ୍ପ ପାଇଁ ସରକାରଙ୍କ ଉଦାସିନତା, କରୋନା ମାଡ ସହ ୟୁକ୍ରେନ-ଋଷ ଯୁଦ୍ଧର ପ୍ରଭାବ, କଞ୍ଚାମାଲର ଅଭାବ ସହ ମାନବସମ୍ଭଳର ଅଭାବ ପରିଲକ୍ଷିତ ହୋଇଛି। ଏପରି ହେଲେ ପ୍ରାୟ ୧୬ହଜାର ଲୋକ ସେମାନଙ୍କ ଜୀବନଜୀବିକା ବିପନ୍ନ ହେବାର ଆଶଙ୍କା ରହିଛି।

ଏବେ ବଜାରରେ କେଜି ପ୍ରତି କାଜୁ ୮୦୦ରୁ ୧୨୦୦ ଟଙ୍କାରେ ମିଳୁଥିବାବେଳେ ପୂର୍ବରୁ ୬୦୦ ଟଙ୍କା ମିଳୁଥିଲା କୋରାପୁଟିଆ କାଜୁ। ସମୟଥିଲା ଏହିଠାରୁ ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଉତ୍ତରପ୍ରଦ‌େଶ, କେରଳ ଓ ପଶ୍ଚିମବଙ୍ଗକୁ ରପ୍ତାନି ହୋଇଥାଏ କୋରାପୁଟିଆ ଗୋଟା କାଜୁ। ଏବେ ବାହାରୁ ଆମଦାନୀ କରି ରାଜ୍ୟରେ ବିକ୍ରି ହେଉଛି। ସୂଚନା ଅନୁସାରେ କୋରାପୁଟରେ ଏବେ ୫୫ରୁ ଅଧିକ  କାଜୁ ମିଲ୍‌ ରହିଛି। ଏହି କାଜୁ ମିଲ୍‌ ଚାଲିବା ପାଇଁ ବାର୍ଷିକ ପ୍ରାୟ ୫୦ହଜାର ମେଟ୍ରିକ ଟନ କ˚ଚାମାଲର ଆବଶ୍ୟକତା ରହିଛି। କିନ୍ତୁ ଏଠାରେ ମାତ୍ର ୧୫ହଜାର ମେଟ୍ରିକ ଟନ କଞ୍ଚାମାଲମିଳିଥାଏ। ଯାହା ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, କୋରାପୁଟ, ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, ନନ୍ଦପୁର, ରାୟଗଡାର ଗୁଣୁପୁର, ବିଶମକଟକ, ଗୁଡାରୀ ଆଦି ଅଞ୍ଚଳରୁ ଆମଦାନୀ ହୋଇଥାଏ। ତେଣୁ ମିଲ୍‌ମାଲିକଙ୍କୁ ବାର୍ଷିକ ପ୍ରାୟ ୩୫ହଜାର ମେଟ୍ରିକ ଟନ୍‌ରୁ ୪୫ ହଜାର ମେଟ୍ରିକ୍‌ ଟନ୍‌ କଞ୍ଚାମାଲ ବାହାର ଦେଶରୁ ଆମଦାନୀ କରିବାକୁ ପଡେ। ଦକ୍ଷିଣ ଆଫ୍ରିକା, କେନିଆ, ଇଣ୍ତୋନେସିଆ, ବର୍ଲିନ ଆଦି ଦେଶରୁ କଞ୍ଚାମାଲ ଅଣାଯାଇ ଏଠାରେ କାଜୁ ପ୍ରସ୍ତୁତ କରାଯାଏ।

କିନ୍ତୁ ୟୁକ୍ରେନ-ଋଷ ଯୁଦ୍ଧ ପାଇଁ ଏବେ ଏହି ଆମଦାନୀ ମହଙ୍ଗା ହୋଇ ଯାଇଛି। ଭାରତ ସରକାର ଆମଦାନୀ ଶୁଳ୍କକୁ ଆଶାତିତ ଭାବେ ବଢାଇ ଦେଇଥିଲାବେଳେ କଞ୍ଚାମାଲଆସୁଥିବା ଦେଶ ମଧୢ ରପ୍ତାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ତେଣୁ ଏବେ କଞ୍ଚାମାଲ ଆମଦାନୀ ଆଶାତିକ ଭାବେ ମହଙ୍ଗା ହୋଇ ଯାଇଛି। ଏଭଳି ସ୍ଥିତିରେ କାଜୁ ମିଲ୍‌ ଚଳାଇବା କଷ୍ଟକର ବ୍ୟାପାର ବୋଲି ମିଲ ମାଲିକମାନେ ପ୍ରକାଶ କରିଛନ୍ତି। ଏହସାହ ସବୁଠୁ ବଡ ସମସ୍ୟା ହେଉଛି କଞ୍ଚାମାଲର ଅଭାବ। କୋରାପୁଟରେ ମୁଖ୍ୟତଃ ୫ଟି ଜୋନ ରହିଛି। ଏହି ଜୋନ ମଧ୍ୟରେ ପ୍ରମୁଖ ଭୂମିକା ରହିଛି ଲମତାପୁଟ, କୋରାପୁଟ, ବୈପାରିଗୁଡା, କୁନ୍ଦୁରା ଓ ଜୟପୁର।

ପ୍ରତିବର୍ଷ ଏହି ଜୋନରୁ କେଜି ପ୍ରତି ୨୦୧୮ରେ ୧୫୦ରୁ ୧୬୦ ଟଙ୍କା ଦେଇ କିଣାଯାଉଥିବାବେଳେ ୨୦୧୯ରେ ୧୦୦ରୁ ୧୧୦ ଟଙ୍କା, ୨୦୨୦ବର୍ଷ ୮୦ରୁ ୯୦ ଟଙ୍କା, ୨୦୨୧ରେ ୧୧୦ରୁ ୧୩୦ ଓ ୨୦୨୨ରେ ୧୮୦ରୁ ୨୦୦ଟଙ୍କା ଦରରେ କାଜୁ କିଣାଯାଉଛି। ପ୍ରାଥମିକ ଆକଳନ ଅନୁସାରେ ଏଠାରେ ପ୍ରାୟ ୧୬ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। କାଜୁ ମିଲ୍‌ ବନ୍ଦ ହୋଇଗଲେ ଏହି ଲୋକମାନଙ୍କର ଜୀବନଜୀବିକା ବିପନ୍ନ ହୋଇଯିବ। ଅଧିକା˚ଶ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ଘୋର ଆର୍ଥିକ ସଙ୍କଟରେ ପଡିଯିବ। କରୋନା ହେତୁ ୮ମାସ ହେଲା ସମସ୍ୟା କମି ନ ଥିବାବେଳେ କଞ୍ଚାମାଲ ନ ମିଳିବା କାଜୁ ଶିଳ୍ପ ପ୍ରତି ଆଶାଙ୍କା ଘୋଟି ଆସିଛି।

କାଜୁ ମିଲ ମାଲିକ ସ˚ଘର ସଭାପତି ପେଣ୍ଟା ରମେଶଙ୍କ କହିବାନୁଯାୟୀ ଶୁଳ୍କ ବଢି ଯାଇଥିବାରୁ ବାହାର ଦେଶରୁ କଞ୍ଚାମାଲଆଣି ଏଠାରେ କାଜୁ ପ୍ରସ୍ତୁତ କରିବା କଷ୍ଟକର ହୋଇ ପଡିବ। କେବଳ ସ୍ଥାନୀୟ କଞ୍ଚାମାଲଉପରେ ନିର୍ଭର କରିବାକୁ ପଡିବ। ଏମିତି ହେଲେ ମାସକୁ ଅଧାରୁ ଅଧିକ ଦିନ ମିଲ ବନ୍ଦ ରହିବ। ଆବଶ୍ୟକ ଅନୁଯାୟୀ କଞ୍ଚାମାଲମିଳୁ ନ ଥିବାରୁ କିଛି ମିଲ ବନ୍ଦ ହୋଇଯିବା ପରି ମଧୢ ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ତେବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ପରିଡା କହିଛନ୍ତି ଯେ, ଆମେ କୌଣସି ମିଲ ମାଲିକଙ୍କ ପାଖରୁ କଞ୍ଚାମାଲ ଅଭାବ ନେଇ ଅଭିଯୋଗ ପାଇନୁ। ଅଭିଯୋଗ ପାଇଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କିଛି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର