କାହାପାଇଁ ମରୁଛନ୍ତି ଚାଷୀ…: ଚାଷ ନା ପରିବାର? ୧୦ବର୍ଷରେ ୭୯ ଚାଷୀଙ୍କ ଆତ୍ମହତ୍ୟା

କେବଳ ପଶ୍ଚିମ ଓଡ଼ିଶାରୁ ୩୪, ଚାଷ ପାଇଁ ନୁହେଁ, ପରିବାର ପାଇଁ ମରୁଛନ୍ତି: କୃଷି ମନ୍ତ୍ରୀ

ଭୁବନେଶ୍ବର : ବିଗତ ୧୦ବର୍ଷ ଅର୍ଥାତ୍‌ ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟର ୨୧ଟି ଜିଲ୍ଲାରେ ୭୯ଜଣ ଚାଷୀ କୃଷିଜନିତ କାରଣରୁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ବି କରାଯାଇଛି। କିନ୍ତୁ; ତଦନ୍ତ ରିପୋର୍ଟରେ କୃଷିଜନିତ କାରଣରୁ ନୁହେଁ, ବରଂ ପାରିବାରିକ ସମସ୍ୟା କିମ୍ବା ସେହିଭଳି ଅନ୍ୟ କିଛି କାରଣ ଯୋଗୁ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା କୁହାଯାଇଛି। ଖୋଦ୍‌ କୃଷିମନ୍ତ୍ରୀ ବିଧାନସଭାରେ ଏହିଭଳି ଏକ ଉତ୍ତର ରଖିଥିବାବେଳେ ୨୦୧୫ ମସିହାରେ ବଲାଙ୍ଗୀରର ୩ଜଣ ଚାଷୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଭିନ୍ନଦିଗକୁ ସୂଚିତ କରିଛି। ଚାଷରେ କ୍ଷତି, ଋଣ ଭାର ଯୋଗୁ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କ ରିପୋର୍ଟରେ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିବା ଦର୍ଶାଇଛନ୍ତି। ଏପରିକି ଏହା ଚା‌ଷରେ କ୍ଷତି କି ଋଣ ଭାର ଜନିତ ଆତ୍ମହତ୍ୟା ତାହା ବି ଲେଖିନାହାନ୍ତି। ଫଳରେ; ପ୍ରକୃତରେ ଚାଷ ପାଇଁ ନା ପାରିବାରିକ ସମସ୍ୟା କାରଣରୁ ଚାଷୀ ପ୍ରାଣ ହରାଉଛନ୍ତି- ତାହା ଏବେ ବିବାଦୀୟ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଛି।

The New Indian Express

ସେହି ୨୦୧୩ ମସିହାରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କୃଷିଜନିତ କାରଣରୁ ପ୍ରାଣହରାଇଥିବା ନେଇ ଅଭିଯୋଗ ହୋଇଥିଲା। ସେଥିମଧ୍ୟରୁ ୨୦୧୫ ମସିହାରୁ ୨୦୧୮ ଏହି ୪ବର୍ଷ ମଧ୍ୟରେ ନବରଙ୍ଗପୁରରେ ୩ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। କିନ୍ତୁ, ଆତ୍ମହତ୍ୟା କରିଥିବା ୩ଜଣ ଚାଷୀ ପାରିବାରିକ ଗଣ୍ଡଗୋଳ ଯୋଗୁ ଆତ୍ମହତ୍ୟା କରିଥିବା କିମ୍ବା କାରଣ ଜଣାନଥିବା ରିପୋର୍ଟରେ ଦର୍ଶାଯାଇଛି। ବରଗଡ଼ରେ ୨୦୧୫ମସିହାରୁ ୨୦୧୭ ମସିହା ମଧ୍ୟରେ ସର୍ବାଧିକ ୧୪ଜଣ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହିସବୁ ଚାଷୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ରି‌ପୋର୍ଟରେ ଦର୍ଶାଯାଇଛି ଯେ କିଛି ଚାଷୀ ପାରିବାରିକ ଗଣ୍ଡଗୋଳ, ବ୍ୟକ୍ତିଗତ କାରଣରୁ ମାନସିକ ଚାପରେ ରହିଥିବା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଆଉ କିଛି ଚାଷୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନି। ବଲାଙ୍ଗୀର, ନବରଙ୍ଗପୁର ଓ ବଗଗଡ଼ ଭଳି ଅନ୍ୟ ଜିଲ୍ଲାମାନଙ୍କରେ ବି ତଦନ୍ତ ରିପୋର୍ଟରୁ ସମାନ ଚିତ୍ର ମିଳିଥିବା ଜଣାପଡ଼ିଛି।

୨୦୧୩ରୁ ୨୦୨୨ ମସିହା ମଧ୍ୟରେ ଚାଷୀ ଆତ୍ମହତ୍ୟାର ତାଲିକା

ଜିଲ୍ଲାଭିତ୍ତିକ ତଦନ୍ତ ରିପୋର୍ଟର ନିଷ୍କର୍ସ ହେଉଛି, ତଦନ୍ତ ବେଳେ କୃଷି ବିଭାଗର ଅଧିକାରୀ ଆତ୍ମହତ୍ୟାର କାରଣ ଜାଣିପାରି ନାହାନ୍ତି। ଏପରିକି କୃଷିଜନିତ କାରଣ ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରିନାହାନ୍ତି। ‌ତେବେ, ଏହି ରିପୋର୍ଟ ଆଧାର‌ରେ କୃଷିମନ୍ତ୍ରୀ କିଭଳି କୃଷିଜନିତ କାରଣରୁ ଜଣେ ବି ଚାଷୀ ପ୍ରାଣ ହରାଇନଥିବା ବିଧାନସଭା ଉତ୍ତର ରଖିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ, ଯେଉଁଠି ଆତ୍ମହତ୍ୟାର କାରଣ କ’ଣ ଜଣାନାହିଁ ସେଠାରେ କାହିଁକି ପରିବାର ଲୋକଙ୍କ ଅଭିଯୋଗକୁ ଗ୍ରହଣ କରାଯାଉନି ବୋଲି ବି ପ୍ରଶ୍ନ ଉଠିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି , ମୃତ ୭୯ଜଣ ଚାଷୀଙ୍କ ମଧ୍ୟରୁ ୩୪ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର। ‌ତେବେ, କେବଳ ପଶ୍ଚିମ ଓଡ଼ିଶାରୁ କାହିଁକି ଏତେସଂଖ୍ୟକ ଚାଷୀ ଆତ୍ମହତ୍ୟା କରିଛନ୍ତି? ସେହିଭଳି, ୩୦ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ କାହିଁକି ଚ‌ାଷୀ ଆତ୍ମହତ୍ୟା ନେଇ ଅଭିଯୋଗ ଆସିଛି? ବାକି ଜିଲ୍ଲାରେ ଚାଷୀଙ୍କ ଅବସ୍ଥା କ’ଣ ଠିକ୍‌ ଅଛି? ଏହିଭଳି ଅନେକ ପ୍ରଶ୍ନ ଉଙ୍କିମାରିବାରେ ଲାଗିଛି।

ଏପରିସ୍ଥଳେ, ସମ୍ବନ୍ଧ ନଥାଇ ବି ଚାଷୀ ମୃତ୍ୟୁସହିତ ରାଗିଂ ଜନିତ କାରଣରୁ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବି କେହିକେହି ଯୋଡ଼ୁଥିବା ବି ଦେଖିବାକୁ ମିଳୁଛି। ବିଜେବି କଲେଜର +୩ ଛାତ୍ରୀ ରୁଚିକା ଆତ୍ମହତ୍ୟାକୁ ସପ୍ତାହେରୁ ଅଧିକ ଦିନ ବିତିଗଲାଣି। ସେମାନଙ୍କ କହିବା କଥା, ଏହା ରାଗିଂ ଜନିତ ଆତ୍ମହତ୍ୟା ବୋଲି ପରିବାର ଲୋକ, ସାଙ୍ଗସାଥୀ କହୁଥିଲେ ବି ପୁଲିସ ଏପର୍ଯ୍ୟନ୍ତ ଏହାକୁ ପ୍ରମାଣିତ କରିପାରିନି। ଏପରିକି ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ରୁଚିକା ଆତ୍ମହତ୍ୟା କରିଥିବା ମାନୁଥିଲେ ବି ଏହା ରାଗିଂଜନିତ ଆତ୍ମହତ୍ୟା ବୋଲି ମାନିନାହାନ୍ତି। ସେହିଭଳି, ୧୦ବର୍ଷରେ ଯେଉଁ ୭୯ ଜଣ ଚାଷୀ କୃଷିଜନିତ କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି। ବିଧାନସଭାରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉତ୍ତର ଏହା ପ୍ରତିପାଦିତ କରିଥିବାବେଳେ ଏହାର ବାସ୍ତବ ଚିତ୍ର କ’ଣ, ତାହା ଏବେ ସନ୍ଦେହ ଘେରକୁ ଆସିଯାଇଛି।

ସମ୍ବନ୍ଧିତ ଖବର