ଋଷରେ ଗିରଫ ହୋଇଥିବା ଆତଙ୍କବାଦୀକୁ ପଚରାଉଚୁରା କରିବା ପାଇଁ ମସ୍କୋ ଯାଇପାରନ୍ତି ଏନଆଇଏ ଓ ଆଇବି ଅଧିକାରୀ

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍ ଆତଙ୍କବାଦୀ ଋଷରେ ଧରାପଡ଼ିଛି। ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍‌ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଋଷର ସୁରକ୍ଷା ସଂସ୍ଥା ଏଫଏସବି ଏହାକୁ ପଣ୍ଡ କରିଦେଇଥିଲା । ଏବେ ଏଫଏସବି ଅଫିସରଙ୍କ ସମ୍ପୃକ୍ତ ଆତଙ୍କବାଦୀକୁ ଅଟକ ରଖିଥିବାବେଳେ ପଚରାଉଚୁରା ପାଇଁ କେନ୍ଦ୍ରୀୟ ଏଜେନ୍ସି ଋଷ ଯାଇପାରନ୍ତି ।

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଟିମ ଋଷ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏହି ଦଳ ଋଷରେ ଗିରଫ ହୋଇଥିବା ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ପଚରାଉଚରା କରିବାକୁ ମସ୍କୋ ଯିବେ ।

ସୂଚନା ମୁତାବକ ଋଷର ସର୍ବୋଚ୍ଚ ଗୁପ୍ତଚର ସଂସ୍ଥା ସୋମବାର କହିଥିଲା ଯେ ଏହି ବ୍ୟକ୍ତି ଜଣକ ମଧ୍ୟ ଏସୀୟ ଦେଶରୁ ଆସିଥିବାବେଳେ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଛନ୍ତି। ଭାରତୀୟ ଏଜେନ୍ସିମାନେ ତାଙ୍କ ଭାରତ ଲିଙ୍କ୍ ଜାଣିବା ପାଇଁ ଋଷ ଯିବେ ବୋଲି ସୂଚନା ମିଳିଛି | ଏଫଏସବି ସିଏସ୍‌ଓ ଉକ୍ତ ଆତ୍ମଘାତୀ ଆକ୍ରମଣକାରୀର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଏହି ଭିଡିଓରେ ସେ ଭାରତରେ ଆକ୍ରମଣ କରିବାପାଇଁ ଯୋଜନା କରିଥିବା ମାନିଥିଲା ।

ସମ୍ବନ୍ଧିତ ଖବର