ଜିଆର୍‌ଏସ୍‌ଙ୍କୁ ଅପହରଣ ସନ୍ଦେହ: ମିଳିଲା ବାଇକ୍ ଓ ମୋବାଇଲ୍

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଷୋଳଘର ଓ ସୁନାଥର ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ସ୍ବାଗତ ପଣ୍ଡା ହଠାତ୍ ନିଖୋଜ ହୋଇଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଜି ତାଙ୍କ ବାଇକ୍ ଓ ମୋବାଇଲ୍ ମିଳିବା ପରେ ବିଭିନ୍ନ ସନ୍ଦେହ ଘନୀଭୂତ ହୋଇଛି। ଏପରିକି ତାଙ୍କୁ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ ଏକ ନିଖୋଜ ମାମଲା ରୁଜୁ ସହ କରି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତି ସାଢ଼େ ୯ଟାରେ ସ୍ବାଗତ ପୁରୁଷୋତ୍ତମପୁର ବିଡିଓଙ୍କ ପାଖକୁ ଯାଉଛି ବୋଲି ପତ୍ନୀ ଲିଜାରାଣୀଙ୍କୁ କହି ଘରୁ ବାଇକ୍‌ରେ ବାହାରକୁ ବାହାରିଥିଲେ। କିନ୍ତୁ, ଆଉ ଫେରି ନଥିଲେ। ଆଜି ସକାଳେ ପରିବାରବର୍ଗ ବ୍ୟସ୍ତବିବ୍ରତ ହୋଇ ଖୋଜାଖୋଜି କରିଥିଲେ ହେଁ, ସ୍ବାଗତଙ୍କ ଖୋଜ୍‌ଖବର ମିଳି ନଥିଲା। ହଠାତ୍ ଗଡ଼ସାହିରେ ତାଙ୍କ ବାଇକ୍ ଓ ହରିଜନ ସାହିରୁ ମୋବାଇଲ୍ ମିଳିଥିଲା। ପତ୍ନୀ ଲିଜାରାଣୀ ସଂଗେ ସଂଗେ ପୁରୁଷୋ‌ତ୍ତମପୁର ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଥିଲେ। ଏହି ଘଟଣାକୁ ନେଇ ବ୍ଲକ୍ କର୍ମଚାରୀ ଆତଙ୍କିତ ହୋଇ ରହିଛନ୍ତି। ସ୍ବାଗତ କେଉଁଠି ଅଛନ୍ତି ନା, ତାଙ୍କୁ ଅପହରଣ କରିନିଆଯାଇଛି ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ଉପରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର