ରାଉରକେଲା ଜିଲ୍ଲା ସପକ୍ଷରେ ଅନେକ ଯୁକ୍ତି; ତଥାପି ବିକାଶକୁ ସୁନ୍ଦରଗଡ଼ ନେତାଙ୍କ ସମର୍ଥନ ନଥିବା ଅଭିଯୋଗ

ରାଉରକେଲା: ପଦ୍ମପୁର ପରେ ରାଉରକେଲାକୁ ସ୍ବତନ୍ତ୍ର ଜିଲ୍ଲା ଦାବି ଜୋର୍‌ ଧରିଲାଣି। ସହରର ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ଦାବି ହାସଲ କରିବାକୁ ସଜବାଜ ହେଲେଣି। ତେବେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏ ସଂକ୍ରାନ୍ତରେ କିନ୍ତୁ ସେଭଳି କିଛି ଉଦ୍ୟମ ଦେଖିବାକୁ ମିଳିନି। ବାସ୍ତବରେ ରାଉରକେଲା ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବ ନା ନାହିଁ; ତାହା ସମୟ କହିବ। କିନ୍ତୁ ଏହି ଦାବି ପଛରେ ଯେ ଏକାଧିକ ନ୍ୟାୟସଙ୍ଗତ ଯୁକ୍ତି ରହିଛି; ତାହା ନିଃସନ୍ଦେହ। ଅପରପକ୍ଷରେ, ରାଉରକେଲା ଜିଲ୍ଲା ଦାବିରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଭାତ ମହାପାତ୍ର ଆମରଣ ଅନଶନରେ ବସିବେ। ଉଭୟ ରାଉରକେଲା ସ୍ବତନ୍ତ୍ର ଜିଲ୍ଲା ଓ ରାଉରକେଲା ସରକାରୀ ହସପିଟାଲକୁ କ୍ୟାପିଟାଲ ହସପିଟାଲ ସ୍ତରର କରିବାକୁ ଆସନ୍ତା ଜାନୁଆରୀ ୨୫ ତାରିଖରୁ ପାନପୋଷ ଗାନ୍ଧୀ ଛକରେ ଆମରଣ ଅନଶନରେ ବସିବାକୁ ଶ୍ରୀ ମହାପାତ୍ର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ଜିଲ୍ଲାର ଭୌଗଳିକ ସ୍ଥିତି ଓ ରାଜସ୍ବ ଆଦାୟକୁ ପରିମାଣକୁ ତର୍ଜମା କଲେ, ରାଉରକେଲା ସ୍ବତନ୍ତ୍ର ଜିଲ୍ଲା ହେବା ପାଇଁ ସର୍ବାଧିକ ପ୍ରଯୁଜ୍ୟ। ଜିଲ୍ଲାର ମୋଟ୍‌ ୧୭ଟି ବ୍ଲକ ମଧ୍ୟରୁ, ୮ଟି ବ୍ଳକକୁ ନେଇ ପ୍ରସ୍ତାବିତ ରାଉରକେଲା ଜିଲ୍ଲା ଗଠନ କରିବାକୁ ଦାବି ଢ଼େର୍‌ ପୁରୁଣା। ଏହି ବ୍ଲକ ଗୁଡ଼ିକ ହେଲା, ପାନପୋଷ ଉପଖଣ୍ଡର ବିଶ୍ରା, ନୂଆଗାଁ, କୁଆରମୁଣ୍ଡା ଓ ଲାଠିକଟା ବ୍ଳକ ଏବଂ ବଣାଇଁ ଉପଖଣ୍ଡର କୋଇଡ଼ା, ଗୁରୁଣ୍ଡିଆ, ଲହୁଣୀପଡ଼ା ଓ ବଣାଇଁ ବ୍ଲକ। ବଣାଇଁବାସୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ହେଲେ ପ୍ରାୟ ୨ ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିବାବେଳେ ରାଉରକେଲାବାସୀଙ୍କୁ ପ୍ରାୟ ଶହେ କିଲୋମିଟର ଯିବାକୁ ପଡ଼ୁଛି।

ଏତଦ୍‌ବ୍ୟତୀତ କୋଇଡ଼ା ଅଞ୍ଚଳରେ ବହୁସଂଖ୍ୟକ ଖଣିଖାଦାନ ଥିବାବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ସମଗ୍ର ଜିଲ୍ଲାରେ ବ୍ୟୟ ହେଉଛି; ଯଦ୍ବାରା ପ୍ରକୃତ ହିତାଧିକାରୀ ବଡ଼ ଅଂଶ ପାଇବାରୁ ବଞ୍ଚିତ ହେବା ସ୍ବାଭାବିକ୍‌। ଏସବୁ କାରଣରୁ ରାଉରକେଲା ସର୍ବାଧିକ ଯୋଗ୍ୟ; ଏଥିରେ ତିଳେମାତ୍ର ଦ୍ବିଧା ନାହିଁ। ଅପରପକ୍ଷ‌ରେ ରାଉରକେଲାର ବିକାଶ ପାଇଁ ସୁନ୍ଦରଗଡ଼ର ସ୍ଥାନୀୟ ନେତାଙ୍କ ଯେଭଳି ଆକୁଣ୍ଠ ସମର୍ଥନ ରହିବା କଥା, ତାହା ଦେଖିବାକୁ ମିଳୁନି। ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ପ୍ରସଙ୍ଗକୁ ଉଦାହରଣ ଭାବେ ନିଆଯାଇପାରେ। ମାତ୍ରାଧିକ ରାଜସ୍ବ ଆଦାୟଠାରୁ ଆରମ୍ଭକରି ପର୍ଯ୍ୟାପ୍ତ ଭିତ୍ତିଭୂମିର ଉପଲବ୍ଧତା ପର୍ଯ୍ୟନ୍ତ; ସବୁ ଥାଇ ଦକ୍ଷିଣପୂର୍ବ ରେଳବାଇର କ୍ରମାଗତ ଅବହେଳା ତଥା ସାବତପୁଅ ମନୋଭାବ ଯୋଗୁଁ ରାଉରକେଲାବାସୀ ସ୍ବତନ୍ତ୍ର ରେଳ ଡିଭିଜନ ଦାବି କରୁଛନ୍ତି। ଏହି ଦାବିକୁ ସହରର ପ୍ରାୟ ସବୁ ସଂଗଠନ, ରାଜନୈତିକ ଦଳ ସମର୍ଥନ ବି କରିଛନ୍ତି। କିନ୍ତୁ ସୁନ୍ଦରଗଡ଼ ସହରର ପ୍ରତିନିଧିତ୍ବ କରୁଥିବା ବିଜେପି ନେତା ଏହି ଦାବିକୁ ବିରୋଧ କରିବାର ନଜିର ରହିଛି।

ବିଡ଼ମ୍ବନା ଏହା ଯେ, ରାଉରକେଲା ପରିବର୍ତ୍ତେ ଝାରସୁଗୁଡ଼ାରେ ଡିଭିଜନ ସ୍ଥାପନ ପାଇଁ ଯୁକ୍ତି ବାଢ଼ିଥିଲେ। ଗତବର୍ଷ ନଭେମ୍ବର ମାସରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଝାରସୁଗୁଡ଼ା ଗସ୍ତ ଅବସରରେ ରାଉରକେଲାର ବିଭିନ୍ନ ସଂଗଠନ ଏହି ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ବିଜେପି ରାଜ୍ୟ ସମ୍ପାଦକ ତଥା ସୁନ୍ଦରଗଡ଼ର ବିଜେପି ନେତା ଟଙ୍କଧର ତ୍ରିପାଠୀ ଏହାକୁ ବିରୋଧ କରିଥିଲେ। ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ାରେ ଡିଭିଜନ ସ୍ଥାପନ କରିବାକୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରକାଶଥାଉକି, ସେତେବେଳେ ସୁନ୍ଦରଗଡ଼ର ବିଜେପି ନେତୃତ୍ବ କିମ୍ବା ଅନ୍ୟ ରାଜନୈତିକ ଦଳ ଏହାକୁ ପ୍ରତିବାଦ କରିନଥିଲେ କିମ୍ବା ରାଉରକେଲା ସପକ୍ଷରେ ଯୁକ୍ତି କାଢ଼ିନଥିଲେ। ସୁନ୍ଦରଗଡ଼ ବିଧାୟକ ବିଧାୟକ କୁସୁମ ଟେଟେ ଯଦିଓ ରାଉରକେଲାର ଦାବିକୁ ବିରୋଧ କରିନଥିଲେ, ବରଂ ଉଭୟ ଉଭୟ ରାଉରକେଲା-ଝାରସୁଗୁଡ଼ା ପାଇଁ ଦାବି କରି କାର୍ଯ୍ୟ ସମ୍ପାଦନ ନୀତି ଆପଣେଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ବରଗଡ଼ ସାଂସଦ ସୁରେଶ ପୂଜାରୀ ସିଧାସଳଖଭାବେ ଝାରସୁଗୁଡ଼ା ସପକ୍ଷରେ ଯୁକ୍ତି ବାଢ଼ିଥିବାବେଳେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କିନ୍ତୁ ପାଟି ଖୋଲିନଥିଲେ। ଅବଶ୍ୟ ବୀରମିତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମ ରାଉରକେଲା ସପକ୍ଷରେ ଦାବିପତ୍ର ପ୍ରଦାନ କରିଥିଲେ।

ବିଗତ ଦିନରେ କ୍ରମାଗତ ଆନ୍ଦୋଳନ ଯୋଗୁଁ ୧୯୯୮ ମସିହାରୁ ୨୦୦୦ ପର୍ଯ୍ୟନ୍ତ ରାଉରକେଲାର ସେକ୍ଟର-୨ରେ ଅସ୍ଥାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା କିନ୍ତୁ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଏହା ପୁନର୍ବାର ଦାବି ହୋଇଥିଲା। ୨୦୧୮ ମସିହାରେ ତତ୍କାଳୀନ ରାଉରକେଲା ବିଧାୟକ ଦିଲୀପ ରାୟ ରାଉରକେଲା ଜିଲ୍ଲା ସପକ୍ଷରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଶ୍ରୀ ରାୟଙ୍କ ଖୋଲା ସମର୍ଥନପରେ ଦାବି ପୁନଃ ଉଜ୍ଜୀବୀତ ହୋଇଥିଲା। ଏମିତିକି ରାଉରକେଲା ଓକିଲ ସଂଘ ମଧ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା। ଏବେ ପୁଣିଥରେ ପ୍ରସଙ୍ଗ ଚର୍ଚ୍ଚାର ଶିରୋଣାମା ପାଲଟିଛି। ବଣାଇଁ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଗଲାଣି। ତେବେ, ରାଉରକେଲା ସ୍ବତନ୍ତ୍ର ଜିଲ୍ଲା ହେଲେ ବଣାଇବାସୀଙ୍କ ଦୁଃଖ ଲାଘବ ହେବାସହ ଓ ଏହାକୁ ସମର୍ଥନ ଜଣାଇବେବୋଲି ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରନ୍ତି।

ସମ୍ବନ୍ଧିତ ଖବର