ଗୃହ ନିର୍ମାଣ ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ଦୁଷ୍କର୍ମ!

ଅଭିଯୁକ୍ତ ସହ ବିବାହ କରାଇ ମାମଲାର ରଫାଦଫା ଉଦ୍ୟମ ଅଭିଯୋଗ

ଖୋର୍ଦ୍ଧା: ସେ ଥିଲେ ଅସହାୟ ମହିଳା । କାହିଁ ୬୦-୭୦ କିମି ଦୂରରୁ ଖୋର୍ଦ୍ଧା ଆସି ଏକ ବସ୍ତିର ଝୁମ୍ପୁଡ଼ି ଘରେ ରହି ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ । ସେ ରହୁଥିବା ସରକାରୀ ଜମିରେ ଘରଟିଏ ନିର୍ମାଣ କରିବାକୁ କିଛି ଅର୍ଥ ଯୋଗାଡ଼ କରିଥିଲେ ମଧ୍ୟ ଯଥେଷ୍ଟ ନଥିଲା । ଏହି ସମୟରେ ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବାଂଲାଦେଶୀ ମିସ୍ତ୍ରୀ ଶସ୍ତାରେ ଘର ନିର୍ମାଣ କରାଇଦେବାର ପ୍ରତିଶ୍ରୁତି ଦେଇ ଧର୍ଷଣ କରିଥିଲା । ଏନେଇ ସେ ରହୁଥିବା ବସ୍ତିର କେହି ସହାୟତା କଲେ ନାହିଁ, ଶେଷରେ ବ୍ଲେଡ୍ରେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ । ପୁଲିସକୁ ଜଣାଇବା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ପଦକ୍ଷେପ ନେବ କ’ଣ ଓଲଟି ମହିଳାଙ୍କୁ ବିବାହ କରିଦେବାକୁ ଚାପ ପକାଉଥିବା ଜଣାଯାଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଖୋର୍ଦ୍ଧାରେ ଚାଲିଥିବା ଅନେକ ଦୁର୍ନୀତି, ଅନିୟମିତତା ସହ ସାଧାରଣ ଲୋକଚରିତ୍ରର ସ୍ଖଳନ ଉପରୁ ପରଦା ଉଠାଇଛି ।

ମିଳିଥିବା ସୂଚନାନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ଜଣେ ହିନ୍ଦୁ ଅସହାୟ ମହିଳା ସୁନୀତା ସାହୁ (ଛଦ୍ମନାମ) ପ୍ରାୟ ବର୍ଷେ ଦେଢ଼ ବର୍ଷ ପୂର୍ବେ ନିଜର ପେଟପାଟଣା ପାଇଁ ଖୋର୍ଦ୍ଧା ଆସିଥିଲେ । ଖୋର୍ଦ୍ଧାର ୧୨ ନମ୍ବର ୱାର୍ଡ଼ର ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ସରକାରୀ ଜମିରେ ଥିବା ବେଆଇନ ବସ୍ତିରେ ଝୁମ୍ପୁଡ଼ି ଘରେ ନିଜର ମାଉସୀଙ୍କ ଘରେ ରହୁଥିଲେ । ପରେ ନିକଟରେ ଥିବା ସରକାରୀ ଜମି ଉପରେ ସେ ସଂଚୟ କରିଥିବା ଅର୍ଥରେ ଏକ ଘରଟିଏ ନିର୍ମାଣ କରିବାକୁ ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନଥିଲା । ଏହି କଥା ନିକଟରେ ଥିବା ଜଣେ ମହିଳା କୁନିଲତାଙ୍କୁ କହିଥିଲେ । କୁନିଲତା ସେହି ବସ୍ତିରେ ରହୁଥିବା ବାଂଲାଦେଶୀ ମିସ୍ତ୍ରୀ ସେକ୍ ନାସିରକୁ କହିଥିଲେ । ସେକ୍ ନାସିର ଅଳ୍ପ ଟଙ୍କାରେ ଘର ନିର୍ମାଣ କରିବାକୁ ରାଜି ହୋଇଥିବା ବେଳେ ଏହା ବଦଳରେ ସୁନୀତା ରଖିଥିବା ଜମିରୁ ଅଦେ୍ର୍ଧକ ମାଗିଥିଲା । ଏଥିପାଇଁ ସୁନୀତା ରାଜି ହୋଇଯାଇଥିଲେ । ଘର ନିର୍ମାଣ ଅଧାଅଧି ଶେଷ ହେବା ବେଳେ ଅବୈଧ ନିର୍ମାଣ ଯୋଗୁଁ ରାଜସ୍ୱ ବିଭାଗ କର୍ମଚାରୀ ସେଠାରେ ପହଂଚି ତାକୁ ଅଟକାଇ ଦେଇଥିଲେ ।

ଏହି ସମୟରେ ଗୃହ ନିର୍ମାଣ କରିବା ବାବଦକୁ ଅର୍ଥ ଦେବାକୁ ନାସିର ସୁନୀତାଙ୍କ ଉପରେ ଚାପ ପକାଉଥିଲେ । ଜାନୁଆରି ୨୫ ତାରିଖ ରାତିରେ ନାସିର ସୁନୀତାଙ୍କ ଘରେ ପଶି ତାଙ୍କୁ ଧର୍ଷଣ କରିଥିଲେ । ଏନେଇ ସୁନୀତା କୁନିଲତା ଓ ଆଖପାଖର ଲୋକଙ୍କୁ ଜଣାଇବାରେ ସେମାନେ କହିଥିଲେ ଘର ତିଆରି ଟଙ୍କା ଦେଇପାରିଲୁନାହିଁ, ଏହା ବଦଳରେ କିଛି ତ ଦେବାକୁ ପଡ଼ିବ । ଦେଲୁ ଏଥିରେ ଅସୁବିଧା କ’ଣ ବୋଲି କହିଥିଲେ । ଏଥିରେ ବ୍ୟଥିତ ହୋଇ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସୁନୀତା ବ୍ଲେଡ୍ରେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ନେଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ଗତକାଲି ସୁନୀତା ଫେରିବା ପରେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତକୁ ଧରିବା ବଦଳରେ ପୁଲିସ ସୁନୀତାଙ୍କୁ ଅସହାୟ ଥିବା ଏଣୁ ଧର୍ଷଣ ଅଭିଯୁକ୍ତ ସହ ବିବାହ କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ସୁନୀତା ଅସହାୟ ଥିବାରୁ ସେ ଭୟରେ ମୁହଁ ଖୋଲି କିଛି କହିପାରୁନାହାନ୍ତି ।

ମାମଲା ସମ୍ପର୍କରେ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନେଇ ଅଭିଯୋଗ ମିଳିଛି । ମହିଳାଙ୍କ ବୟାନ ଅନୁସାରେ ୬୬/୨୦୨୩ରେ ଏକ ଧର୍ଷଣ ମାମଲା ରୁଜୁ ହୋଇଥିବା ଓ ଅଭିଯୁକ୍ତ ସେକ୍ ନାସିର ଗିରଫ ହୋଇଛି । ମାମଲାର ତଦନ୍ତ ଭାର ଏସ୍ଆଇ ସସ୍ମିତା ବେହେରାଙ୍କୁ ଦିଆଯାଇଛି ବୋଲି କହିଛନ୍ତି । ତେବେ ମହିଳା ଜଣକ ଲିଖିତ ଅଭିଯୋଗର ଦୁଇ ଦିନ ଧରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ସରକାରୀ ଜମିର ବେଆଇନ ଦଖଲର ଏକ ବିରାଟ ନେଟ୍ୱାର୍କ ସମ୍ପର୍କରେ ପ୍ରଶାସନ ଜାଣିଶୁଣି ନିରବ ରହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର