ରଙ୍ଗମହଲ ପାଲଟିଛି ପରିତ୍ୟକ୍ତ ବସ୍‌: ବଦନାମ୍‌ ମୁଣ୍ଡେଇଛି ଖଣ୍ଡଗିରି ବସ୍‌ ଟର୍ମିନାଲ୍‌

ଖଣ୍ଡଗିରି, ୧୭/୧୧(ଇମିସ): ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ତେଣୁ ଖଣ୍ଡଗିରି-ଉଦୟଗିରିକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଲେଣି। ଏମିତିରେ ଏହି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳକୁ ବର୍ଷସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ମାତ୍ର ପରିତାପର କଥା ଗତ କିଛି ବର୍ଷ ହେଲା ଏଠିକାର ବସ୍‌ ଟର୍ମିନାଲ୍ ବଦନାମର ଗଳି ପାଲଟିଛି। ଏଠାରେ ପଡ଼ି ରହିଥିବା ୩ଟି ପରିତ୍ୟକ୍ତ ବସ୍‌ ପାଲଟିଯାଇଛି ରଙ୍ଗଶାଳା ବା ରଙ୍ଗମହଲ। ଏହି ବସ୍‌ ଭିତରେ ଖୋଲାଖୋଲି ଭାବେ ଚାଲିଛି ଅନୈତିକ କାର୍ଯ୍ୟକଳାପ। କିନ୍ନରଙ୍କ କବ୍‌ଜାରେ ଥିବା ଏହି ୩ ପରିତ୍ୟକ୍ତ ବସ୍‌ ଭିତରେ ଦିନ ରାତି ସବୁବେଳେ ଚାଲିଛି ଲଜ୍ଜାଜନକ କାର୍ଯ୍ୟକଳାପ।

ଏହି ପର୍ଯ୍ୟଟକ ବସ୍ ପାର୍କିଂ ଭିତରେ କିଛି ବର୍ଷ ହେଲା ୩ଟି ଘରୋଇ ବସ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସନ୍ଧ୍ୟା ହେବା ମାତ୍ରେ ସେହି ବସ୍‌ ୩ଟିର ଭଙ୍ଗା ଦଦରା ସିଟ୍‌ ପାଲଟିଯାଉଛି ହୋଟେଲ ବା‌ ଲଜ୍‌ର ବେଡ୍‌। କେତେବେଳେ କିନ୍ନର ତ ଆ‌ଉ କେ‌ତେବେ‌ଳେ ପୁରୁଷବନ୍ଧୁଙ୍କ ସହିତ ଯୁବତୀମାନେ ବସ୍ ଭିତରକୁ ପଶୁଥିବା ଦେଖିବାକୁ ମିଳୁଛି। ବହୁ ସମୟରେ ପାର୍କିଂରେ ବାଇକ୍‌ ରଖି ଯୁବକ ଯୁବତୀମାନେ ହାତ ଧରାଧରି ହୋଇ ମୋବାଇଲ୍‌ ଆଲୁଅରେ ବସ୍‌ ଭିତରକୁ ପ୍ରବେଶ କରୁଥିବା ଦେଖାଯାଏ।

ଏମିତିକି ଦିନ ବେଳା ମଧ୍ୟ ବସ୍‌ ଭିତରେ ଜମେ ପ୍ରେମିକ-ପ୍ରେମିକାଙ୍କ ଆସର। ସଂଜ ନଇଁବା ମାତ୍ରେ ବସ୍‌ ଭିତରେ ଅନୈତିକ ଆସର ଜମିଯାଏ। ତେବେ ରାତି ବଢ଼ିଲେ ଧୀରେଧୀରେ କମିଯାଏ ପ୍ରେମିକ-ପ୍ରେମିକାଙ୍କ ମିଳନ। ବିଳମ୍ବିତ ରାତି ଯାଏ କବ୍‌ଜା କରିରଖନ୍ତି କିନ୍ନରମାନେ। ବସ୍‌ ଭିତରେ ରଙ୍ଗଶାଳାର ମାହୋଲ ଜମିଯାଏ। ଏଭଳି କଦର୍ଯ୍ୟ ଦୃଶ୍ୟ ଆଜି କିମ୍ବା କାଲିର ନୁହେଁ। ବର୍ଷ ବର୍ଷ ଧରି ଏଭଳି ଅନୈତିକ କାମ ଚାଲିଛି। ବସ୍‌ ଟର୍ମିନାଲ୍‌ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବସ୍‌କୁ କିନ୍ନର ଓ ପ୍ରେମୀଯୁଗଳମାନେ ହୋଟେଲ୍‌ ରୁମ୍‌ ଭଳି ବ୍ୟବହାର କରୁଛନ୍ତି। ବସ୍‌ ଭିତରେ ସ୍ଲିପର୍‌ ସିଟ୍‌ ଥିବାରୁ ପସନ୍ଦର ସ୍ଥାନ ପାଲଟିଛି। ଏହା କୌଣସି ମନଗଢ଼ା କାହାଣୀ ନୁହେଁ। ଥରୁଟିଏ ଆଖିରେ ଦେଖିଲେ, ପ୍ରମାଣ ମିଳିଯିବ। ବସ୍‌ ଭିତରେ ଓ ଆଖପାଖରେ ପଡ଼ିଥିବା ପୁଳାପୁଳା କଣ୍ଡୋମ୍‌ ହିଁ ବୟାନ କରେ, ଏଠାରେ ଚାଲିଥିବା ଅନୈତିକ କାଣ୍ଡର ଚିତ୍ର। କେବଳ କଣ୍ଡୋମ କାହିଁକି, ମଦ ବୋତଲ ମଧ୍ୟ ପାହାଡ଼ ଭଳି ଗଦା ହୋଇଛି ସେଠାରେ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମୁହଁରୁ ଏବାବଦରେ ଶୁଣିଲେ ଲଜ୍ଜାରେ ମୁଣ୍ଡ ନଇଁଯାଏ। ବସ୍ ପାର୍କିଂ ସ୍ଥାନରେ ଏଭଳି କଦର୍ଯ୍ୟ ଦୃଶ୍ୟ ଦେଖି ମହିଳା ଓ ଶିଶୁମାନେ ଲାଜରେ ମୁହଁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି। ପରିବାର ସହ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଏଭଳି କାଣ୍ଡ ଦେଖିବା ପରେ ନାକ ଟେକୁଛନ୍ତି। ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ କହିବା କଥା ଏଭଳି ସୁନ୍ଦର ଦର୍ଶନୀୟ ସ୍ଥାନରେ ହେଉଥିବା ଖରାପ କାମକୁ ତୁରନ୍ତ ବନ୍ଦ କରିବା ଉଚିତ। ପିଲାଛୁଆଙ୍କୁ ଧରି ଏଠାକୁ ଆସିବା ପରେ ବଡ଼ ଖରାପ ଅନୁଭୂତି ନେଇ ଫେରିବାକୁ ପଡ଼ୁଛି। ଏଥିପାଇଁ ଓଡ଼ିଶା ବଦନାମ ହେଉଛି ବୋଲି ସେମାନେ କହିଛନ୍ତି। ତେବେ କେତେକ ପର୍ଯ୍ୟଟକ ଏ ସମ୍ପର୍କରେ ଅଭିଯୋଗ କରିଥିବା କୁହାଯାଉଛି। ମାତ୍ର ପୁଲିସ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ଆ‌ଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗୋଟିଏ ପଟେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସୁନ୍ଦର ଓ ସୁରକ୍ଷିତ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି। କିନ୍ତୁ ଖଣ୍ଡଗିରି ବସ୍‌ ଟର୍ମିନାଲର ଦୃଶ୍ୟ ବୟାନ କରୁଛି ସରକାରଙ୍କ ଲୋକଦେଖାଣିଆ ତଥା ପ୍ରଚାରସର୍ବସ୍ବ କାର୍ଯ୍ୟକ୍ରମ। ବିଶ୍ବ ପ୍ରସିଦ୍ଧ ଏହି ଐତିହାସିକସ୍ଥଳରେ ହେଉଥିବା କୁକର୍ମ ହିଁ ରାଜ୍ୟ ପର୍ଯ୍ୟଟନ ବିଭାଗର ଅସଲ ଚେହେରା ପଦାରେ ପକାଇଛି ବୋଲି ଅଭିଯୋଗ ହେଉଛି।

ଏହି ଐତିହ୍ୟ ସ୍ଥଳ‌ରେ ପରିତ୍ୟକ୍ତ ବସ୍‌କୁ ଯେଉଁ ଭଳି ଅପବ୍ୟବହାର କରାଯାଉଛି, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପାର୍କିଂରେ ଥୁଆ ହୋଇଥିବା ଏହି ୩ଟି ବସ୍‌ର ମାଲିକ କିଏ? ଏହି ୩ ବସ୍‌କୁ କାହିଁକି ସେଠାରେ ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ଛାଡ଼ି ଦିଆଯାଇଛି? ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପୁଲିସ ପ୍ରଶାସନର ନଜର କାହିଁକି ପଡ଼ୁନାହିଁ। ପର୍ଯ୍ୟଟନସ୍ଥଳର ବଦନାମ ହେଉଥିବା ନେଇ ଅଭିଯୋଗ ହେଲା ପରେ ବି ବସ୍‌ଗୁଡ଼ିକୁ କ’ଣ ପାଇଁ ଜବତ କରାଯାଉନାହିଁ? ଏ ସମ୍ପର୍କରେ ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି ଯେ ଏହାର ତଦନ୍ତ ହେବ। ଆବଶ୍ୟକ ପଡ଼ିଲେ, ବସ ୩ଟିକୁ ସେଠାରୁ ହଟାଇଦିଆଯିବ। ଏମିତିକି ଏହା ଭିତରେ କେହି ସେଠାରେ ଅନୈତିକ କାର୍ଯ୍ୟ କରୁଥିବା ଦେଖାଗଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର