ଲର୍ଡସ ଲଢ଼େଇ ୩ ଦିନରେ ଶେଷ, ଦକ୍ଷିଣ ଆଫ୍ରିକାଠୁ ଇଂଲଣ୍ଡର ପାଳି ପରାଜୟ

ଲର୍ଡସ : ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଲର୍ଡସ ଲଢ଼େଇ ମାତ୍ର ୩ ଦିନ ଭିତରେ ଶେଷ ହୋଇଯାଇଛି। ଶୃଙ୍ଖଳାର ଏହି ପ୍ରଥମ ଟେଷ୍ଟ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବିଜୟ ହାସଲ କରିଛି। ବୋଲରଙ୍କ କମାଲ ବଳରେ ଏହି ଦଳ ଘରୋଇ ଇଂଲଣ୍ଡକୁ ପାଳି ପରାଜୟ ଭେଟି ଦେଇଛି। ଉଭୟ ପାଳିରେ ଦୟନୀୟ ବ୍ୟାଟିଂ କରି ଇଂଲଣ୍ଡ ଗୋଟିଏ ପାଳି ଓ ୧୨ ରନ୍‌ରେ ମ୍ୟାଚ୍‌ ହାରିଯାଇଛି। ଦକ୍ଷିଣ ଆଫ୍ରିକା ଗୋଟିଏ ପାଳିରେ ୮୯.୧ ଓଭର ଖେଳିଥିଲା ବେଳେ ଇଂଲଣ୍ଡ ଉଭୟ ପାଳିରେ ମୋଟ ୮୨.୪ ଓଭର କ୍ରିଜ୍‌ରେ ତିଷ୍ଠି ପାରିଥିଲା। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ହାସଲ କରିନେଇଛି ଦକ୍ଷିଣ ଆଫ୍ରିକା। କାଗିସୋ ରବାଦା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ରଥମ ପାଳିରେ ୧୬୧ ରନ୍‌ ପଛରେ ପଡ଼ିଯାଇଥିବା ଇଂଲଣ୍ଡ ଦ୍ବିତୀୟ ପାଳିରେ ୧୪୯ ରନ୍‌ କରିପାରିଥିଲା। ଫଳରେ ତୃତୀୟ ଦିବସର ଚା’ ପାନ ବିରତିକୁ ଯିବା ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକା ବୋଲରମାନେ ମ୍ୟାଚ୍‌କୁ ଶେଷ କରିଦେଇଥିଲେ। ପ୍ରଥମ ପାଳିରେ ୪୫ ଓଭର ଖେଳିଥିବା ଇଂଲଣ୍ଡ ଦ୍ବିତୀୟ ପାଳିରେ ୩୭.୪ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରଥମ ପାଳିରେ ୫ ୱିକେଟ୍‌ ଦଖଲ କରିଥିବା କାଗିସୋ ରବାଦା ୨, କେଶବ ମହାରାଜ ୨ ଓ ମାର୍କୋ ଜା‌ନ୍‌ସେନ୍‌ ୨ ଏବଂ ଅନ୍‌ରିକ୍‌ ନର୍ଖିଆ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଅବଶିଷ୍ଟ ୱିକେଟ୍‌ଟି ଲୁଙ୍ଗି ଏନ୍‌ଗିଡ଼ିକୁ ମିଳିଥିଲା। ଇଂଲଣ୍ଡ ଦ୍ବିତୀୟ ପାଳିରେ ଆଲେକ୍ସ ଲିଜ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ୩୫ ରନ୍‌ ଲେଖାଏଁ କରିଥିଲେ।

ଏହା ପୂର୍ବରୁ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨୮୯/୭ କରିଥିବା ଭ୍ରମଣକାରୀ ଦଳ ଶୁକ୍ରବାର ତୃତୀୟ ଦିବସରେ ଆଉ ୧୨.୧ ଓଭର ଖେଳି ଅବଶିଷ୍ଟ ୩ ୱିକେଟ୍‌ ହରାଇବା ପୂର୍ବରୁ ଦଳୀୟ ସ୍କୋର୍‌ରେ ୩୭ ରନ୍ ଯୋଡ଼ିଥିଲା। ଅନ୍‌ରିକ୍‌ ନର୍ଖିୟା ୨୮ ରନ୍‌ରେ ଅପରାଜିତ ରହିଥିଲେ। ତାଙ୍କୁ ସହଯୋଗ ଦେଇ କେଶବ ମହାରାଜ ୪୧ ରନ୍‌ର ମୂଲ୍ୟବାନ ପାଳି ଖେଳିଥିଲେ। ଫଳରେ ୩୨୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବା ସହିତ ପ୍ରଥମ ପାଳିରେ ୧୬୧ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ଏହାପରେ ଭ୍ରମଣକାରୀ ଦଳର ବୋଲରମାନେ ତୃତୀୟ ଦିବସ ମଧ୍ୟାହ୍ନ ବିରତି ବେଳକୁ ଇଂଲଣ୍ଡର ୨ଟି ୱିକେଟ୍‌ ଝଡ଼ାଇ ଦେଇଥିଲା ବେଳେ ଦ୍ବିତୀୟ ସେସନ୍‌ରେ ୨୫.୪ ଓଭରରେ ୮ ୱିକେଟ୍‌ ଦଖଲ କରିନେଇଥିଲେ। ଅଧିନାୟକ ବେନ୍‌ ଷ୍ଟୋକ୍ସ ଉଭୟ ପାଳିରେ ସମାନ ୨୦ ରନ୍‌ ଲେଖାଏଁ କରିଥିଲେ। ଏହି ଟେଷ୍ଟ୍‌ର ବର୍ଷାବାଧାପ୍ରାପ୍ତ ପ୍ରଥମ ଦିବସରେ ୬ ଏବଂ ଦ୍ବିତୀୟ ଦିବସରେ ୧୧ ୱିକେଟ୍‌ ଝଡ଼ିଥିଲା।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି ୧୬୫ (ଓଲି ପୋପ୍‌-୭୩, କାଗିସୋ ରବାଦା-୫/୫୨, ଅନ୍‌ରିକ୍‌ ନର୍ଖିୟା-୩/୬୩, ମାର୍କୋ ଜାନ୍‌ସେନ୍‌-୨/୩୦)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୮୯.୧ ଓଭରରେ ୩୨୬ (ସେରେଲ ଇର୍‌ୱି-୭୩, ମାର୍କୋ ଜାନ୍‌ସେନ-୪୮, ଡିନ୍‌ ଏଲ୍‌ଗାର-୪୭, ‌କେଶବ ମହାରାଜ-୪୧, ଅନ୍‌ରିକ୍‌ ନର୍ଖିୟା-୨୮*, ଷ୍ଟୁଆର୍ଟ ବ୍ରଡ୍‌-୩/୭୧, ବେନ୍‌ ଷ୍ଟୋକ୍ସ-୩/୭୧, ମ୍ୟାଟି ପଟ୍‌ସ-୨/୭୯)। ଇଂଲଣ୍ଡ ଦ୍ବିତୀୟ ପାଳି ୩୭.୪ ଓଭରରେ ୧୪୯ (ଆଲେକ୍ସ ଲି-୩୫, ଷ୍ଟୁଆର୍ଟ ବ୍ରଡ୍‌-୩୫, ବେନ୍‌ ‌‌ଷ୍ଟୋକ୍ସ-୨୦, ଅନ୍‌ରିକ୍‌ ନର୍ଖିୟା-୩/୪୭, ମାର୍କୋ ଜାନ୍‌ସେନ୍‌-୨/୧୩, କାଗିସୋ ରବାଦା-୨/୨୭, କେଶବ ମହାରାଜ-୨/୩୫)।

ସ୍ବତନ୍ତ୍ର ଲର୍ଡସ କ୍ଲବ୍‌ରେ ବ୍ରଡ

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଲର୍ଡସ ଟେଷ୍ଟ୍‌ରେ ଷ୍ଟୁଆର୍ଟ ବ୍ରଡ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଗୁରୁବାର ଦ୍ବିତୀୟ ଦିବସରେ ଏହି ଇଂଲିସ ଦ୍ରୁତ ବୋଲର କାଇଲ ଭର୍ନେନ୍‌ଙ୍କୁ ଆଉଟ୍‌ କରି ଦ୍ବିତୀୟ ବୋଲର ଭାବେ ଲର୍ଡସ୍‌ରେ ୧୦୦ ୱିକେଟ୍‌ ନେବାର ଗୌରବ ପାଇଥିଲେ। ପୂର୍ବରୁ ତାଙ୍କ ବୋଲିଂ ସାଥୀ ଜେମ୍ସ ଆଣ୍ଡରସନ୍‌ ଏହି ଗୌରବ ପାଇଥିଲେ। ବ୍ରଡ ମଧ୍ୟ ଗୋଟିଏ ସ୍ଥାନରେ ୧୦୦ ୱିକେଟ୍‌‌ ନେବାରେ ଚତୁର୍ଥ ବୋଲର ହୋଇଛନ୍ତି। ଏହି କ୍ଲବ୍‌ରେ ରହିଥିବା ଅନ୍ୟ ୩ ଜଣ ହେଲେ ଆଣ୍ଡରସନ୍‌, ଶ୍ରୀଲଙ୍କା କିଂବଦନ୍ତି ମୁଥିଆ ମୁରଲୀଧରନ ଏବଂ ରଙ୍ଗନା ହେରାଥ। ମୁଥିଆ ୩ଟି ସ୍ଥାନ (କଲମ୍ବୋ-୧୬୬, କାଣ୍ଡି-୧୭୭, ଗଲ୍‌-୧୧୧)ରେ ଏହି ସଫଳତା ପାଇଥିଲା ବେଳେ ଅଣ୍ଡରସନ୍‌ (ଲର୍ଡ୍ସ-୧୧୭*), ହେରାଥ (ଗଲ୍‌-୧୦୨) ଓ ବ୍ରଡ (ଲର୍ଡ୍ସ-୧୦୦*) ଗୋଟିଏ ସ୍ଥାନରେ ୧୦୦ ୱିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର