ନୟାଗଡ଼ରୁ ଧରାପଡ଼ିଲା ଅନ୍ତଃରାଜ୍ୟ ବାଇକ୍‌ ଚୋର ଗ୍ୟାଙ୍ଗ୍‌

୫୧ଟି ବାଇକ୍‌ ଜବତ, ୫ ଅଭିଯୁକ୍ତ ଗିରଫ, ବିଭିନ୍ନ ଜିଲ୍ଲାରୁ ଚୋରି କରିଛନ୍ତି ବାଇକ୍‌

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୁଲିସ ହାତରେ ଏକ ଆନ୍ତରାଜ୍ୟ ବାଇକ୍‌ ଚୋର ଗ୍ୟାଙ୍ଗ୍‌ ଧରାପଡ଼ିଛି। ଟାଉନ୍‌ ଥାନା ସମେତ ସଦର ଥାନା ଓ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ମିଳିତ ଚେଷ୍ଟା, ଏସ୍‌ପି ଅଲେଖଚନ୍ଦ୍ର ପହିଙ୍କ ତନାଘନା ପରେ ଏହି ଗ୍ୟାଙ୍ଗ୍‌ରୁ ମୁଖା ଖୋଲିଛି। ଏସ୍‌ପି ଶ୍ରୀ ପହି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତାଙ୍କର ୪ ସହଯୋଗୀ ଅର୍ଥାତ୍‌ ସମୁଦାୟ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୫୧ଟି ବିଭିନ୍ନ ପ୍ରକାରର ବାଇକ୍‌ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲାରୁ ୨ଟି ବାଇକ୍‌ ଚୋରି ମାମଲାରେ ଏହି ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ବେଳେ, ପୁରୀ, ଖୋର୍ଦ୍ଧା, ଗଞ୍ଜାମରୁ ମଧ୍ୟ ଏମାନେ ଗାଡ଼ି ଚୋରି କରିଛନ୍ତି।  ନିଆଳି ଥାନା ଅଧୀନ ମଝିଖଣ୍ଡ ଗ୍ରାମର ଅନିଲ ସାହୁ ଓରଫ୍‌ ବୁଲୁ (୩୬) ମୁଖ୍ୟ ଅଭିଯୁକ୍ତ ସହିତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଅଲିପୁରର କୃଷ୍ଣଚନ୍ଦ୍ର ପଲେଇଙ୍କ ପୁଅ ନିଲୁ ଓରଫ୍‌ ମିଟୁ(୨୯), ଟାଙ୍ଗୀ ଥାନା ଅଧୀନ ବାରିକୋ ବଧିପାଟଣାର ଗ୍ରାମର ଦୁଷ୍ମନ୍ତ ସାହୁ(୨୪), ବେଗୁନିଆ ଥାନା ଅଧୀନ ଧଳାପଥର ଗ୍ରାମର ସଞ୍ଜୀବ କୁମାର ସାହୁ(୨୮) ଓ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନ ଗୁଣ୍ଡୁରିସାହିର ଋତୁରାଜ ଦୀପ(୨୪) ଥିବା ଜଣାପଡ଼ିଛି।

ଏସ୍‌ପିଙ୍କ ସୂଚନା ମୁତାବକ, ଟାଉନ ଥାନା ଏଏସ୍‌ଆଇ ସୀମାଞ୍ଚଳ ସ୍ବାଇଁ ଓ ଟିମ୍‌ ଗତକାଲି ସନ୍ଧ୍ୟାରେ ଏନ୍‌ଏଚ୍‌ ୫୭ ଘଡ଼ୁଆଳ ନିକଟରେ ବାଇକ୍‌ ଯାଞ୍ଚ କରୁଥିଲେ। ଏହି ସମୟରେ ଗିରଫ ମୁଖ୍ୟ ଅଭିଯୁକ୍ତ ଅନିଲ ସାହୁ ଓ ଋତୁରାଜ ଦୀପ୍‌ ବିନା ‌ହେଲ୍‌ମେଟ୍‌ରେ ଆପାଚି ବାଇକ୍‌ ଦୁଇଟିରେ ଭୁବନେଶ୍ବରରୁ ନୟାଗଡ଼ ଅଭିମୁଖେ ଆସୁଥିଲେ। ବିନା ହେଲମେଟ୍‌ରେ ଆସୁଥିବାରୁ ପୁଲିସ ହାତରେ ଧରା ପଡ଼ିବା ପରେ ସେମାନଙ୍କ ନାମ, ଠିକଣା ସମ୍ପର୍କରେ ଭୁଲ୍‌ ସୂଚନା ଦେଇଥିଲେ। ଦୁଇଜଣଙ୍କ ବାଇକ୍‌ରେ ଲେଖାଥିବା ନମ୍ବର ମଧ୍ୟ ନକଲି ବୋଲି ପ୍ରମାଣିତ ହେବାରୁ ଧୀରେ ଧୀରେ ସମସ୍ତ ସତ କଥା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନେ ବିକ୍ରି କରିଥିବା ଚୋରି ଗାଡ଼ି ଉଦ୍ଧାର କରିଥିଲା। ମୁଖ୍ୟ ଅଭିଯୁକ୍ତ ଅନିଲ ନାମରେ ନୟାଗଡ଼ର ଇଟାମାଟି, ଦଶପଲ୍ଲା, କଟକ, କଟକ ଗ୍ରାମାଞ୍ଚଳ ପୁଲିସ ଥାନା, ଜଗତସିଂହପୁର ଆଦି ଜିଲ୍ଲାରେ ହତ୍ୟା ଉଦ୍ୟମ ସମେତ ସମୁଦାୟ ୧୮ଟି ମାମଲା ରହିଛି। ଉଦ୍ଧାର ଗାଡ଼ିଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ଫେରାଇବାକୁ ଯୋଗାଯୋଗ କରାଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର