ବାୟୁରେ ଭାସମାନ ବର୍ଜ୍ୟବସ୍ତୁ କଣିକା ସ୍ତର ହ୍ରାସ ଲକ୍ଷ୍ୟ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଜି ବିଶ୍ବ ପାଇଁ ବଡ଼ ଆହ୍ବାନ ପାଲଟିଛି। ଏଭଳି ସମୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ସମବେଦନାର ସହ ଏହି ଆହ୍ବାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର ୭ ପ୍ରଦୂଷଣପ୍ରବଣ ଶିଳ୍ପାଞ୍ଚଳ ସହର ଯଥା ଅନୁଗୁଳ, ତାଳଚେର, ବାଲେଶ୍ବର, ଭୁବନେଶ୍ବର, କଟକ, କଳିଙ୍ଗନଗର ଓ ରାଉରକେଲାଠାରେ ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହାସହ ବାୟୁରେ ଭାସମାନ ବର୍ଜ୍ୟବସ୍ତୁ ଅବଶିଷ୍ଟାଂଶ କଣିକା ସ୍ତରକୁ ୨୦ରୁ ୩୦ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏସ୍‌ପିସିବିର ୩୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କୋଭିଡ୍‌-୧୯ ବର୍ଜ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ଏସ୍‌ପିସିବି ସମଗ୍ର ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଏସ୍‌ପିସିବିକୁ ଜଳ ଅଧିନିୟମ-୧୯୭୪, ବାୟୁ ଅଧିନିୟମ-୧୯୮୧ ଓ ପରିବେଶ ସୁରକ୍ଷା ଅଧିନିୟମ-୧୯୮୬ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିଥାଏ। ଆମେ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଦ୍ବାରା ପ୍ରଦୂଷଣକୁ ରୋକିପାରିବା ବୋଲି ମତପ୍ରକାଶ କରିଥିଲେ। ଏସ୍‌ପିସିବି ସଦସ୍ୟ ସଚିବ କେ. ମୁରୁଗେସନ୍‌ ବୋର୍ଡର ବିଭିନ୍ନ କାର୍ଯ୍ୟାବଳୀ ବିବରଣୀ ସମ୍ପର୍କରେ ଅବଧାରଣା ଦେଇଥିଲେ। ଏହି ଅବସରରେ ପାରାଦୀପ, ଗହୀରମଥା, ଧାମରା ଉପକୂଳର ୨୦୨୦-୨୨ ବର୍ଷର ବିବରଣୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ପରିବେଶ ଯନ୍ତ୍ରୀ ଏନ୍‌.ଆର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଶାସନିକ ଅଧିକାରୀ ଦେବଦତ୍ତ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର