ପାକ୍ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମବେଦନାମୂଳକ ଟ୍ବିଟ୍

ଶେହବାଜ ‌ସରିଫଙ୍କ କାଶ୍ମୀର ପ୍ରସଙ୍ଗକୁ ନେଇ ଅଯୌକ୍ତିକ ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମବେଦନାମୂଳକ ଟ୍ବିଟ୍ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସରକାରଙ୍କ ଉପରେ ଅଯୌକ୍ତିକ ପ୍ରସ୍ତାବ ଲଦିବା ଆରମ୍ଭ କରିଦେଇଛନ୍ତି। ଏହା ମାଧ୍ୟମରେ ରାଜନୈତିକ ଫାଇଦା ହାସଲ କରିବା ଓ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ସ୍ବପ୍ନ ଦେଖୁଥିବା ନାଗରିକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟ୍ବିଟ୍ କରିଥିଲେ ଯେ ପାକିସ୍ତାନରେ ବନ୍ୟା ଓ ବର୍ଷାଜନିତ ବିପର୍ଯ୍ୟୟ ପାଇଁ ସେ ଅତ୍ୟନ୍ତ ଦୁଃଖିତ। ଏଥିସହ ଖୁବ୍ ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କିନ୍ତୁ ପାକିସ୍ତାନକୁ କୌଣସି ସାହାଯ୍ୟ ଦେବାର ଘୋଷଣା କରି ନ ଥିଲେ। ଏହାପରେ ପାକିସ୍ତାନ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ ନିଜଆଡ଼ୁ କହିଥିଲେ ଯେ ବନ୍ୟାରେ ଫସଲ ଉଜୁଡ଼ି ଯାଇଥିବାରୁ ତାଙ୍କ ଦେଶ ଭାରତରୁ ଖାଦ୍ୟ ଓ ପନିପରିବା ଆମଦାନି ପାଇଁ ବିଚାର କରିପାରେ। ତାଙ୍କର ଏପରି ବିବୃତି ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିନା କାରଣରେ ନରେନ୍ଦ୍ର ମୋଦୀଙ୍କ ସରକାର ଉପରେ ବର୍ଷିବାକୁ ଆରମ୍ଭ କରିଦେଲେ। ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାର ଥିବାରୁ ଏହା ମାଧ୍ୟମରେ ନିଜର ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ରାଜନୈତିକ ଫାଇଦା ହାସଲ କରିବା ଏବଂ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଠାଇବା ପ୍ରସଙ୍ଗ ଉଠାଇ ସାଧାରଣ ଭୋଟରଙ୍କୁ ଖୁସି କରିବା ଥିଲା ତାଙ୍କର ଉଦ୍ଦେଶ୍ୟ।

ସତକଥା ହେଲା, ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ବାରା ୨୦୧୬ ପଠାନକୋଟ ଆକ୍ରମଣ ପରଠାରୁ ମୋଦୀ ସରକାର ଓ ପାକିସ୍ତାନ ସରକାର ଭିତରେ କୌଣସି ଯୋଗାଯୋଗ ବା ସମ୍ପର୍କ ନାହିଁ। କେବଳ ସୀମାରେ ଗୁଳିଗୋଳା ବିନିମୟ ଆଦି ନ ହେବା ପାଇଁ ଉଭୟ ଦେଶର ସୁରକ୍ଷା ବଳ ଭିତରେ ଯେତିକି ଦରକାର ସେତିକି କଥାବାର୍ତ୍ତା ହେଉଛି।

ଭାରତ ଜାଣିଛି ଯେ ପାକିସ୍ତାନ ଏବେ ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି। ଶହଶହ କୋଟି ଡଲାରର ଚୀନା ଋଣଯନ୍ତାରେ ପଡ଼ି ଏହା କଲବଲ ହେଉଛି। ଏହା ଜାଣିଛି ଯେ ଜେନେରାଲ କାମର ଜାୱେଦ ବାଜୱାଙ୍କ ନେତୃତ୍ବାଧୀନ ରାଓଲପିଣ୍ଡି ସେନା ମୁଖ୍ୟାଳୟ କାଶ୍ମୀର ପ୍ରସଙ୍ଗକୁ ପ୍ରାୟ ଛାଡ଼ିଦେଇଛି ଏବଂ ଭାରତୀୟ ସେନା ସହ ଅନ୍ତର୍ଜାତୀୟ ସୀମାରେ କୌଣସି ଉତ୍ତେଜନା ସୃଷ୍ଟି କରିବାକୁ ଚାହୁନି। କିନ୍ତୁ ପାକିସ୍ତାନୀ ରାଜନେତାମାନେ ରାଜନୈତିକ ଫାଇଦା ପାଇଁ ଏହି ପ୍ରସଙ୍ଗକୁ ଉତ୍‌ଥାପନ କରୁଛନ୍ତି। ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଏହିପରି ପ୍ରସଙ୍ଗକୁ ଉଜ୍ଜୀବିତ ରଖିବାକୁ ଚେଷ୍ଟା କରିବେ।

ସମ୍ବନ୍ଧିତ ଖବର