୫-ଟି ସଚିବଙ୍କ ଜାଲ୍‌ ଦସ୍ତଖତରେ ନିଯୁକ୍ତିପତ୍ର: ପାଟକୁରା ଥାନାରେ ମାମଲା; ପୁଲିସର ଛାନଭିନ୍

ଗରଦପୁର : ୫-ଟି ସଚିବ ଭିକେ ପାଣ୍ତିଆନଙ୍କ ସ୍ବାକ୍ଷରରେ ଜାଲ୍‌ ନିଯୁକ୍ତିପତ୍ର ଦେଇ ଠକିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ଗ୍ରାମର ପାର୍ବତୀ ବେହେରା ଏହି ଅଭିଯୋଗ କରିଛନ୍ତି। ପାର୍ବତୀଙ୍କ ଅଭିଯୋଗ ଅନୁସାରେ, ମୋବାଇଲ ହ୍ବାଟ୍ସଆପ ମାଧ୍ୟମରେ ତାଙ୍କର ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ମହେଶ୍ବର ପ୍ରଧାନଙ୍କ ସହିତ ସମ୍ପର୍କ ଯୋଡ଼ି ହୋଇଥିଲା। ମହେଶ୍ବର ନିଜକୁ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ପରିଚୟ ଦେଇଥିଲେ। ପରେ ପାର୍ବତୀଙ୍କ ମନରେ ବିଶ୍ବାସ ଜନ୍ମାଇ ତାଙ୍କର ୨ ପୁଅ ଏବଂ ଗୋଟିଏ ଝିଅକୁ ରାଜସ୍ବ ବିଭାଗରେ ନିଯୁକ୍ତି କରାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ମହେଶ୍ବରଙ୍କ କଥାରେ ବିଶ୍ବାସ କରି ପୁଅ ରଶ୍ମିରଂଜନ ବେହେରା, ସତ୍ୟ ରଂଜନ ବେହେରା ଓ ଝିଅ ସ୍ମୃତିମୟୀ ବେହେରାଙ୍କ ଦରଖାସ୍ତ ଓ ଯୋଗ୍ୟତାର ପ୍ରମାଣପତ୍ର ପାର୍ବତୀ ଦେଇଥିଲେ। ଆନୁସଙ୍ଗିକ କାଗଜପତ୍ର ନେବାପରେ ୩ ଜଣ ପିଲାଙ୍କ ନିଯୁକ୍ତି ପାଇଁ ୩ ଲକ୍ଷ ଟଙ୍କା ଦେବାକୁ କଥା ଛିଣ୍ତିଥିଲା। ପ୍ରଥମ ଦଫାରେ ଅଫିସ ଖର୍ଚ୍ଚ ବାବଦରେ ମହେଶ୍ବର ୧ ଲକ୍ଷ ଟଙ୍କା ନେଇଥିଲେ। ରଶ୍ମିରଂଜନ ଓ ସ୍ମୃତିମୟୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିଲେ। ସେହି ନିଯୁକ୍ତିପତ୍ରରେ ୫ଟି ସଚିବଙ୍କ ସ୍ବାକ୍ଷର ରହିଥିଲା।

ରେଜିଷ୍ଟ୍ରି ଡାକରେ ଆସିଥିବା ନିଯୁକ୍ତିପତ୍ର ଧରି ରଶ୍ମିରଂଜନ ଭଦ୍ରକ ବାସୁଦେବପୁର ବ୍ଲକ୍‌କୁ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଚାକିରିରେ ଯୋଗଦେବାକୁ ଯାଇଥିଲେ। ହେଲେ, ସେହି ନିଯୁକ୍ତିପତ୍ର ଦେଖି ବାସୁଦେବପୁର ବ୍ଲକ୍ ଅଧିକାରୀ ହଡ଼ବଡେଇ ଯାଇଥିଲେ। ତାଙ୍କ ପାଖକୁ କୌଣସି ଅଫିସିଆଲ ସୂଚନା ଆସି ନଥିବାରୁ ୫-ଟି ସଚିବ ଭିକେ ପାଣ୍ତିଆନଙ୍କ ଦସ୍ତଖତରେ ଥିବା ଅଫିସ ଅର୍ଡରକୁ ଦେଖି ସେମାନେ ଚକିତ ହୋଇଯାଇଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ସେମାନେ ଯାଞ୍ଚ କରି ନିଷ୍ପତ୍ତି ନିଆଯିବ ‌ବୋଲି କହି ରଶ୍ମିରଂଜନଙ୍କୁ ଫେରାଇ ଦେଇଥିଲେ। ଅନ୍ୟପଟେ ସ୍ମୃତିମୟୀ ବେହେରାଙ୍କ ନାମରେ ଆସିଥିବା ନିଯୁକ୍ତିପତ୍ର ଧରି ସେ ଚାକିରିରେ ଯୋଗଦେବାକୁ ପୁରୀ ଜିଲା ସାକ୍ଷୀଗୋପାଳ ବ୍ଲକରେ ପହଞ୍ଚି ଥିଲେ। କିନ୍ତୁ ସେଠି ବି ତାଙ୍କୁ ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତା’ପରେ ପାର୍ବତୀ ଯେତେ ଫୋନ୍ କଲେ ବି ମହେଶ୍ବର ଆଉ ତାଙ୍କ ଫୋନ୍ ଉଠାଇ ନଥିଲା। ତା’ପରଠାରୁ ସେହି ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା। ପାର୍ବତୀ ପାଟକୁରା ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର