ପୁଣି ହାତୀର ଖଣ୍ଡବିଖଣ୍ଡିତ କଙ୍କାଳ ଉଦ୍ଧାର

କଟକ: ‘ସମ୍ବାଦ’ଆଶଙ୍କା ସତ ହୋଇଛି। ଆଜି ପୁଣି ଆଠଗଡ଼ ବନଖଣ୍ଡରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲର କୁଶପାଳ ବିଟ୍‌ ଅଂଚଳରୁ ଏକ ହାତୀର ଖଣ୍ଡବିଖଣ୍ଡିତ କଙ୍କାଳ ଉଦ୍ଧାର କରାଯାଇଛି। ହାତୀର କଙ୍କାଳ ଉଦ୍ଧାର ହେବା ପରେ ଏହି ଘଟଣା ପ୍ରାୟ ଦୁଇବର୍ଷ ତଳର ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ୍‌ ପାଖାପାଖି ୨ବର୍ଷ ବା ତାଠାରୁ ଅଧିକ ଦିନ ତଳୁ ହାତୀକୁ ମାରି ଏଭଳି ପୋତି ଦିଆଯାଇଛି। ତାର ଶରୀର ନଷ୍ଟ ହୋଇଯାଇଥିବାରୁ ଏହାର ଲିଙ୍ଗ ନିରୂପଣ କରିବା ସମ୍ଭବ ହୋଇପାରିନଥିବା ବେଳେ ଏହାର ବୟସ ୪୦ବର୍ଷରୁ ଅଧିକ ହୋଇଥିବା ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାସ୍ଥଳରୁ ହାତୀର ହାଡ଼ ସବୁ ଜବତ୍‌ କରି ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି।

ଏହି ଘଟଣାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କେବଳ ବଡ଼ମ୍ବାରୁ ୪ଟି ହାତୀ କଙ୍କାଳ ମାଟି ତଳୁ ଉଦ୍ଧାର ହେଲାଣି। ଅନ୍ୟପଟେ ଆଠଗଡ଼ ବନଖଣ୍ଡରେ ହାତୀ କଙ୍କାଳ ମାଟି ତଳୁ ଜବତ୍‌ ଘଟଣାରେ ସରକାର ତଦନ୍ତ ପାଇଁ ଯେଉଁ ଏସ୍‌ଆଇଟି ଟିମ୍‌ ଗଠନ କରିଛନ୍ତି ସେହି ୬ଜଣିଆ ଟିମ୍‌ ଆଜି ବଡମ୍ବା ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟ‌ାନ କରିବା ସହିତ ଡିଏଫ୍‌ଓ ଓ ଅନ୍ୟ ବନ କର୍ମଚାରୀଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରୁଥିବା ଜଣାପଡିଛି। ଏହି ଟିମ୍‌ ସିରିଜ୍‌ ହାତୀ କଙ୍କାଳ ଜବତ୍‌ ଘଟଣାର ଛାନ୍‌ଭିନ୍‌ ତଦନ୍ତ ଚଳାଇଥିବାବେଳେ ଆଜି ପୁଣି ହାତୀ କଙ୍କାଳ ଉଦ୍ଧାର କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଟିମ୍‌ ଉପସ୍ଥିତିରେ ହିଁ ଏହି ଖଣ୍ଡବିଖଣ୍ଡିତ ହାତୀ କଙ୍କାଳ ଉଦ୍ଧାର କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଗୋପପୁର ସେକ୍ସନରେ ଆହୁରି ଏଭଳି ହାତୀ କଙ୍କାଳ ମାଟି ତଳେ ପୋତୋ ହୋଇଥିବା ନେଇ ଅଭିଯୋଗ ହେଉଛି।

 

ସମ୍ବନ୍ଧିତ ଖବର