ଆସନ୍ତା ବର୍ଷରେ ଜିଏସଟି ରାଜସ୍ୱ ମାସିକ ୧ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ: ଜିଏସଟି ରାଜସ୍ୱ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ମାସକୁ ୧ ଲକ୍ଷ କୋଟି ରେ ପହଞ୍ଚିବା ଆଶା କରାଯାଉଛି । ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ ପ୍ରକ୍ରିୟା ସ୍ଥିର ହେଲେ ଏବଂ ଟିକସ ଠକେଇ ରୋକିବାକୁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପ ଗୁଡ଼ିକ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ଏହା ସମ୍ଭବ ହୋଇପାରିବ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

୨୦୧୮-୧୯ ଆର୍ଥିକ ବର୍ଷରେ ଜିଏସଟି ରାଜସ୍ୱ ବାବଦରେ ୭.୪୪ ଲକ୍ଷ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଗତ ଜୁଲାଇରୁ ଫେବ୍ରୁଆରୀ ମଧ୍ୟରେ ୪.୪୪ ଲକ୍ଷ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ପାଇଁ ଅଟକଳ କରାଯାଇଛି । ତେବେ ମାର୍ଚ୍ଚ ମାସର ରାଜସ୍ୱ ସଂଗ୍ରହ ଏପ୍ରିଲ ମାସରେ ହେବ । ଗତ ବର୍ଷ ଜୁଲାଇ ମାସରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା । ପ୍ରଥମ ମାସରେ ଅର୍ଥାତ୍‌ ଜୁଲାଇରେ ଜିଏସଟି ସଂଗ୍ରହ ୯୫ ହଜାର କୋଟି ଥିଲା, ଅଗଷ୍ଟରେ ୯୧ ହଜାର କୋଟି, ସେପ୍ଟେମ୍ବରରେ ୯୨ ହଜାର କୋଟି ରହିଥିଲା । କିନ୍ତୁ ଅକ୍ଟୋବର , ନଭେମ୍ବର ଓ ଡିସେମ୍ବର ମାସରେ ରାଜସ୍ୱ ଆଦାୟ କମିଯାଇ ହାରାହାରି ଯଥାକ୍ରମେ ୮୩ ହଜାର କୋଟି, ୮୦ ହଜାର କୋଟି ଓ ୮୬ ହଜାର କୋଟିରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର