ସୁନ୍ଦରଗଡ଼ରେ ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ୭୩ ଲୋକ ମଲେଣି, ୨୬ ହାତୀଙ୍କ ମୃତ୍ୟୁ

ରାଉରକେଲା : ହାତୀଙ୍କ ସୁରକ୍ଷା ବାବଦରେ ସରକାର ପ୍ରତିବର୍ଷ ଅନେକ ‌ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ବେ ହାତୀଙ୍କ ମୃତ୍ୟୁକୁ ରୋକାଯାଇ ପାରୁନି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇଁ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବର୍ଷ ତମାମ ଜାରି ରହୁଛି ହାତୀ-ମଣିଷ ଲଢ଼େଇ। ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହର ମୁହାଁ ହାତୀପଲଙ୍କ ଆକ୍ରମଣ ଲୋକଙ୍କ ଜୀବନ ଯାଉଛି। ଚାଷୀ ଓ ଗାଁ ଲୋକଙ୍କ ବର୍ଚ୍ଛା, ନିଆଁ ଚେଙ୍କରେ ହାତୀର ମୃତ୍ୟୁ ହେଉଛି। ଏସବୁ କାରଣରୁ ଗତ ୫ ବର୍ଷ ଅର୍ଥାତ୍‌ ୨୦୧୮ରୁ ୨୦୨୨ ମଧ୍ୟରେ ସୁନ୍ଦରଗଡ଼ରେ ମୋଟ ୨୬ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ବନଖଣ୍ଡରେ ୧୦, ବଣାଇଁ ବନଖଣ୍ଡରେ ୧୪ ଓ ସୁନ୍ଦରଗଡ଼ ବନଖଣ୍ଡରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେମିତି ହାତୀଙ୍କ ଆକ୍ରମଣରେ ୭୩ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ରାଉରକେଲା ବନଖଣ୍ଡରେ ସର୍ବାଧିକ ୪୦ ଜଣ, ବଣାଇ ବନଖଣ୍ଡରେ ୧୯, ସୁନ୍ଦରଗଡ଼ ବନଖଣ୍ଡରେ ୧୪ ଜଣଙ୍କର ଜୀବନ ଯାଇଛି।

firstpost.com

ଘଟଣା ଘଟିବା ବିଭାଗ ବେଶ୍‌ ତତ୍ପର ହେଉଛି। କେବଳ ତଦନ୍ତ କରି କାମ ସାରି ଦେଉଛନ୍ତି। ହାତୀଙ୍କ ମୃତ୍ୟୁକୁ କିପରି ରୋକାଯାଇପାରି, ଆଜି ପର୍ଯ୍ୟନ୍ତ ସେମିତି କୌଣସି ‌ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼, ବଣାଇ ଓ ରାଉରକେଲା ବନଖଣ୍ଡରେ ଅବାଧ ଜଙ୍ଗଲ କଟା, ଜଙ୍ଗଲରେ ଖୋଳାଯାଇଥିବା ପୋଖରୀରେ ପର୍ଯ୍ୟାପ୍ତ ପାଣି ନ ରହିବା, ବେଆଇନ ବ୍ଲାଷ୍ଟିଂ ଓ ଠିକ୍‌ ଖାଦ୍ୟ ମିଳୁ ନଥିବାରୁ ହାତୀପଲ ବାରମ୍ବାର ସହର ଓ ଗାଁ ମୁହାଁ ହେଉଛନ୍ତି। ଖଣି ଖାଦାନ ଭରା ବଣାଇ ବନଖଣ୍ଡରେ ସ୍ଥିତି ଆହୁରି ଉଦ୍‌ବେଗଜନକ। ଏଠାରେ ଅବାଧ ଖଣି ଖନନ, ଗଛ କଟାରୁ ହାତୀପଲ ସର୍ବଦା ନିଜର ସୁରକ୍ଷିତ ଠିକଣା ଖୋଜୁଛନ୍ତି। ଅନେକ ସମୟରେ ହାତୀପଲ ଏକର ଏକର ଫସଲ ଦଳିଚକଟି ନଷ୍ଟ କରିବାରୁ ମଣିଷ-ହାତୀପଲଙ୍କ ମଧ୍ୟରେ ଲଢ଼େଇ ଲାଗି ରହୁଛି। ହାତୀ ହାବୁଡରେ ପଡି ନିରୀହ ଚାଷୀ ଓ ଲୋକଙ୍କର ଜୀବନ ଯାଉଛି। ସେପଟେ ହାତୀ ଗତିପଥକୁ ରୋକିବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ସୋଲାର ଫେସିଂ ସହ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ସ୍ଥାନରେ ସୋଲାର ଫେସିଂ ଓ ଟ୍ରେଞ୍ଚ କାମରେ ଆସୁନି। କେବଳ ଏତିକି ନୁହେଁ ରେଳ ଓ ବିଜୁଳି ବିଭାଗ ସହ ବନ ବିଭାଗର ଉପଯୁକ୍ତ ସମନ୍ବୟ ଅଭାବରୁ ହାତୀଙ୍କ ଚଲାପଥ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି।

ସମ୍ବନ୍ଧିତ ଖବର