ବିଜେପିରେ ଯୋଗ ଦେବେ ମହେନ୍ଦ୍ର ସିଂହ ଧୋନି !

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପରେ ଏବେ ରାଜନୀତି କରିବେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କ ଫଟୋ ଭାଇରାଲ‌ ହେବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ଯୋଗ ଦେଇଥିବା ବେଳେ ଏବେ ଧୋନି ମଧ୍ୟ ରାଜନୀତିରେ ଯୋଗ ଦେଇ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି କୁହାଯାଉଛି।

ଶନିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ ଧୋନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଏହି ଫଟୋଟି ଇଣ୍ଡିଆ ସିମେଣ୍ଟର ୭୫ବର୍ଷ ପୂରଣ ଅବସରରେ ଆୟୋଜିତ ଏକ ଇଭେଣ୍ଟର ବୋଲି ଜଣାପଡ଼ିଛି। ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ମଧ୍ୟ ଇଭେଣ୍ଟର ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ ପରସ୍ପରକୁ ଭେଟିବା ସହ ହାତ ମିଳାଇଥିଲେ ଧୋନି ଓ ଶାହ। ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଇଛି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି ଯେ ମହେନ୍ଦ୍ର ସିଂ ଧୋନି ବିଜେପିରେ ଯୋଗଦେବେ କି? ଏଥିସହିତ ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ଧୋନି ଏବଂ ଶାହା ସାକ୍ଷାତ କରିଛନ୍ତି। ଯଦି ଧୋନିଜୀ ଶାହଙ୍କୁ ଭେଟିଛନ୍ତି, ତେବେ ସେ କିଛି ଚିନ୍ତା କରି ଏଭଳି କରିଥିବେ। ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚା ମଧ୍ୟରେ ପ୍ରକୃତର ଧୋନି ରାଜନୀତିରେ ପ୍ରବେଶ କରିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର