ବିଜୁଳି ପ୍ରସଙ୍ଗ ଉପରେ ବିରୋଧୀ ଦଳ ଉଠାଇଥିବା ଅଭିଯୋଗ ଅମୂଳକ: ମନ୍ତ୍ରୀ

ଅସନ୍ତୁଷ୍ଟ ବିଜେପି ସଭ୍ୟଙ୍କ କକ୍ଷତ୍ୟାଗ

ଭୁବନେଶ୍ବର : ବିଧାନସଭା ଗୃହରେ ବିଜୁଳି ପ୍ରସଙ୍ଗ ଉପରେ ବିରୋଧୀ ଦଳ ଉଠାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ବିରୋଧୀଙ୍କୁ ଜବାବ ଦେଇ ମନ୍ତ୍ରୀ କହିଥିଲେ, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ଓ ଅମୂଳକ। ଗାଁ ଗାଁରେ ବିଜୁଳି ଭିତ୍ତିଭୂମି ଦେଖିଲେ ୨୦ ହଜାର କୋଟି ଟଙ୍କା କିପରି ଖର୍ଚ୍ଚ ହୋଇଛି ତାହାର ଉତ୍ତର ବିଧାୟକମାନେ ପାଇଯିବେ। ଓଡ଼ିଶାରେ ପିକ୍ ସମୟରେ ଯେତିକି ଚାହିଦା ଅଛି, ତାହାକୁ ଭରଣା କରିବା ପାଇଁ ଆମର କୌଣସି ସମସ୍ୟା ନାହିଁ। ରାଜ୍ୟରେ ବିଜୁଳି କାଟ ହେଉନାହିଁ। କେବଳ ରକ୍ଷଣାବେକ୍ଷଣ ପାଇଁ ସାମୟିକ ଭାବେ ବିଜୁଳି କାଟ ହେଉଛି।

ମନ୍ତ୍ରୀ କହିଥିଲେ, ସାମୟିକ ଭାବେ ବିଜୁଳି ମିଳିବାରେ କିଛିଟା ସମସ୍ୟା‌ ଦେଖାଦେଇଥାଏ। ଏପ୍ରିଲ ମାସରେ ସାମୟିକ ଭାବେ କିଛି ଅଞ୍ଚଳରେ ବିଦ୍ୟୁତ କାଟ ହେଉଥିଲା। ସେତେବେଳେ ସାରା ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା। କିନ୍ତୁ ଏପ୍ରିଲ୍‌ ୨୫ ତାରିଖରୁ କୌଣସି ଘୋଷିତ ବିଦ୍ୟୁତ କାଟ ହେଉ ନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଆବଣ୍ଟନ କମ୍ପାନିମାନଙ୍କୁ ବିଦ୍ୟୁତ କାଟ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାର୍ଥୀମାନଙ୍କ ବାର୍ଷିକ ପରୀକ୍ଷା ଥିବାରୁ ପରୀକ୍ଷା ସମୟରେ ଓ ସନ୍ଧ୍ୟା ବେଳେ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ନ ଆସିବା ପାଇଁ ବିଦ୍ୟୁତ ନ କାଟିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଗ୍ରିଡ୍‌କୋ ଜରିଆରେ ଏହି ନିଅଣ୍ଟକୁ ଭରଣା କରିବା ପାଇଁ ବିଦ୍ୟୁତ ବଜାରରୁ ୟୁନିଟ୍‌ ପିଛା ୧୨ରୁ ୧୬ ଟଙ୍କା ଦରରେ କିଣି ବିଦ୍ୟୁତ ଆବଣ୍ଟନ କମ୍ପାନିଙ୍କୁ ହାରାହାର ୟୁନିଟ୍‌ ପିଛା ୩ ଟଙ୍କା ୧୨ ପଇସାରେ ଯୋଗାଇ ଦେଇଥିଲେ।

lmd.lk

ମନ୍ତ୍ରୀ ଯୁକ୍ତି ଦର୍ଶାଇଥିଲେ ଯେ ଆର୍‌ଇସି ରିପୋର୍ଟ ଅନୁଯାୟୀ ଓଡ଼ିଶାର ହାରାହାରି ବିଦ୍ୟୁତ ଯୋଗାଣ ଦର ସାରା ଭାରତରେ ତୁଳନାତ୍ମକ ଭାବେ କମ୍। କିଛି ରାଜ୍ୟ ସରକାର ଉପଭୋକ୍ତାମାନଙ୍କୁ ରାଜସ୍ବ ସବ୍‌ସିଡି ପ୍ରଦାନ କରୁଛନ୍ତି। ଓଡ଼ିଶାରେ ବିଦ୍ୟୁତ ସଂସ୍କାର ପରେ ଉପଭୋକ୍ତାମାନଙ୍କୁ ରାଜସ୍ବ ସବ୍‌ସିଡି ସିଧାସଳଖ ନ ଦେବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବୋଝ ନ ଦେବା ପାଇଁ ଗତ ୮ରୁ ୧୦ ବର୍ଷ ଭିତରେ ଟ୍ରାନ୍ସମିସନ୍ ବଣ୍ଟନ ଭିତ୍ତିଭୂମି ସୃଷ୍ଟି ପାଇଁ ସରକରା ବିଭିନ୍ନ ‌ଯୋଜନାରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶକ୍ତି କ୍ଷେତ୍ରରେ ସଂସ୍କାର ପରେ ରାଜ୍ୟରେ ଗ୍ରାହକ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇ ୬ ଲକ୍ଷ ଟଙ୍କା ହୋଇଛି। ଟ୍ରାନ୍ସଫର୍ମର୍‌ କ୍ଷମତା ୪,୨୩୫ରୁ ୨୪,୪୨୦ ଏମ୍‌ଭିଏ ହୋଇଛି। ବଣ୍ଟନ ଟ୍ରାନ୍ସଫର୍ମର୍‌ ନମ୍ବର ୪୦,୧୦୦ରୁ ବଢ଼ି ଅଢ଼େଇ ଲକ୍ଷରେ ପହଞ୍ଚିଛି। ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ସହ ଟାଟା ପାୱାରଙ୍କୁ ବିତରଣ ଦାୟିତ୍ବ ଦେଇଛନ୍ତି। ଆସନ୍ତା ୫ ବର୍ଷ ଭିତରେ ଟାଟା ସହ ମିଶି ୫ ହଜାର କୋଟି ଟଙ୍କା ଭିତ୍ତିଭୂମି ବାବଦକୁ ଖର୍ଚ୍ଚ ହେବ। ଶକ୍ତି କ୍ଷେତ୍ରରେ ହୋଇଥିବା ସଂସ୍କାରର ସୁଫଳ ଓଡ଼ିଶା ପାଇଛି ବୋଲି ମନ୍ତ୍ରୀ ଜୋର୍‌ ଦେଇଥିଲେ।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର