ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌ର ସୂଚନା ଦେଲେ ମିଳିବ ୨୫ହଜାର

ଭୁବନେଶ୍ବର : ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ଲାଗି ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏହି ବେଆଇନ୍ କାର୍ଯ୍ୟରେ ଲିପ୍ତଥିବା କ୍ଲିନିକ୍ ସଂପର୍କରେ ସୂଚନା ଦେଲେ ସୂଚନାକାରୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କେବଳ ପ୍ରୋତ୍ସାହନ ରାଶି ନୁହେଁ, ତାଙ୍କର ସମସ୍ତ ତଥ୍ୟକୁ ଗୋପନୀୟ ରଖାଯିବା ସହିତ ଆଇନଗତ ମାମଲାରେ ମଧ୍ୟ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସୂଚନାକାରୀ ପ୍ରୋତ୍ସାହନ ଯୋଜନା ବା ଆଇଆଇଏସ୍‌ ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ରାଜ୍ୟବ୍ୟାପୀ ବହୁ ସଂଖ୍ୟାରେ ସ୍ତ୍ରୀରୋଗ କ୍ଲିନିକ୍ ଓ ହସ୍ପିଟାଲ ଖୋଲିଛି। ଏମାନଙ୍କ ମଧ୍ୟରୁ କେଉଁ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଅନେକ ସ୍ଥାନରେ ଲୁଚାଛପାରେ ଏହି କାରବାର ଚାଲିଛି। ବିଶେଷକରି ଏ ସମସ୍ତ କ୍ଲିନିକ୍/ହସ୍ପିଟାଲ ସଂପର୍କରେ ପ୍ରାଥମିକ ସୂଚନା ପାଇବା ହିଁ ପ୍ରମୁଖ ସମସ୍ୟା ପାଲଟିଛି। ଏଭଳି ବେଆଇନ କ୍ଲିନିକ୍‌ମାନଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର କିଛିବର୍ଷ ପୂର୍ବରୁ ଅପରେସନ୍‌ ‘ଡିକୟ’ ଆରମ୍ଭ କରିଥିଲେ। ଏହି ଯୋଜନାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ମାତ୍ର ଗୋଟିଏ ଥର ଏହି ଅପରେସନ୍‌ କରାଯାଇଛି। ଏହି ଯୋଜନା ସଂପୂର୍ଣ୍ଣଭାବେ ବିଫଳ ହୋଇଛି। ଯଦିଓ ନିକଟରେ ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟରେ ଲିପ୍ତ ଥିବା ୨ଜଣ ଡାକ୍ତରଙ୍କୁ ଦଣ୍ଡିତ କରାଯାଇଛି ହେଲେ ତାହା ଯଥେଷ୍ଟ ନୁହେଁ। ତେଣୁ ପ୍ରୋତ୍ସାହନଭିତ୍ତିକ ସୂଚନା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

୩ଟି କିସ୍ତିରେ ସୂଚନାକାରୀଙ୍କୁ ମିଳିବ ଟଙ୍କା
ସୂଚନାକାରୀଙ୍କ ନାମ ଗୋପନ ରଖାଯିବ, ସାକ୍ଷୀକୁ ଡକା ଯିବନି

thelogicalindian.com

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ ଲିଙ୍ଗ ନିରୂପଣ କରୁଥିବା ସ୍ବାସ୍ଥ୍ୟାନୁଷ୍ଠାନ ସଂପର୍କରେ ସରକାରଙ୍କ ପକ୍ଷରୁ ଜାରି ନମ୍ବରରେ ସୂଚନା ଦେବାକୁ ହେବ। ସୂଚନା ପାଇବା ପରେ ଜିଲ୍ଲା ଅନୁମୋଦନ କର୍ତୃପକ୍ଷ(ଡିଏଏ) ଏହାର ସତ୍ୟାସତ୍ୟ ଯାଞ୍ଚ କରିବେ। ଯଦି ଜିଲ୍ଲାସ୍ତରୀୟ ଟିମ୍ ଏହି ସୂଚନା ଠିକ୍ ଭାବେ ବିଚାର କରନ୍ତି ତାହାଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ପରବର୍ତୀ ସମୟରେ ଜିଲ୍ଲାର ତଦନ୍ତକାରୀ ଦଳ ସ୍ବାସ୍ଥ୍ୟାନୁଷ୍ଠାନ ବିରୋଧରେ ତଦନ୍ତ ଆରମ୍ଭ କରିବା ସହିତ ଯଦି ମାମଲା ଆଗକୁ ବଢ଼େ ତାହାଲେ ପୁନର୍ବାର ସଂପୃକ୍ତ ବ୍ୟକ୍ତିଙ୍କୁ ଆଉ ୧୦ହଜାର ଦିଆଯିବ। ଶେଷରେ ବେଆଇନ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍‌ର କର୍ମଚାରୀ କୋର୍ଟରେ ଦଣ୍ଡିତ ହେଲେ ତାଙ୍କୁ ବଳକା ୫ହଜାର ଟଙ୍କା ଦିଆଯିବାକୁ ନିଷ୍ପତ୍ତି କରାଯାଇଛି। ତେବେ କୋର୍ଟରେ ମାମଲାର ବିଚାର ଓ ଏହାର ଲମ୍ବା ପ୍ରକ୍ରିୟା ଦୃଷ୍ଟିରୁ ‌ଶେଷ ୫ହଜାର ଟଙ୍କା ପାଇବାରେ ସୂଚନାକାରୀଙ୍କୁ ହୁଏତ କିଛିଟା ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ରାଜ୍ୟରେ ୧ହଜାରର ପୁଅଙ୍କ କ୍ଷେତ୍ରରେ ୮୯୪ଜଣ ଝିଅ ରହିଛନ୍ତି। ତେଣୁ ଝିଅଙ୍କ ସଂଖ୍ୟା କମୁଛି। ରାଜ୍ୟରେ ବେଆଇନ୍‌ଭାବେ ଲିଙ୍ଗ ନିରୂପଣ କରୁଥିବା ସ୍ବାସ୍ଥ୍ୟାନୁଷ୍ଠାନ ସଂପର୍କରେ ସୂଚନା ପାଇବା କଷ୍ଟକର ହୋଇପଡ଼ୁଛି। ଏ ଦୃଷ୍ଟିରୁ ପ୍ରୋତ୍ସାହନଭିତ୍ତିକ ସୂଚନା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୩ଟି କିସ୍ତିରେ ସୂଚନାକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ସୂଚନାକାରୀଙ୍କ ସଂପର୍କିତ ସମସ୍ତ ତଥ୍ୟ ଗୋପନ ରଖାଯିବା ସହିତ ‌ଆଇନଗତ ମାମଲାରେ ତାଙ୍କୁ ଛନ୍ଦି ହେବାକୁ ପଡ଼ିବ ନାହିଁ। ଯାହାଫଳରେ ରାଜ୍ୟ ସରକାରଙ୍କ ନିକଟରେ ଏସବୁ କ୍ଲିନିକ୍‌ ସଂପର୍କରେ ଅଧିକରୁ ଅଧିକ ସୂଚନା ମିଳିବ। ଏହି ଯୋଜନା ପାଇଁ ବେଶ୍‌ କିଛିମାସ ହେଲା ଉଦ୍ୟମ ଜାରି ରହିଥିଲା।

ଅପରେସନ୍ ‘ଡିକୟ’ର ବିଫଳତା ସଂପର୍କରେ ଡା.ପାଣିଗ୍ରାହୀ କହିଛନ୍ତି ଯେ ଏଥିରେ ଜଣେ ଗର୍ଭବତୀ ମହିଳା ନିଜେ ଛଦ୍ମ ବେଶରେ ଯାଇ ଏଭଳି କ୍ଲିନିକ୍‌ର ଚିହ୍ନଟ କରିବାର ଯୋଜନା ରହିଥିଲା। ପ୍ରଥମତଃ ଏଭଳି ଗର୍ଭବତୀ ମହିଳାଙ୍କୁ ଠାବ କରି ରାଜି କରାଇବା କଷ୍ଟକର ବ୍ୟାପାର, ଦ୍ବିତୀୟରେ ଏହାକୁ ଚୂଡ଼ାନ୍ତ ରୂପଦେବା ଅନେକ ସମୟରେ ସମ୍ଭବ ହେଲାନାହିଁ। ଏହା ଅପେକ୍ଷା ପ୍ରୋତ୍ସାହନଭିତ୍ତିକ ସୂଚନା ବେଶ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟସ୍ତରରେ ନା ଜିଲ୍ଲାସ୍ତରରେ ଏହାର ସୂଚନା ସଂପର୍କିତ ନମ୍ବର ଜାରି ହେବ ତାହାର ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର