ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଦଳ ଘୋଷଣା ଆଜି: ରୋହିତ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆୟୋଜିତ ନିଦାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଆସନ୍ତକାଲି ଭାରତୀୟ ଦଳ ଘୋଷଣା କରାଯିବ। ଲମ୍ବା ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଶ୍ରମ ବୋଝ ଲାଘବ କରିବା ଉଦ୍ଦେଶ୍ୟରେ ଅଧିକାଂଶ ପ୍ରମୁଖ ଖେଳାଳିଙ୍କୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରୁ ବିଶ୍ରାମ ଦେବା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରାଜି ହୋଇଛି। ଫଳରେ ଅତି କମ୍‌ରେ ୫ ଜଣ ତଥା ଅଧିନାୟକ ବିରାଟ କୋହଲି, ଓ୍ଵିକେଟ୍‌ ରକ୍ଷକ ମହେନ୍ଦ୍ର ସିଂହ ଧୋନି, ଦୁଇ ଦ୍ରୁତ ବୋଲର ଭୂବନେଶ୍ୱର କୁମାର ଓ ଜସ୍‌ପ୍ରିତ୍‌ ବୁମ୍‌ରାଙ୍କ ସହିତ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ଅଧିକ ରହିଛି। ଫଳରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ପ୍ରାରମ୍ଭିକ ବ୍ୟାଟ୍‌ସମାନ୍‌ ରୋହିତ ଶର୍ମାଙ୍କୁ ଦଳର ନେତୃତ୍ୱ ଭାର ମିଳିପାରେ। ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ କେତେକ ଯୁବ ତାରକାଙ୍କୁ ସୁଯୋଗ ମିଳିବ। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଦୁଇ ଜଣ ଚୟନକର୍ତା ଇତି ମଧ୍ୟରେ ଦିଲ୍ଲୀ ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ୍‌ଙ୍କ ସହ ଆଲୋଚନା କରିଥିଲେ। ତେଣୁ ପନ୍ତ୍‌ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଧୋନିଙ୍କ ସ୍ଥାନ ନେବା ପ୍ରାୟତଃ ନିଶ୍ଚିତ।

ସମ୍ବନ୍ଧିତ ଖବର