ବିଡ଼ମ୍ବନା: ଧନୀ ମାଟିରେ ମା’-ଛୁଆ ରୋଗଣା, ୭୦ ଭାଗ ମହିଳା ରକ୍ତହୀନତାରେ ପୀଡ଼ିତ

ଜନ୍ମରୁ ୫ ବର୍ଷ ମଧ୍ୟରେ ବର୍ଷକୁ ମରନ୍ତି ୧୫ ହଜାର ଶିଶୁ, ଆଦିବାସୀ ଅଞ୍ଚଳରେ ସେମାନଙ୍କ ହାର ୬୮%ରୁ ଅଧିକ

ଭୁବନେଶ୍ବର: ଆମ ରାଜକୋଷକୁ ସମୃଦ୍ଧ କରି ଆସୁଥିବା ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡ଼ିକ ମୁଖ୍ୟତଃ ଖଣିଜ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦରେ ଭରପୂର। ମାତ୍ର ବିଡ଼ମ୍ବନା ହେଲା, ଏସବୁ ଧନୀ ମାଟିର ଅମୃତ ସନ୍ତାନମାନେ ସବୁଠୁ ଗରିବ। ବିଶେଷକରି, ଏ ଅଞ୍ଚଳର ମାଆମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ରୋଗୀଣା। ସେମାନେ ଜନ୍ମ ଦେଉଥିବା ଶିଶୁଙ୍କ ମଧ୍ୟରୁ ୩୫% ଅପପୁଷ୍ଟିର ଶିକାର। ତେଣୁ ଅଧିକାଂଶ ଶିଶୁଙ୍କ ଓଜନ କମ୍‌, ସେମାନେ କ୍ଷୀଣକାୟ ଓ ରୋଗଗ୍ରସ୍ତ। ରାଜ୍ୟରେ ବର୍ଷକୁ ଯେତେ ଶିଶୁ ଜନ୍ମ ନିଅନ୍ତି, ସେମାନଙ୍କ ମଧ୍ୟରେ ୫ ବର୍ଷ ନପୂରୁଣୁ ହାରାହାରି ୬୮% ଅକାଳ ମୃତ୍ୟୁବରଣ କରନ୍ତି। ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏ ସଂକ୍ରାନ୍ତ ପ୍ରଶ୍ନରେ ଏଭଳି ଉଦ୍‌ବେଗଜନକ ତଥ୍ୟ ରଖିଛନ୍ତି ସରକାର।

ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ହାର (ପ୍ରତି ୧୦୦୦ରେ) ସାମାନ୍ୟ ହ୍ରାସ ପାଇ ଗତ ୫ ବର୍ଷରେ ୩୯.୬ ପଏଣ୍ଟରୁ ୩୬.୩କୁ ଖସିଥିବା ସରକାର ଦାବି କରୁଛନ୍ତି। ଅପରପକ୍ଷରେ ବର୍ଷକୁ ହାରାହାରି ୧୫ ହଜାର ହିସାବରେ ଗତ ଜୁଲାଇ ସୁଦ୍ଧା (୪ ବର୍ଷ ୭ ମାସରେ) ଆମ ରାଜ୍ୟରେ ୬୫ ହଜାର ୬୯୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସରକାର ସ୍ବୀକାର କରୁଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାକୃତିକ ସମ୍ପଦଭରା ଆଦିବାସୀ ଅଞ୍ଚଳରେ ଏହି ବର୍ଗର ହାରାହାରି ୬୮% ଅର୍ଥାତ ୪୪ ହଜାର ୮୮୪ ଜଣ ଶିଶୁଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ଏହାସତ୍ତ୍ବେ ଏହି ପରିସଂଖ୍ୟାନ ଶତ ପ୍ରତିଶତ ସତ ସତ୍ୟ ହୋଇ ନପାରେ, ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (୨୦୨୧) ରିପୋର୍ଟ ଆଧାରରେ ସ୍ବାସ୍ଥ୍ୟମନ୍ତ୍ରୀ ରଖିଥିବାବେଳେ ଏହି ରିପୋର୍ଟର ଏକ ଗୁରୁତ୍ବପୂର୍ଣ୍ଣ ପରିସଂଖ୍ୟାନକୁ ହିସାବ କରି ନଥିବା ଲକ୍ଷ୍ୟ କରାଯାଇଛି। ତାହାହେଲା-ଏହି ରିପୋର୍ଟ ଅନୁଯାୟୀ ୨୦୧୯ରୁ ୨୦୨୧ ମଧ୍ୟରେ ଆମ ରାଜ୍ୟରେ ଜନ୍ମରୁ ୫ ବର୍ଷ ବୟସ ଯାଏ ଶିଶୁଙ୍କ ମଧ୍ୟରୁ ସହରାଞ୍ଚଳରେ ହାରାହାରି ୮୦.୧% ଓ ଗ୍ରାମାଞ୍ଚଳରେ ହାରାହାରି ୬୭.୮%ଙ୍କର ମୃତ୍ୟୁ ପଞ୍ଜୀକରଣ ହୋଇଛି। ଅର୍ଥାତ୍ ସହରାଞ୍ଚଳରେ ହାରାହାରି ୨୦% ଓ ଗ୍ରାମାଞ୍ଚଳରେ ମୃତ୍ୟୁବରଣ କରୁଥିବା ଏହି ବର୍ଗର ଶିଶୁଙ୍କ ମଧ୍ୟରୁ ୩୨%ରୁ ଅଧିକ ଶିଶୁଙ୍କ ମଲା ଖବର ସରକାରୀ ଫାଇଲକୁ ଆସିନାହିଁ। ସୁତରାଂ ଦୁର୍ଗମ ଆଦିବାସୀ ଅଞ୍ଚଳରେ ୫ ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କ ନିକଟରେ ପହଞ୍ଚିବା ସୁଯୋଗ ପ୍ରାୟତଃ ନାହିଁ। ଯଦି ସେହି ଶିଶୁଙ୍କ ମୃତ୍ୟୁ ପଞ୍ଜୀକରଣ ଶତ ପ୍ରତିଶତ ହୋଇଥା’ନ୍ତା, ତେବେ ସେମାନଙ୍କ ମୃତ୍ୟୁ ସଂଖ୍ୟା ହାରାହାରି ୨୫% ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ଦେଶର ୨୧ଟି ରାଜ୍ୟରେ ଥିବା ଜିଲ୍ଲା ଖଣିଜ ଫାଉଣ୍ଡେସନ୍ (ଡିଏମ୍‌ଏଫ୍‌)କୁ ଆସୁଥିବା ମୋଟ ଅର୍ଥର ୨୮%ରୁ ଅଧିକ ଆମ ରାଜ୍ୟର ବିଭିନ୍ନ ଡିଏମ୍‌ଏଫ୍‌କୁ ଆସୁଛି, ଏହାଛଡ଼ା ଆମ ରାଜ୍ୟର ବାର୍ଷକ ଖଣିଜ ରାଜସ୍ବ ଏବେ ୫୦ ହଜାର କୋଟି ଟଙ୍କାକୁ ଛୁଇଁଲାଣି। ଏସବୁ ଅର୍ଥର ସିଂହଭାଗ ଖଣି କ୍ଷତିଗ୍ରସ୍ତଙ୍କ ଜୀବନ-ଜୀବିକା ସୁରକ୍ଷା ପାଇଁ ବିନିଯୋଗ ହେବାର ସ୍ପଷ୍ଟ ନିୟମ ଥିବାବେଳେ ଆମ ରାଜ୍ୟରେ ସେହି ବର୍ଗଙ୍କ ଅବସ୍ଥା ଏମିତି କାହିଁକି? ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ରମ୍ ଏହି ବିଧାନସଭାରେ ଅନ୍ୟ ଏକ ପ୍ରଶ୍ନରେ ଉତ୍ତର ରଖିଥିଲେ ଯେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (୨୦୧୫-୧୬) ରିପୋର୍ଟ ଅନୁଯାୟୀ ରାଜ୍ୟରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ହାରାହାରି ୬୫.୬ ଜଣ ମୃତ୍ୟୁବରଣ କରୁଛନ୍ତି। ଏହାର ୫ ବର୍ଷ ପରେ ୨୦୨୧ରେ ହୋଇଥିବା ସେହି ସର୍ଭେ ଅନୁଯାୟୀ ସେମାନଙ୍କ ହାର କମିବା ବଦଳରେ ବରଂ ୬୬.୨କୁ ବଢ଼ିଛି ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (୨୦୨୧) ରିପୋର୍ଟ ଆଧାରରେ ସ୍ବୀକାର କରିଛନ୍ତି ଯେ ରାଜ୍ୟରେ ହାରାହାରି ୬୪.୩% ମହିଳା ରକ୍ତହୀନତାରେ ପୀଡ଼ିତ। ପୁଣି ସନ୍ତାନସମ୍ଭବା ମହିଳାଙ୍କ ମଧ୍ୟରେ ୬୧.୮% ରକ୍ତହୀନତା ରହିଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଦେବଗଡ଼ ଆଦି ଜିଲ୍ଲାରେ ଯଥାକ୍ରମେ ୭୩, ୭୧.୮, ୬୯.୭, ୬୮.୮, ୭୨.୧ ଭାଗ ମହିଳା ରକ୍ତହୀନତାରେ କାଳାତିପାତ କରୁଥିବାବେଳେ ସର୍ବାଧିକ ଖଣି ରାଜସ୍ବ ଦେଉଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଯଥାକ୍ରମେ ୬୯.୮ ଓ ୬୯ ଭାଗ ମହିଳା ଏଥିରେ ପୀଡ଼ିତ। ତେବେ ବିସ୍ମୟଜନକ ହେଲା ଶିଳ୍ପୋନ୍ନତ ଅନୁଗୁଳ ଜିଲ୍ଲାରେ ୭୫.୮, ଝାରସୁଗୁଡ଼ାରେ ୬୮.୧ ଓ ସମ୍ବଲପୁରରେ ୬୭.୧ ଭାଗ ମହିଳା ରକ୍ତହୀନତାରୁ ମୁକ୍ତ ନୁହନ୍ତି। ଅନୁଗୁଳ ଜିଲ୍ଲାରେ ୭୫.୭ ଗର୍ଭବତୀ ମହିଳାଙ୍କଠାରେ ରକ୍ତହୀନତା ଥିବାବେଳେ ଗଜପତିରେ ସେମାନଙ୍କ ଭାଗ ୭୭.୪। ରାୟଗଡ଼ାରେ ୭୭.୩, କେନ୍ଦୁଝରରେ ୭୪.୭, ମାଲକାନଗିରିରେ ୭୪.୩, କଳାହାଣ୍ଡିରେ ୭୦.୨, ସୁନ୍ଦରଗଡ଼ ଜିଲ୍ଲାରେ ୬୮.୪ ଭାଗ ଗର୍ଭବତୀ ମହିଳା ମଧ୍ୟ ରକ୍ତହୀନତାର ଶିକାର।

ସାମଗ୍ରିକ ବିକାଶର ଧ୍ବନୀ ସତ୍ତ୍ବେ ପୁଷ୍ଟିହୀନତା ଯୋଗୁଁ ଆମ ରାଜ୍ୟରେ ହାରାହାରି ୨୯.୭% ଶିଶୁଙ୍କ ଓଜନ ସ୍ବାଭାବିକତା ଠାରୁ କମ୍, ୩୧% ଶିଶୁ ଖର୍ବକାୟ। ଏହି ହାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଯଥେଷ୍ଟ ଅଧିକ। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୪୬.୬% ଶିଶୁଙ୍କ ଓଜନ କମ୍ ଥିବା ବେଳେ ତା’ ପଛକୁ ନୟାଗଡ଼ରେ ୪୫.୯%, ନବରଂଗପୁରରେ ୪୧.୬%, ବରଗଡ଼ରେ ୩୯.୮% ଶିଶୁ କମ ଓଜନର। ଉପକୂଳବର୍ତ୍ତୀ ଢେଙ୍କାନାଳ, ପୁରୀ ଜିଲ୍ଲାରେ ମଧ୍ୟ ଅପପୁଷ୍ଟିରୁ ୩୮%ରୁ ଅଧିକ ଶିଶୁଙ୍କ ଓଜନ କମ।

ସମ୍ବନ୍ଧିତ ଖବର